ସରକାରୀ ବିଦ୍ୟାଳୟର ଭିତ୍ତିଭୂମି ଏମିତି : ଅନ୍‌ଲାଇନ ପାଠପଢ଼ା ବ୍ୟବସ୍ଥା ନାହିଁ

Advertisment

୫ ହଜାର ହାଇସ୍କୁଲ କମ୍ପୁଟର ଲ୍ୟାବ୍‌ରେ ତାଲା, ପଦକ୍ଷେପ ନିଆଯାଉଛି: ଗଣଶିକ୍ଷା ମନ୍ତ୍ରୀ

୫ ହଜାର ହାଇସ୍କୁଲ କମ୍ପୁଟର ଲ୍ୟାବ୍‌ରେ ତାଲା, ପଦକ୍ଷେପ ନିଆଯାଉଛି: ଗଣଶିକ୍ଷା ମନ୍ତ୍ରୀ

ଶିକ୍ଷା ସଂଯୋଗର ସାଧନକର୍ମୀଙ୍କୁ ସମ୍ବର୍ଦ୍ଧନା

Virtual Vocations

ଭୁବନେଶ୍ୱର : ଅନ୍‌ଲାଇନରେ ପ‌ଢ଼ିବେ ପିଲା। ସେମାନଙ୍କୁ ସ୍କୁଲକୁ ଆସିବାକୁ ପଡ଼ିବନି। ଘରେ ରହି ବି ପଢ଼ିପାରିବେ। ଆଜକୁ ପ୍ରାୟ ୬ ବର୍ଷ ତଳେ ରାଜ୍ୟ ସରକାର ଏଭଳି ଏକ ନିଷ୍ପତ୍ତି ନେଇଥିଲେ। ଲକ୍ଷ୍ୟ ଥିଲା ଅତ୍ୟାଧୁନିକ ଜ୍ଞାନ କୌଶଳ ସହ ପିଲାଙ୍କୁ ଯୋଡ଼ିବା ଏବଂ ସ୍କୁଲସ୍ତରରୁ ସେମାନଙ୍କୁ କମ୍ପୁଟର ବିଷୟରେ ଶିକ୍ଷା ଦେବା। ଫଳରେ ସେମାନେ କଲେଜକୁ ଯିବାବେଳକୁ ବହୁତ କିଛି ଶିଖିଥିବେ। ଏହାକୁ ଲକ୍ଷ୍ୟରେ ରଖି ରାଜ୍ୟର ପାଖାପାଖି ୫ ହଜାର ବିଦ୍ୟାଳୟରେ କମ୍ପୁଟର ଲ୍ୟାବ ପ୍ରତିଷ୍ଠା କରାଯାଇ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରାଯାଇଥିଲା। ତେବେ ତାହା କାର୍ଯ୍ୟ କରୁନି। ଶିକ୍ଷକଙ୍କୁ ତ ଛଟେଇ କରାଯାଇଛି, ବିଦ୍ୟାଳୟରେ ଲାଗିଥିବା କମ୍ପୁଟର ରୁମରେ ତାଲା ପଡ଼ିଛି। କମ୍ପ୍ୟୁଟର ପାଠପଢ଼ା ହେଉନି। ଦୀର୍ଘ ବର୍ଷ ହେଲା ଏଭଳି ପରିସ୍ଥିତି ଉପୁଜିଥିବା ବେଳେ ଆଜି କରୋନା ଲାଗି ସାରା ଦେଶ ଲକ୍‌ ଡାଉନ୍‌ ସମୟରେ ସେହି ଲ୍ୟାବ୍‌ କଥା ମନକୁ ଆସୁଛି। ଯଦି ଉକ୍ତ କମ୍ପୁଟର ଲ୍ୟାବ୍‌ ଠିକ ଥାନ୍ତା, ଶିକ୍ଷକଙ୍କ ଦ୍ଵାରା ତାହା ଚାଲୁଥାନ୍ତା ତେବେ ସରକାରୀ ପିଲାଙ୍କୁ ହଇରାଣ ହେବାକୁ ପଡ଼ିନଥାନ୍ତା। ସ୍କୁଲ ବନ୍ଦ ଥିଲେ ମଧ୍ୟ ସେମାନେ ଘରେ ରହି ଅନ୍‌ଲାଇନରେ ଶିକ୍ଷକଙ୍କ ପଢ଼ା ବୁଝିପାରିଥାନ୍ତେ।

ସବୁଠାରୁ ବଡ଼ କଥା ହେଉଛି ଯେ, ବିଶ୍ୱରେ ବୈଷୟିକ ଜ୍ଞାନ କୌଶଳ ଏତେ ବିକାଶ କରିଥିଲେ ମଧ୍ୟ ଆଜି ଯାଏ ରାଜ୍ୟର ଗୋଟିଏ ବି ଉଚ୍ଚ ବିଦ୍ୟାଳୟରେ ଅନ୍‌ଲାଇନ ପାଠପଢ଼ା ସୁବିଧା ହୋଇପାରିନି। ଯେତେବେଳେ କି ସିବିଏସଇ ଅଧୀନ ଅନେକ ସରକାରୀ ଓ ଘରୋଇ ବିଦ୍ୟାଳୟରେ ଅନ୍‌ଲାଇନ ପାଠପଢ଼ା ସୁବିଧା ଉପଲବ୍ଧ ହେଉଛି। ସ୍କୁଲ ଖୋଲା ନ ଥିଲେ ମଧ୍ୟ ଶିକ୍ଷକମାନେ ଘରେ ରହିଥିବା ପିଲାଙ୍କୁ ଅନ୍‌ଲାଇନରେ ପଢ଼ାଉଛନ୍ତି। ପିଲାଙ୍କ ଦ୍ଵନ୍ଦ୍ବ ଦୂର କରୁଛନ୍ତି। ବିଭିନ୍ନ ଟିପ୍ପ ମଧ୍ୟ ଦେଉଛନ୍ତି।

ଓଡ଼ିଶାରେ ପାଖାପାଖି ୫୨ ହଜାର ବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ୭ ହଜାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ରହିଛି। ଯେଉଁଠାରେ ୯ମ ଓ ଦଶମ ଛାତ୍ରଛାତ୍ରୀ ପଢୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଉକ୍ତ ବିଦ୍ୟାଳୟଗୁଡିକରେ ଅନ୍‌ଲାଇନ ପାଠପଢ଼ା ସୁବିଧା ହୋଇପାରିନି। ପ୍ରତି ବ୍ଲକରେ ଗୋଟିଏ ଲେଖାଏ ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲ କରିବାକୁ ରାଜ୍ୟ ସରକାର ଏବେ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରାରମ୍ଭିକ କାର୍ଯ୍ୟ ବି ଆରମ୍ଭ ହୋଇଯାଇଥିବା ଜଣାପଡିଛି। ତେବେ ତାହା କେବେ ଫଳପ୍ରଦ ହେବ ତାହା ଦେଖିବାକୁ ବାକି ରହିଲା।

ଅନ୍ୟପକ୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ) କଥା ଯଦି ବିଚାରକୁ ନିଆଯାଏ ତେବେ ଏଠାରେ ବି ସମାନ ଅବସ୍ଥା। ଅନ୍‌ଲାଇନ ପାଠପଢ଼ା ପାଇଁ କ୍ୟାମ୍ପସରେ କମ୍ପୁଟର ବ୍ୟବସ୍ଥା କରାଯିବା ତ ଦୂରେ ଥାଉ, ଆଜି ଯାଏ ଲବରେଟୋରି ଠିକ ନାହିଁ। ଯେଉଁ କେତେକ କଲେଜରେ କମ୍ପୁଟର ରହିଛି ସେଠାରେ ସେପରି ବ୍ୟବସ୍ଥା କରାଯାଇନି ଯେ ପିଲାମାନେ ଅନ୍‌ଲାଇନରେ ଘରେ ବସି ପଢ଼ିପାରିବେ। କରୋନା ଭଳି ଏକ ବିପର୍ଯ୍ୟୟ ସମୟରେ ଯୁକ୍ତ୨ ପରୀକ୍ଷା ଅଧାରୁ ବାତିଲ ହୋଇଛି। ପିଲାମାନେ କ’ଣ କରିବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ପରୀକ୍ଷା କେବେ ହେବ? ଫଳ କେବେ ବାହାରିବ? ଜେଇଇ ମେନ, ନିଟ୍‌ ଆଦି ପ୍ରବେଶିକା ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ପିଲାମାନେ କ’ଣ କରିବେ ଏବେ ଦ୍ଵନ୍ଦ୍ବରେ ପଡ଼ିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ, ପିଲାମାନଙ୍କ ପାଠପଢ଼ା ନେଇ ସରକାର ଅଧିକ ସଚେତନ ରହିଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି। ସ୍ଥିତିରେ ସୁଧାର ଆସିଲେ ବାକିଥିବା ଯୁକ୍ତ୨ ପରୀକ୍ଷା କରାଯାଇ ମୂଲ୍ୟାୟନ କରାଯିବ। ଅନ୍‌ଲାଇନ ପାଠପଢ଼ା ନେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ଏପର୍ଯ୍ୟନ୍ତ ସରକାରୀ ସ୍କୁଲରେ ସେଭଳି ଭିତ୍ତିଭୂମି ହୋଇପାରିନି। କରୋନା ଭଳି ସ୍ଥିତି ସୃଷ୍ଟି ହେବା ପରେ ଭବିଷ୍ୟତକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ। ପିଲାମାନେ ଯେମିତି ଘରେ ରହି ପଢ଼ିପାରିବେ ସେଥିପାଇଁ ଅନ୍‌ଲାଇନ ପାଠ୍ୟକ୍ରମ ପ୍ରସ୍ତୃତ ହେବ। ଏଦିଗରେ କିଛି ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe