ଗୋଟିଏ ଗାଁ କିନ୍ତୁ ଦୁଇଟି ଜିଲ୍ଲା : ରାସ୍ତା ସେପାଖେ ଆଲୁଅ, ଏପାଖ ଅନ୍ଧାର

Advertisment
ଗୋଟିଏ ଗାଁ କିନ୍ତୁ ଦୁଇଟି ଜିଲ୍ଲା : ରାସ୍ତା ସେପାଖେ ଆଲୁଅ, ଏପାଖ ଅନ୍ଧାର

ବାମରା/ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସଦର ଗୋବିନ୍ଦପୁର ପଞ୍ଚାୟତର ସୀମାନ୍ତ ଗାଁ ହେଉଛି ଆମମୁଣ୍ଡା। ବାମରାରୁ ମାତ୍ର ୩ କିମି ଦୂର। ଏହି ଗାଁର ବିଶେଷତ୍ବ ହେଲା, ଗାଁର କିଛି ଅଂଶ ସୀମାବର୍ତ୍ତୀ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଜାମମାଲ ପଞ୍ଚାୟତରେ ମଧ୍ୟ ରହିଛି। ଅର୍ଥାତ ଗାଁ ଗୋଟିଏ, ଦୁଇଟି ଜିଲ୍ଲାର ଅଂଶବିଶେଷ। ବିକାଶ ଚିତ୍ରକୁ ଦେଖିଲେ ବି ଗାଁଟି ଯେମିତି ଦୁଇ ଭାଗ ହୋଇଯାଇଛି।

ଗାଁରେ ପ୍ରାୟ ୪୯ ପରିବାର ରହନ୍ତି। ସେଥିରୁ ୧୪ଟି ପରିବାର ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ପଞ୍ଚାୟତରେ ଏବଂ ୩୫ ପରିବାର ଝାରସୁଗୁଡ଼ା ଜିଲ୍ଲା ଜାମମାଲ ପଞ୍ଚାୟତରେ ରହିଛି। ମଝିରେ ଯାଇଛି ରାସ୍ତା। ରାସ୍ତାର ଉଭୟ ପାର୍ଶ୍ବରେ ଘର। ତେବେ ଗୋଟିଏ ଗା‌ଁରେ ରହୁଥିଲେ ବି ଦୁଇ ପଟର ଲୋକ ସମାନ ସୁବିଧା ପାଉନାହାନ୍ତି। ଝାରସୁଗୁଡ଼ା ଜିଲ୍ଲାରେ ଥିବା ଲୋକମାନେ ଅପେକ୍ଷାକୃତ ସୁବିଧାଜନକ ସ୍ଥିତିରେ ଥିବା ଦେଖିବାକୁ ମିଳିଛି। ସବୁ ପରିବାରକୁ ରାସନ କାର୍ଡ, ବିପିଏଲ୍‌, ବିଦ୍ୟୁତ ଯୋଗାଣ, ଅଙ୍ଗନବାଡ଼ି, ଆବାସ ଯୋଜନାରେ ସାମିଲ କରାଯାଇଛି। ଲଇକେରା ବ୍ଲକ କାର୍ଯ୍ୟାଳୟଠାରୁ ୩୦ କିମି ଦୂର ତଥା ଜାମମାଲ ପଞ୍ଚାୟତ କାର୍ଯ୍ୟାଳୟରୁ ୧୦ କିମି ଦୂରରେ ରହିଥିଲେ ବି ଲୋକମାନେ ଉଣାଅଧିକେ କିଛିଟା ସୁବିଧା ପାଉଛନ୍ତି। ଅନ୍ୟପଟେ, ସମ୍ବଲପୁର ଜିଲ୍ଲା ଅଧୀନରେ ଲୋକମାନେ ବ୍ଲକ ସଦର ମହକୁମାଠାରୁ ମାତ୍ର ୩ କିମି ଦୂରରେ ଥାଇ ବି ସବୁ ସୁବିଧାସୁଯୋଗରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି।

ବାମରା ପଟୁ ଆମମୁଣ୍ଡା ଗାଁକୁ ଯିବା ପାଇଁ ଏବେ ବି ପକ୍କା ସଡ଼କଟିଏ ନାହିଁ। ବିପିଏଲ ହିତାଧିକାରୀଙ୍କ ପାଇଁ ବିଦ୍ୟୁତ ସଂଯୋଗ ନାହିଁ। ଗାଁ ରାସ୍ତା ପାର୍ଶ୍ବରେ ୨ଟି ସୋଲାର ଲାଇଟ ଏବଂ ୨ଟି ନଳକୂଅ ରହିଛି। ସମସ୍ତଙ୍କ ନିକଟରେ ଜମି ପଟ୍ଟା ନାହିଁ। ଫଳରେ ବହୁ ପରିବାର ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି। ଆଦିବାସୀ ବହୁଳ ଏହି ଗାଁଟି ସବୁ ଦୃଷ୍ଟିରୁ ଅବହେଳିତ ହୋଇରହିଛି।

ସବୁଠାରୁ ଉଲ୍ଲେଖଯୋଗ୍ୟ କଥା ହେଲା, ଆମମୁଣ୍ଡା ଗାଁର ଏଭଳି ଅଭାବନୀୟ ଚିତ୍ର ସଂପର୍କରେ ଜିଲ୍ଲା ପ୍ରଶାସନ ମଧ୍ୟ ଅବଗତ ନାହିଁ। ଆଜି ଏ ସଂପର୍କରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପଚାରିବାରୁ ସେ ବାମରା ବିଡିଓଙ୍କ ସହ ଏ ନେଇ କଥା ହେବା ସହ ଗାଁ ଲୋକମାନେ ଯେମିତି ତୁରନ୍ତ ସମସ୍ତ ସରକାରୀ ସୁବିଧାସୁଯୋଗ ପାଇ ପାରିବେ ସେ ଦିଗରେ ତ୍ବରିତ ପଦକ୍ଷେପ ନେବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe