ଅସନ୍ତୁଳନ ଅବସ୍ଥାରେ ପାଇକାରୀ ଓ ଖୁଚୁରା ବଜାର : ଆଳୁ ୩୫, ପିଆଜ ୩୦ ପାଇଁ ଦାୟୀ କିଏ?

ଶୋଇଛି ଯୋଗାଣ ବିଭାଗ, ଖାଉଟି ମୁଣ୍ଡରେ ଚଡ଼କ

ଶ୍ରୀଲଙ୍କାରେ ଆଳୁ ୨୨୦, ପିଆଜ ୨୦୦ ଟଙ୍କା

Odisha Bytes

ଭୁବନେଶ୍ବର,(ଅର୍ଜୁନ ପାଇକରାୟ): ବନ୍ୟା ଯୋଗୁଁ ରାଜ୍ୟରେ ଚାଷ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବାରୁ ଏବେ ପରିବା ଦର ଆକାଶଛୁଆଁ ହୋଇଛି। କୌଣସି ସବୁଜ ପରିବା ଦର ୫୦ ଟଙ୍କା ତଳକୁ ନାହିଁ। ପୋଟଳ ଓ ବିନ୍‌ସ ଭଳି ପରିବା ୧୦୦ ଟଙ୍କାକୁ ଟପି ଯାଇଛି। ବାଇଗଣ କିଲୋ ୫୦/୬୦ ଟଙ୍କାରେ ପହଞ୍ଚିଛି। ଏତିକିବେଳେ ଦାଉ ସାଧିଛି ଆଳୁ ଓ ପିଆଜ ଦର। ଖୁଚୁରା ବଜାରରେ ଆଳୁ କିଲୋ ୩୫ଟଙ୍କାକୁ ଛୁଇଁଥିବାବେଳେ ପିଆଜ ମଧ୍ୟ ତାଳ ଦେଇ ୩୦ ଟଙ୍କାରେ ପହଞ୍ଚିଛି। ପାଇକାରୀ ବଜାର ଓ ଖୁଚୁରା ବଜାର ଉପରେ ଯୋଗାଣ ବିଭାଗର ନିୟନ୍ତ୍ରଣ ନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି। ରାଜ୍ୟ ଯୋଗ‌ାଣ ବିଭାଗ ପାଇକାରୀ ଓ ଖାଉଟି ଦର ମଧ୍ୟରେ ସନ୍ତୁଳନ ରକ୍ଷା ଦିଗରେ ଅଧିକ ତତ୍ପରତା ପ୍ରଦର୍ଶନ କରିବା ଜରୁରୀ ହୋଇପଡ଼ିଛି ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି।

କୁବେରପୁରୀ ତଥ୍ୟ ଅନୁସାରେ ଆଳୁ କ୍ବିଣ୍ଟାଲ ପିଛା ୨୭ ଶହ ଟଙ୍କା ଓ ପିଆଜ କ୍ବିଣ୍ଟାଲ ପିଛା ୧୯ ଶହ ଟଙ୍କା ରହିଛି। ପଶ୍ଚିମବଙ୍ଗରୁ ଆଳୁ ଓ ମହାରାଷ୍ଟ୍ରରୁ ପିଆଜ ଆମଦାନୀ ହ୍ରାସ ହୋଇନାହିଁ। କିନ୍ତୁ ଖୁଚୁରା ବଜାରରେ ଆଳୁ ୩୫ ଟଙ୍କା ଅର୍ଥାତ୍ ପାଇକାରୀ ଦରଠାରୁ ୮ ଟଙ୍କା ଅଧିକ ରହିଛି। ସେହିଭଳି ପିଆଜ ମଧ୍ୟ ପାଇକାରୀ ଦରଠାରୁ ୧୦ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି। ପୂର୍ବରୁ ପାଇକାରୀ ଓ ଖୁଚୁରା ଦରୀ ମଧ୍ୟରେ ପାର୍ଥକ୍ୟ ୫ ଟଙ୍କା ରହୁଥିଲା। ମାତ୍ର ଏବେ ଖୁଚୁରା ବେପାରୀମାନେ ମନଇଚ୍ଛା କିଲୋ ପିଛା ୧୦ ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ବିକ୍ରି କରୁଛନ୍ତି। ପାଇକାରୀ ଦର ଟଙ୍କାଏ ବଢ଼ିଲେ ଖୁଚୁରା ଦର ଦି’ ଟଙ୍କା ବଢ଼ିଯାଉଛି। ଯୋଗାଣ ବିଭାଗର ଆଡ଼ ନଜରର ଫାଇଦା ଉଠାଇ ଖୁଚୁରା ବେପାରୀମାନେ ଖାଉଟିମାନଙ୍କୁ ସିଧାସଳଖ ଶୋଷଣ କରୁଛନ୍ତି। ମାତ୍ର ଯୋଗାଣ ବିଭାଗ ଏ ଦିଗରେ ଆଦୌ ଧ୍ୟାନ ଦେଉନାହିଁ।

ଆଳୁ ଓ ପିଆଜର ଦର ବୃଦ୍ଧି ନେଇ ବ୍ୟବସାୟୀମହଲରୁ ୨ଟି କାରଣ ଜଣାପଡ଼ିଛି। ଆସାମ, ବିହାର ଓ ଉତ୍ତରପ୍ରଦେଶରେ ବନ୍ୟା ପାଇଁ ପଶ୍ଚିମବଙ୍ଗ ଆଳୁ ବଜାରର ଚାହିଦା ବୃଦ୍ଧି ପାଇଲା। ରିଲିଫ୍ ପାଇଁ ସରକାରଙ୍କଠାରୁ ଆରମ୍ଭ କରି ସ୍ବେଚ୍ଛାସେବୀ ସଂଗଠନମାନେ ଆଳୁ ପିଆଜ କିଣିଲେ। ତେଣୁ ଆପେ ଆପେ ଏହି ଦୁଇଟି ଜିନିଷର ଦାମ୍‌ ବଢ଼ିଗଲା। ସେହିଭଳି ଏବେ ଅମଳ ଋତୁ ହୋଇନଥିବାରୁ କେବଳ ଶୀତଳଭଣ୍ଡାରରେ ଗଚ୍ଛିତ ମାଲ୍‌ ଉପରେ ବର୍ଦ୍ଧିତ ଚାହିଦା ମାଡ଼ ପଡ଼ିଲା। ଫଳରେ ମାଲ୍‌ ମହଜୁଦ୍ କରି ରଖିଥିବା ବ୍ୟବସାୟୀମାନଙ୍କ ଫାଇଦା ପାଇଁ ଏହା ମଉକା ସୃଷ୍ଟି କଲା। ରାଜ୍ୟ ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡାଙ୍କ ସୂଚନାନୁସାରେ ଏହି ଦର ଆଉ ଅଧିକ ନ ବଢ଼ିଲେ ହେଁ ଅମଳ ଋତୁ ପର୍ଯ୍ୟନ୍ତ ଏହି ଦର ରହିବ। କମିବା ଆଶା ବେଶ୍‌ କ୍ଷୀଣ। ତେଣୁ ଶ୍ରୀ ପଣ୍ଡାଙ୍କ ଆକଳନ ଯଦି ସତ ହୁଏ, ତେବେ ଚଳିତ ବର୍ଷ ରାଜ୍ୟରେ ବନ୍ୟା ପ୍ରପୀଡ଼ିତମାନେ ଏହି ଦର ବୃଦ୍ଧି ପାଇଁ ଅଧିକ କଷଣ ଭୋଗିବେ। କରୋନା ପାଇଁ ରୋଜଗାର ହରାଇଥିବା ଲୋକେ ପରିବା ଦର ବୃଦ୍ଧି ପାଇଁ ବେଶି ହନ୍ତସନ୍ତ ହେବେ। ତେଣୁ ଅନ୍ୟ କିଛି ବିକଳ୍ପ ନଥିବାରୁ କେବଳ ଖୁଚୁରା ବଜାର ନିୟନ୍ତ୍ରଣ ଏବେ ଗୁରୁତ୍ବପୂର୍ଣ କଥା ହେବ। ମାତ୍ର ପୂର୍ବରୁ ସବୁବେଳେ ଏ ଦିଗରେ ବିଫଳ ହୋଇ ଆସିଥିବା ରାଜ୍ୟ ଯୋଗାଣ ବିଭାଗ ଏଥର କି ପଦକ୍ଷେପ ନେଉଛି, ତାହା ଦେଖିବା କଥା ବୋଲି ପାଇକାରୀ ବ୍ୟବସାୟୀମାନେ କହିଛନ୍ତି। ଏ ନେଇ ଖୋର୍ଦ୍ଧା ଯୋଗାଣ ବିଭାଗ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe