ପିଆଜର ଦର ବୃଦ୍ଧି ପ୍ରସଙ୍ଗ : କେନ୍ଦ୍ର ସରକାରଙ୍କ ଭୁଲ ପାଇଁ ଖାଉଟି ହନ୍ତସନ୍ତ: ଯୋଗାଣ ମନ୍ତ୍ରୀ

Advertisment

ଆହୁରି ବଢ଼ିବ ୨ ମାସ

ଆହୁରି ବଢ଼ିବ ୨ ମାସ

ପିଆଜର ଦର ବୃଦ୍ଧି ପ୍ରସଙ୍ଗ : କେନ୍ଦ୍ର ସରକାରଙ୍କ ଭୁଲ ପାଇଁ ଖାଉଟି ହନ୍ତସନ୍ତ: ଯୋଗାଣ ମନ୍ତ୍ରୀ

alibaba.com

ଭୁବନେଶ୍ୱର : କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଉଚ୍ଛେଦ କଲେ। ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଆଉ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିନାହିଁ। କେନ୍ଦ୍ର ଭୁଲ ପାଇଁ ଆଜି ବଜାରରେ ପିଆଜ ଦର ହୁ ହୁ ହୋଇ ବଢ଼ୁଛି। ଆଳୁ ଦର ବି ବଢ଼ିଲାଣି। ପିଆଜ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଏପରି ସିଧା ସିଧା କାଠଗଡ଼ାରେ ଠିଆ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। କହିଛନ୍ତି, ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ନିତ୍ୟ ବ୍ୟବହାର ହେଉଥିବା ଆଳୁ, ପିଆଜ, ଡାଲି ଓ ତେଲର ଯୋଗାଣ ଓ ଦର ନିୟନ୍ତ୍ରଣ କ୍ଷମତା ରାଜ୍ୟ କ୍ଷମତା ପରିସର ଭୁକ୍ତ ରହିବା କଥା। କିନ୍ତୁ ସାରା ଦେଶରୁ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଉଚ୍ଛେଦ ଯୋଗୁଁ ଏସବୁ ସାମଗ୍ରୀ ଦର ବଢ଼ିବାରେ ଲାଗିଛି। ଆସନ୍ତା ୨ ମାସ ପର୍ଯ୍ୟନ୍ତ ଆହୁରି ବଢ଼ିବ। ଏବେ ପରିସ୍ଥିତି ଏପରି ହେଲାଣି ଯେ, କେନ୍ଦ୍ର ସରକାର ଚାହିଁଲେ ବି ନିୟନ୍ତ୍ରଣ କରିପାରିବେ ନାହିଁ।

ମନ୍ତ୍ରୀ ଆହୁରି କହିଛନ୍ତି, ଦିଲ୍ଲୀ ଓ କେରଳରେ ଯେତିକି ଦରରେ ପିଆଜ ଓ ଆଳୁ ମିଳୁଛି ସେସବୁ ରାଜ୍ୟ ତୁଳନାରେ ଓଡ଼ିଶାରେ ଦର କମ୍‌ ରହିଛି। ମହଜୁଦକାରୀଙ୍କ ଗୋଦାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ଘନ ଘନ ଚଢ଼ଉ କରାଯାଉଛି। କଳାବଜାରୀ ରୋକିବାକୁ ଯୋଗାଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଅସାଧୁ ଉପାୟରେ ଲାଭଖୋର ହୋଇ ଅତ୍ୟଧିକ ଦରରେ ପିଆଜ ବିକ୍ରି କରିବେ, ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe