ଏମ୍‌ସରେ ବର୍ଷକ ଶିଶୁ ମୁଣ୍ଡରେ ବିରଳ ଅସ୍ତ୍ରୋପଚାର

Advertisment
ଏମ୍‌ସରେ ବର୍ଷକ ଶିଶୁ ମୁଣ୍ଡରେ ବିରଳ ଅସ୍ତ୍ରୋପଚାର

ଖଣ୍ଡଗିରି : ମାତ୍ର ବର୍ଷକର ଶିଶୁ ମୁଣ୍ଡର ଖପୁରି କାଟି ଆକୃତିକୁ ବଦଳାଇବା ଭଳି ଏକ ଜଟିଳ ଓ ବିରଳ ଅସ୍ତ୍ରୋପଚାର ଭୁବନେଶ୍ୱର ଏମ୍‌ସରେ କରାଯାଇଛି। ଭାରତରେ ଖୁବ୍ କମ୍ ହସ୍ପିଟାଲରେ ହୋଇ ପାରୁଥିବା ଏହି ଅସ୍ତ୍ରୋପଚାରକୁ ଭୁବନେଶ୍ୱର ଏମ୍‌ସର ଅଭିଜ୍ଞ ନ୍ୟୁରୋ ସର୍ଜନ, ପ୍ଲାଷ୍ଟିକ୍ ସର୍ଜନ ଓ ନିଶ୍ଚେତକଙ୍କ ଟିମ୍ ସଫଳତାର ସହ କରି ପାରିଥିବାରୁ ଜଟିଳ ସର୍ଜରି କ୍ଷେତ୍ରରେ ଏମ୍‌ସ ଆଉ ଏକ ମାଇଲ୍ ଖୁଣ୍ଟ ଅତିକ୍ରମ କରିଥିବା କୁହାଯାଉଛି।

ଡାକ୍ତରମାନଙ୍କ ସୂଚନାନୁସାରେ ଶିଶୁ ମାନଙ୍କର ମୁଣ୍ଡ ମଝିରେ ଥିବା ଖପୁରିର ଶୂନ୍ୟସ୍ଥାନ(ଧୁକ୍‌ଧୁକି) ସାଧାରଣତଃ ୧୮ ମାସରେ ପୂରଣ ହେବା କଥା। ମାତ୍ର କୌଣସି କାରଣରୁ ଉକ୍ତ ଶିଶୁପୁତ୍ରଟିର ଏହି ଖାଲି ସ୍ଥାନ ବର୍ଷକ ପୂର୍ବରୁ ପୂରଣ ହୋଇଗଲା। ତେଣୁ ମସ୍ତିସ୍କ ବୃଦ୍ଧି ପାଇବାରେ ସମସ୍ୟା ହେଲା ଓ ଧୀରେ ଧୀରେ ବର୍ଦ୍ଧିତ ମସ୍ତିସ୍କ ଅଧିକ ସ୍ଥାନ ଆବଶ୍ୟକ କରି ଖପୁରିକୁ ଫୁଲାଇବାରେ ଲାଗିଲା। ଫଳରେ କିଛି ଦିନ ପରେ ମୁଣ୍ଡର ଉପର ଭାଗ କୋନ୍ ଆକାର ଧାରଣ କଲା ଓ କପାଳ ଚେପ୍ଟା ହୋଇଗଲା। ଆଖି ଦୁଇଟି ବାହାରକୁ ବାହାରି ଆସିଲା। ପିଲାଟିର ମାନସିକ ବିକାଶସ୍ତର ସେତିକି ହ୍ରାସ ପାଇବା ସ୍ପଷ୍ଟ ହେଲା । ଡାକ୍ତରମାନଙ୍କ କହିବା କଥା ଏହି ଅପରସେନ୍ ହୋଇପାରି ନଥିଲେ, ପିଲାଟି ଉଭୟ ମାନସିକ ଓ ଶାରୀରିକ କ୍ଷେତ୍ରରେ ବିକୃତ ବିକଳାଙ୍ଗ ହୋଇଯିବାର ଆଶଙ୍କା ଥିଲା।

ଏହି ଅସ୍ତ୍ରୋପଚାରରେ ନ୍ୟୁରୋ ସର୍ଜନ ଡାକ୍ତର ରଂଜନ କୁମାର ଜେନା, ପ୍ଲାଷ୍ଟିକ୍ ସର୍ଜନ ଡାକ୍ତର ସୁନୀଲ କୁମାର ରାଉତ୍ ଓ ନିଶ୍ଚେତକ ଡାକ୍ତର ଶ୍ରୀତମ୍ ଜେନା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେମାନଙ୍କ କହିବା କଥା ଏଭଳି ଅସ୍ତ୍ରୋପଚାର ବଡ଼ ଜଟିଳ। ପ୍ରଥମତଃ ମାତ୍ର ବର୍ଷକର ଶିଶୁ ହୋଇଥିବାରୁ ନିଶ୍ଚେତକ ଡାକ୍ତରଙ୍କ ଭୂମିକା ବଡ଼ ଗୁରୁତ୍ୱପୂର୍ଣ। ତେବେ ଡାକ୍ତର ରଂଜନଙ୍କ ଇସ୍ରାଏଲ ଓ ଡାକ୍ତର ସୁନୀଲଙ୍କର କାନାଡ଼ା ଅଭିଜ୍ଞତା ଏଥିରେ ସହାୟକ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe