୮୫କୁ ଖସିଲା ପିଆଜ, ନୂଆବର୍ଷ ସୁଦ୍ଧା ସ୍ୱାଭାବିକ ସ୍ଥିତି!

Advertisment
୮୫କୁ ଖସିଲା ପିଆଜ, ନୂଆବର୍ଷ ସୁଦ୍ଧା ସ୍ୱାଭାବିକ ସ୍ଥିତି!

ଭୁବନେଶ୍ବର : ୮୫ ଟଙ୍କାକୁ ଖସିଆସିଛି ପିଆଜ ଦର। ଗତ ୪ ଦିନ ଭିତରେ କ୍ରମାଗତଭାବେ ଦର ହ୍ରାସ ପାଉଛି। ମାନ ଅନୁସାରେ କିଛି ପିଆଜ ମଧ୍ୟ ୮୦ ଟଙ୍କା ଦରରେ ବଜାରରେ ଉପଲବ୍‌ଧ ହେଉଛି। ୪ ଦିନ ଭିତରେ ଘଟିଥିବା ଏହି ୫୦ ଟଙ୍କା ହ୍ରାସ ଖାଉଟିଙ୍କ ମନରେ ଆଶ୍ବସ୍ତି ଆଣି ଦେଇଛି। ଆଗକୁ ପିଆଜ ଦର ଆହୁରି କମିବ ବୋଲି ଲୋକଙ୍କ ମନରେ ବିଶ୍ବାସ ସୃଷ୍ଟି ହୋଇଛି। ବ୍ୟବସାୟୀ ମହଲରୁ ଜଣାପଡ଼ିଥିବା ସୂଚନାନୁସାରେ ନୂଆବର୍ଷ ସୁଦ୍ଧା ପିଆଜ ଦର ସ୍ବାଭାବିକ ସ୍ଥିତିକୁ ଫେରିବା ସମ୍ଭାବନା ମଧ୍ୟ ରହିଛି।

ଆଜି ରାଜଧାନୀର କୁବେରପୁରୀରୁ ମିଳିଥିବା ସୂଚନାନୁସାରେ ଆନ୍ଧ୍ରପ୍ରଦେଶ ଓ କର୍ଣାଟକରୁ ଆସୁଥିବା ନୂଆ ପିଆଜ ଦର(ପାଇକାରୀ) ୬୦ରୁ ୭୫ ଟଙ୍କା ମଧ୍ୟରେ ରହିଛି। ଆକାର ଓ ମାନକୁ ନେଇ ପାଇକାରୀ ଦର ମଧ୍ୟରେ ଏଭଳି ପ୍ରଭେଦ ରହିଛି। ତେବେ ମହାରାଷ୍ଟ୍ର ନାସିକ୍‌ ପିଆଜ ଦର ପୂର୍ବଭଳି ୧୦୦ ଟଙ୍କା ଉପରେ ରହିଛି। କୁବେରପୁରୀରେ ପାଇକାରୀ ଦର ହ୍ରାସ କାରଣରୁ ଆଜି କ୍ୟାପିଟାଲ ହାଟରେ ପିଆଜ ଖୁଚୁରା ଦର କିଲୋ ପିଛା ୮୦/୮୫ ଟଙ୍କା ରହିଛି। ରାଜଧାନୀର ଅନ୍ୟ ସବୁ ହାଟରେ ମଧ୍ୟ ଅନୁରୂପ ଦର ରହିଛି। ତେବେ କିଛି ଗ୍ରାମୀଣ ହାଟରେ ପିଆଜ କିଲୋ ୯୦ ଟଙ୍କାରେ ବିକ୍ରି ହେଉଥିବା ଜଣାପଡ଼ିଛି। ନଭେମ୍ବର ଶେଷ ସପ୍ତାହରୁ ଚଳିତ ମାସ ପ୍ରଥମ ସପ୍ତାହରେ ନୂଆ ପିଆଜର ପାଇକାରୀ ଦର କିଲୋ ପିଛା ୧୦୦ ଟଙ୍କାକୁ ଟପି ଯାଇଥିବାବେଳେ ନାସିକ୍ ପୁରୁଣା ପିଆଜ କିଲୋ ୧୨୦/୧୩୦ ଟଙ୍କାରେ ପହଞ୍ଚିଥିଲା। ତେଣୁ ଖୁଚୁରା ବଜାରରେ ନୂଆ ପିଆଜ କିଲୋ ୧୨୦/୧୩୦ ଟଙ୍କା ହୋଇଥିବାବେଳେ ନାସିକ୍ ପିଆଜ ୧୫୦ ଟଙ୍କା ଡେଇଁଥିଲା। ତେଣୁ ଏବେ ଉଭୟ ପିଆଜ ଦର କିଲୋ ପିଛା ୪୦/୫୦ ଟଙ୍କା ହ୍ରାସ ପାଇଛି। ତେବେ ଦର ହ୍ରାସ ସତ୍ତ୍ବେ ଆମଦାନି ବଢ଼ିନଥିବା କହିଛନ୍ତି ବ୍ୟବସାୟୀମାନେ। ଆଜି କୁବେରପୁରୀକୁ ମାତ୍ର ୫ଟି ଟ୍ରକ୍‌ ପିଆଜ (ପ୍ରାୟ ୧୦୦ ଟନ୍‌) ଆସିଛି। ପ୍ରାୟ ୩୦୦ ଟନ୍‌ରୁ ଅଧିକ ଚାହିଦା ଥିବା ବଜାରକୁ ମାତ୍ର ୧୦୦ ଟନ୍‌ ମାଲ୍‌ ଆସିଛି। ସେମାନଙ୍କ ମତାନୁସାରେ ଖାଉଟି ବଜାରରେ ଚାହିଦା ହ୍ରାସ ଆମଦାନି ହ୍ରାସର କାରଣ।

publive-image

ପିଆଜ ଦର ହ୍ରାସ ପଛରେ ଦୁଇଟି କାରଣ ଥିବା କୁହାଯାଉଛି। ପ୍ରଥମତଃ ଭାରତ ବଜାରରେ ଇଜିପ୍ଟ ପିଆଜର ପ୍ରବେଶ। ଏହି ପିଆଜ ଏବେ ଆନ୍ଧ୍ରପ୍ରଦେଶ, କର୍ଣାଟକ ଓ ମହାରାଷ୍ଟ୍ର ମଣ୍ଡିରେ ପାଇକାରୀ ଦର କିଲୋ ପିଛା ୬୦/୭୦ ଟଙ୍କାରେ ବିକ୍ରି ହେଉଛି। ମହାରାଷ୍ଟ୍ରର କିଛି ଚାଷୀ ଏବେ ବର୍ଦ୍ଧିତ ଦରକୁ ଦୃଷ୍ଟିରେ ରଖି ପ୍ରାକ୍ ଅମଳ କରିବାରେ ଲାଗି ପଡ଼ିଛନ୍ତି। ସମାନ କଥା ମଧ୍ୟ କର୍ଣାଟକରେ ଦେଖିବାକୁ ମିଳିଲାଣି। ତେଣୁ ଗତ ଦୁଇ ଦିନ ହେଲା ଅମଳକାରୀ ରାଜ୍ୟମାନଙ୍କ ସରକାରୀ ମଣ୍ଡିରେ ପିଆଜ କିଲୋ ପାଖାପାଖି ୫୦/୫୫ ଟଙ୍କାକୁ ଖସି ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe