ଛତିଆ: ଟାଙ୍ଗୀ ଅଞ୍ଚଳରୁ କୋଲକାତା ଅଭିମୁଖେ ଗଞ୍ଜେଇ ଚାଲାଣ କରୁଥିବା ଏକ କାର୍କୁ ପୁଲିସ ଗତକାଲି ରାତିରେ ଜବତ କରିଛି। ଗାଡ଼ିରୁ ୧ କ୍ବିଣ୍ଟାଲ ୫ କିଲୋ ଗଞ୍ଜେଇ ଜବତ ସହ କାର୍ ଡ୍ରାଇଭର ଟାଙ୍ଗୀ ଥାନା ଗୋବିନ୍ଦପୁରର ରଂଜିତ ନାଥ(୩୦)କୁ ଗିରଫ କରାଯାଇଛି। ଗାଡ଼ିରେ ବସିଥିବା ଅନ୍ୟଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି।
ଗତକାଲି ରାତି ପ୍ରାୟ ୨ଟା ୩୦ ରେ ବୈରୀ ଥାନା ଅଧିକାରୀ ସଂଘମିତ୍ରା ନାୟକ ସଦଳବଳେ ୧୬ ନମ୍ବର ଜାତୀୟ ରାଜପଥର ନେଳିଆ ଭାରତ ପେଟ୍ରୋଲ ପମ୍ପ ନିକଟରେ କାର (ଓଡି ୦୫ ଏଏଚ୍ ୩୯୩୯)ଟିକୁ ଅଟକାଇଥିଲେ। ଗାଡ଼ି ଅଟକିବା କ୍ଷଣି ସେଥିରେ ବସିଥିବା ଜଣେ ଯୁବକ ଡୋର୍ ଖୋଲି ଦୌଡ଼ି ପଳାଇଥିଲା।
ଡ୍ରାଇଭରକୁ ପୁଲିସ ଧରିବାରେ ସକ୍ଷମ ହୋଇଥିଲା। ଯାଞ୍ଚ କରିବାରୁ କାର୍ ଡିକିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲେ। ସକାଳୁ ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁ, ଯାଜପୁର ଏସଡିପିଓ ଚିନ୍ମୟ ନାୟକ, ଥାନା ଅଧିକାରୀଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ୍ କହିଛି। ଏ ସଂକ୍ରାନ୍ତରେ ବୈରୀ ଥାନାରେ କେସ୍ ନମ୍ବର ୬୮/୨୨ ରୁଜୁ କରାଯାଇଛି। ଏହି ଚଢ଼ଉରେ ବୈରୀ ପୁଲିସ୍ ଏସ୍.ଆଇ ସୁବ୍ରତ ସାହୁ, ଛତିଆ ବିଟ୍ ହାଉସ୍ ଅଧିକାରୀ ଗୋବର୍ଦ୍ଧନ ନାୟକ, ଏ.ଏସ୍.ଆଇ ଅକ୍ଷୟ ବେହେରା, ହାବିଲଦାର ରଘୁନାଥ ଦାସ, କନେଷ୍ଟବଳ ଅସରଫ ଅଲ୍ଲୀ ରାଜ ସାମିଲ ଥିଲେ।
Follow Us