ପିଆଜ ମଞ୍ଜି ଗଜା ନ ହେବା ଘଟଣା: ବିଭାଗୀୟ ତନାଘନା ଜାରି

Advertisment

କ୍ଷୟକ୍ଷତି ଆକଳନ ପାଇଁ ସମସ୍ତ ଉପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ, ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ସ୍ଥିତି ସମୀକ୍ଷା

କ୍ଷୟକ୍ଷତି ଆକଳନ ପାଇଁ ସମସ୍ତ ଉପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ, ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ସ୍ଥିତି ସମୀକ୍ଷା

ପିଆଜ ମଞ୍ଜି ଗଜା ନ ହେବା ଘଟଣା: ବିଭାଗୀୟ ତନାଘନା ଜାରି

ଭୁବନେଶ୍ୱର : ପିଆଜ ମଞ୍ଜିରୁ ଗଜା ନ ହେବା ଘଟଣାରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପ୍ରତି ଜିଲ୍ଲାରେ ଚାଷୀଙ୍କୁ କେତେ ପରିମାଣର ମଞ୍ଜି ଯୋଗାଣ କରାଯାଇଥିଲା ଏବଂ ସେଥିରୁ କେତେ ମାତ୍ରାରେ ଗଜା ହୋଇଛି ଏବଂ କେତେ ଗଜା ହୋଇନି ତାହାର ରିପୋର୍ଟ ପ୍ରସ୍ତୁତ କରି ତୁରନ୍ତ ଜାତୀୟ ବିହନ ନିଗମକୁ ଅବଗତ କରାଇବାକୁ ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉପ ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ (ନଂ୯୭୧୬/୨୦/୦୯/୨୦୧୮) ଦିଆଯାଇଛି। ସେହିଭଳି ଗତକାଲି ଭିଡ଼ିଓ କନ୍‌ଫରେନ୍‌ସିଂ ଜରିଆର ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ଡ. ବିଜୟ କେତନ ଉପାଧ୍ୟାୟ ଏ ନେଇ ରାଜ୍ୟର ସମସ୍ତ ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକମାନଙ୍କ ସହ ଆଲୋଚନା କରିଛନ୍ତି। ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାରେ ଯେପରି ବିଳମ୍ବ ନ ହୁଏ ସେଥିନେଇ ଧ୍ୟାନ ଦେବାକୁ ସମସ୍ତ ଉପ ନିର୍ଦ୍ଦେଶକମାନଙ୍କୁ ରାଜ୍ୟ ଉଦ୍ୟାନକୃଷି ନିର୍ଦ୍ଦେଶକ କଡ଼ା ତାଗିଦ କରିଛନ୍ତି।

ସୂଚନାଯୋଗ୍ୟ, ଜାତୀୟ ବିହନ ନିଗମ ପକ୍ଷରୁ ଚଳିତ ୨୦୧୮-୧୯ ଖରିଫ ଋତୁ ପାଇଁ ରାଜ୍ୟର ଚାଷୀମାନଙ୍କୁ ପିଆଜ ମଞ୍ଜି ଯୋଗାଇ ଦିଆଯାଇଥିଲା। ମାତ୍ର ତାହା ଗଜା ହୋଇ ନଥିଲା। ରାଜ୍ୟ ସରକାରଙ୍କ ଉଦ୍ୟାନକୃଷି ବିଭାଗର ଆବଶ୍ୟକତା ଅନୁସାରେ ଜାତୀୟ ବିହନ ନିଗମ ଚଳିତବର୍ଷ ଅଗଷ୍ଟ ମାସରେ ପିଆଜ ମଞ୍ଜି ଯୋଗେଇ ଦେଇଥିଲା। ପିଆଜ ମଞ୍ଜିରୁ କାହିଁକି ଗଜା ହେଲାନି, ଏହାର ତଦନ୍ତ ନେଇ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ କରାଯିବାକୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ଅପରପକ୍ଷେ, ଗଜା ହୋଇ ନଥିବା ପିଆଜ ମଞ୍ଜିର ପୁନଃ ପରୀକ୍ଷଣ ପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଜାତୀୟ ବିହନ ନିଗମକୁ ଅନୁରୋଧ କରିଛନ୍ତି। ମାତ୍ର ପୁନଃ ପରୀକ୍ଷଣ କରି ଏହାର ରିପୋର୍ଟ ଜାଣି ଚାଷୀଙ୍କୁ ପୁନର୍ବାର ପିଆଜ ମଞ୍ଜି ଯୋଗାଇ ଦେବା ଆଉ ସମ୍ଭବପର ନୁହେଁ କି ଚାଷୀଙ୍କ ହାତରେ ସମୟ ବି ନାହିଁ। ଏଣୁ ଚାଷୀଙ୍କୁ କିଭଳି କ୍ଷତିପୂରଣ ଯୋଗାଇ ଦିଆଯାଇପାରିବ ତାହା ବର୍ତ୍ତମାନର ପ୍ରାଥମିକତା ବୋଲି ଉଦ୍ୟାନକୃଷି ନିର୍ଦ୍ଦେଶକ ଡ. ଉପାଧ୍ୟାୟ ସୂଚନା ଦେଇଛନ୍ତି। ଅପରପକ୍ଷେ, ମଞ୍ଜି ଯୋଗାଣକାରୀ ସଂସ୍ଥାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଦ୍ୟାନକୃଷି ନିର୍ଦ୍ଦେଶକ ଜାତୀୟ ବିହନ ନିଗମକୁ ପୁନଃସ୍ମରଣ କରାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe