OnlineGame Photograph: (sambad.in )
ଗରଦପୁର: ଅନ୍ଲାଇନ୍ ଗେମ୍ ନିଶାରେ ପଡ଼ି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ତଥା କୁଦାନଗରୀ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ପହଣା ଗ୍ରାମର ଅଭିରାମ ଦାଶଙ୍କ ପୁଅ ସୂର୍ଯ୍ୟକାନ୍ତ ଦାଶ (୩୮) ଜୀବନ ହାରିଛନ୍ତି। ବିଏସ୍ଏଫ୍ରେ କାର୍ଯ୍ୟରତ ସୂର୍ଯ୍ୟକାନ୍ତ ଅନ୍ଲାଇନ୍ ଜୁଆଖେଳରେ ପ୍ରାୟ ୬୫ ଲକ୍ଷ ଟଙ୍କା ହରାଇବା ସହ ଧାରକରଜରେ ବୁଡ଼ି ଯାଇଥିଲେ। କରଜ ସୁଝିବା ଚିନ୍ତାରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ସୂଚନା ମୁତାବକ, ବିଏସ୍ଏଫ୍ ଯବାନ ଭାବେ କୋଲକାତାରେ କାର୍ଯ୍ୟରତ ସୂର୍ଯ୍ୟକାନ୍ତ ଦୁଇବର୍ଷ ଧରି ଅନବରତ ଅନଲାଇନ୍ ଗେମ୍ ଖେଳୁଥିଲେ। ଦରମା ଅର୍ଥ ଅନ୍ଲାଇନ୍ ଗେମ୍ରେ ଲଗାଇବା ସହ ବାପା, ଭାଇ, ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କ ଠାରୁ ସେ ଧାରକରଜ କରିଥିଲେ। ଅନ୍ଲାଇନ୍ ଗେମ୍ ନ ଖେଳିବା ପାଇଁ ପତ୍ନୀ ଓ ପରିବାରବର୍ଗ ବୁଝାଉଥିଲେ ବି ସେ ମାନି ନ ଥିଲେ। ନିକଟରେ ସେ ଅନ୍ଲାଇନ୍ ଜୁଆରେ ପ୍ରାୟ ୬୫ ଲକ୍ଷ ଟଙ୍କା ହାରି ଯାଇଥିଲେ। ପୂର୍ବରୁ ପରିବାରବର୍ଗ ଲକ୍ଷାଧିକ ଟଙ୍କା ଦେଇଥିଲା ବେଳେ ଆଉ ଅର୍ଥ ଦେଇପାରି ନ ଥିଲେ।
ଏଥି ଯୋଗୁଁ ବିଏସ୍ଏଫ୍ କ୍ୟାମ୍ପରେ ସେ ବିଚଳିତ ଅବସ୍ଥାରେ ରହୁଥିଲେ। ଗତ ଶନିବାର ସୂର୍ଯ୍ୟକାନ୍ତ ନିଜ ହାତ କାଟି ଭିଡିଓ କଲ୍ରେ ପରିବାର ଲୋକଙ୍କୁ ଦେଖାଇଥିଲେ। ରବିବାର ଦିନ ବାପା ଓ ପତ୍ନୀ ତାଙ୍କ ନିକଟରେ ପହଞ୍ଚି ଏ ନେଇ ଆଲୋଚନା କରିଥିଲେ। ଏହାସତ୍ତ୍ବେ ଅବସାଦ ଅବସ୍ଥାରେ
ଥିବା ସୂର୍ଯ୍ୟକାନ୍ତ ଗୋଟିଏ ଘରେ କବାଟ ବନ୍ଦ କରି ଦଉଡ଼ିରେ ଝୁଲି ଯାଇଥିବା ଜଣାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବିଏସ୍ଏଫ୍ କ୍ୟାମ୍ପ ମେଡିକାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋମବାର ଶବ ବ୍ୟବଚ୍ଛେଦ ପରେ ଆଜି ଗ୍ରାମକୁ ଅଣାଯାଇ ଚିତ୍ରୋତ୍ପଳା ନଦୀତଟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ସୂର୍ଯ୍ୟକାନ୍ତଙ୍କର ଏକ ୮ ବର୍ଷର ଝିଅ ଅଛି। ସୂଚନାଯୋଗ୍ୟ ଯେ ଦୁଇ ସପ୍ତାହ ତଳେ ଗରଦପୁର ବ୍ଲକ୍ ତଳକୁସୁମା ପଞ୍ଚାୟତ ବଙ୍ଗାରୀ ଗ୍ରାମର ଜଣେ ଇଞ୍ଜିନିୟରିଂ ଛାତ୍ର ଅନ୍ଲାଇନ୍ ଗେମ୍ରେ ହାରି ଜୀବନ ହାରିଥିଲେ।
Follow Us