ପିଆଜ ଚାଷକୁ ବୀମା ନାହିଁ; ମୁହଁ ମୋଡୁଛନ୍ତି ବୌଦ୍ଧ ଚାଷୀ

Advertisment
ସରକାରଙ୍କୁ ପିଆଜ ଚିନ୍ତା: ୪୦% ରପ୍ତାନି ଶୁଳ୍କ ଲାଗିଲା

India TV

ବୌଦ୍ଧ : ରାଜ୍ୟରେ ଭଲ ପିଆଜ ଉତ୍ପାଦନକାରୀ ଜିଲ୍ଲା ତାଲିକାରେ ବୌଦ୍ଧର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ବଜାର ଚାହିଦା ଅନୁସାରେ ପ୍ରତିବର୍ଷ ହଜାର ହଜାର କ୍ବିଣ୍ଟାଲ ବୌଦ୍ଧ ପିଆଜ ଭୁବନେଶ୍ବରକୁ ପଠାଯାଉଛି। ଏହି ଲାଭକାରୀ ଚାଷ ପ୍ରତି ଜିଲ୍ଲାର ଚାଷୀଙ୍କୁ ଆକୃଷ୍ଟ କରିବା ଓ ସେମାନଙ୍କୁ ପିଆଜ ଚାଷ ପାଇଁ ସରକାରୀ ପ୍ରୋତ୍ସାହନ ଦିଆଯାଉଥିବା କୁହାଯାଉଛି। ମାତ୍ର ଏହି ଚାଷ ପାଇଁ ବୀମା ସୁବିଧା ନଥିବାରୁ କ୍ରମେ ଜିଲ୍ଲାର ଚାଷୀମାନେ ମୁହଁ‌ ମୋଡ଼ୁଥିବା ଜଣାଯାଇଛି।

ପିଆଜ ଚାଷୀଙ୍କ ସୁବିଧା ନିମନ୍ତେ ଗତ ୨୦୧୪ ମସିହାରେ ବୌଦ୍ଧ ଜିଲ୍ଲାର ପାଲଝରଠାରେ ରାଷ୍ଟ୍ରୀୟ ଉଦ୍ୟାନ କୃଷି ଗବେଷଣା ଏବଂ ଉନ୍ନୟନ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ପିଆଜ ଚାଷକୁ ଗୁରୁତ୍ବ ଦିଆଯାଇ ତାହାର ଗବେଷଣା କରାଯିବା ସହ ଚାଷୀଙ୍କୁ ସ୍ବତନ୍ତ୍ର ତାଲିମ ଦେବା ମୂଳ ଉଦ୍ଦେଶ୍ୟ ରହିଥିଲା। ମାତ୍ର ୬ବର୍ଷ ପରେ ମଧ୍ୟ ଜିଲ୍ଲାରେ ପିଆଜ ଚାଷ କ୍ଷେତ୍ରରେ ଯେତିକି ଉନ୍ନତି ଆଶା କରାଯାଉଥିଲା ତାହା ସାଧନ ହେଲା ନାହିଁ। ପିଆଜ ଏକ ଅର୍ଥକରୀ ଫସଲ। ପିଆଜ ଚାଷ କଲେ ଚାଷୀଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ। ମାତ୍ର ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ଅନ୍ୟ କାରଣରୁ ଫସଲ ନଷ୍ଟ ହେଲେ ଏଥିପାଇଁ କିନ୍ତୁ ସକରାରଙ୍କ ଫସଲ ବୀମା ସୁବିଧା ନାହିଁ। ସିଧାସଳଖ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିଥାଏ। ଗତ ୨୦୧୮ରେ ବୌଦ୍ଧ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ରିହାତି ବଦଳରେ ଯୋଗାଇ ଦିଆଯାଇଥିବା ପିଆଜ ବିହନ ନିମ୍ନମାନର ହୋଇଥିବାରୁ ଗଜା ହୋଇନଥିଲା। ଅନେକ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିଥିଲା।

publive-image photo by : jansatta.com

ପିଆଜର ଉତ୍ପାଦନ ଲାଗି ପ୍ରାୟ ୬ରୁ୭ ମାସ ଲାଗିଥାଏ। ଏହି ସମୟ ମଧ୍ୟରେ ଅନ୍ୟ ପରିବା କଲେ ଦୁଇଟି ଅମଳରେ ଚାଷୀ ଅଧିକ ଲାଭ ପାଉଛନ୍ତି। ଫଳରେ ସେମାନେ ପିଆଜ ଚାଷରୁ ମୁହଁ ମୋଡୁଥିବା ଦେଖାଯାଉଛି। ଉତ୍ପାଦିତ ପିଆଜର ସଂରକ୍ଷଣ ପାଇଁ ଚାଷୀଙ୍କୁ ପିଆଜ ଘର ନିର୍ମାଣ କରିବାକୁ ଉଦ୍ୟନ କୃଷି ବିଭାଗରୁ କୁହାଯାଉଛି। ଗୋଟେ ପିଆଜ ଘରରେ ପ୍ରାୟ ୧ ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ। ଜାତୀୟ ଉଦ୍ୟାନ କୃଷି ମିସନ ଜରିଆରେ ପିଆଜ ଘର ପାଇଁ ୫୦ ପ୍ରତିଶତ ରିହାତି ଦିଆଯାଉଛି। ମାତ୍ର ପ୍ରକୃତ ପିଆଜ ଚାଷୀ ଏହି ଯୋଜନାରୁ ଆଦୌ ଲାଭ ପାଇ ପାରୁ ନାହାନ୍ତି।

ବିଭାଗର ସୂଚନା ଅନୁସାରେ ଗତ ୨୦୧୮ରେ ଜିଲ୍ଲାରେ ମୋଟ୍‌ ୧୧୩ଟି ପିଆଜ ଘର ଥିଲା। ୨୦୧୯ରେ ୭୫ଟି ପିଆଜ ଘର ଯୋଗାଇ ଦିଆଗଲା। ମାତ୍ର ତୃଣମୂଳ ସ୍ତରରୁ ହସ୍ତଗତ ରିପୋର୍ଟ କହୁଛି ପିଆଜ ଘରରେ ଏବେ କୁକୁଡା ନହେଲେ ଜାଳେଣି କାଠ ରଖାଯାଉଛି। ପ୍ରତି ବର୍ଷ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକ୍‌ରେ ପ୍ରତି ବ୍ଲକ୍‌କୁ ଶହେ ହେକ୍ଟରେ ଜମି ହିସାବରେ ଚାଷ କରାଯାଉଥିବା ବେଳେ ସେହି ଅନୁସାରେ ପିଆଜ ଚାଷୀଙ୍କୁ ପ୍ରୋତ୍ସାହନ ମିଳୁ ନଥିବା ଅଭିଯୋଗ ହେଉଛି। ପିଆଜ ବିହନର ମାର୍କେଟ ଦର ୯ଶହ ଟଙ୍କା ରହିଥିବା ବେଳେ ଚାଷୀଙ୍କୁ ରିହାତିରେ କେଜି ପ୍ରତି ୨୫୦ଟଙ୍କାରେ ଯୋଗାଇ ଦିଆଯାଉଥିବା କୁହାଯାଉଛି। ତେବେ ପାଲଝର ଉଦ୍ୟାନ କୃଷି ଗବେଷଣା କେନ୍ଦ୍ରରେ କରାଯାଇଥିବା ପିଆଜ ଚାରାକୁ ଚାଷୀଙ୍କୁ ମାତ୍ର ୫୦ଟଙ୍କାରେ ଯୋଗାଇ ଦିଆଯାଉଥିଲେ ମଧ୍ୟ ସେଥିପ୍ରତି ଜିଲ୍ଲାର ପିଆଜ ଚାଷୀ ଅଗ୍ରହ ପ୍ରକାଶ କରୁ ନଥିବା ଦେଖାଯାଉଛି। ପ୍ରାୟ ୫୦ଏକର ଜମିରେ ପିଆଜ ଓ ଆଳୁ ଚାରା ରୋପଣ ହୋଇଥିଲେ ମଧ୍ୟ ତାହା ଚାଷୀଙ୍କ କୌଣସି କାମରେ ଆସୁ ନାହିଁ। ଯେଉଁ ପିଆଜ ଚାଷରେ ବୌଦ୍ଧର ନା ରହିଥିଲା ତାହା ବର୍ତ୍ତମାନ ହଜିଯାଉଥିବା ପରିଲକ୍ଷିତ ହେଉଛି। ଧାନ ଭଳି ପିଆଜର ମଧ୍ୟ ଫସଲ ବୀମା କରାଯାଇ ପାରିଲେ ହୁଏତ ପିଆଜ ଚାଷୀ ଏହି ଲାଭକାରୀ ଚାଷ ପ୍ରତି ଆକୃଷ୍ଟ ହେବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe