ଆଦର୍ଶ ଶିକ୍ଷକ ପବିତ୍ର ମୋହନଙ୍କ ଅଭିନବ ଉପାୟ : ଲକଡାଉନରେ ଆରମ୍ଭ କଲେ ଅନଲାଇନ ଶିକ୍ଷକତା

Advertisment
ଆଦର୍ଶ ଶିକ୍ଷକ ପବିତ୍ର ମୋହନଙ୍କ ଅଭିନବ ଉପାୟ : ଲକଡାଉନରେ ଆରମ୍ଭ କଲେ ଅନଲାଇନ ଶିକ୍ଷକତା

ଜୟପୁର : ମହାମାରୀ କରୋନାକୁ ମୁକାବିଲ ପାଇଁ ଆସନ୍ତା ଜୁନ ୧୭ ଯାଏ ସବୁ ସ୍କୁଲ ଓ କଲେଜକୁ ବନ୍ଦ ରଖିଛନ୍ତି ରାଜ୍ୟ ସରକାର। ଏବେ ସ୍କୁଲ ଛାଡି ଶିକ୍ଷକ ଓ ଛାତ୍ରଛାତ୍ରୀ ଘରେ ରହିଛନ୍ତି। କିଛି ଶ୍ରେଣୀର ଛାତ୍ରଛାତ୍ରୀଙ୍କର ବାର୍ଷିକ ପରୀକ୍ଷା ହୋଇଥିବାବେଳେ କିଛି ଶ୍ରେଣୀଙ୍କର ପରୀକ୍ଷା ନ ହୋଇଥିଲେ ବି ପାସ ବୋଲି କହିଛନ୍ତି ସରକାର। ଏହି ପରିପ୍ରେକ୍ଷୀରେ କୋରାପୁଟ ପରି ମାଓ ପ୍ରଭାବିତ ଜିଲ୍ଲାରେ ଉନ୍ନତ ଶିକ୍ଷା ପ୍ରଣାଳୀ ଓ ବାସ୍ତବଧର୍ମୀ ଶୈକ୍ଷିକକ୍ରିୟା ପାଇଁ ଅଣ୍ଟା ଭିଡିଛନ୍ତି କୋରାପୁଟର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ପବିତ୍ର ମୋହନ ଦାଶ। ସେ ଏବେ ବୋରିଗୁମ୍ମା ବ୍ଲକ ଖଟଲୁଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ରହିଥିବାବେଳେ ୟୁଟ୍ୟୁବରେ ପାଠପଢା ଆରମ୍ଭ କରିଛନ୍ତି। ଏଥିରୁ ଉପାର୍ଜିତ ଅର୍ଥ ଶିକ୍ଷା ଓ ଶୈକ୍ଷିକ କାର୍ଯ୍ୟରେ ନିବେଶ କରାଯିବାକୁ ରହିଥିବାବେଳେ ଶ୍ରେଣୀ କକ୍ଷ ଅପେକ୍ଷା ବାହ୍ୟ ଶ୍ରେଣୀକକ୍ଷ ବା ଅନଲାଇନ ମାଧ୍ୟମରେ ଶିକ୍ଷାଦାନ ଆରମ୍ଭ କରିଛନ୍ତି।

publive-image

ଲକଡାଉନରେ ଘରେ ବସି ଛାତ୍ରଛାତ୍ରୀ ସମୟ ଅପଚୟ ନ କରି ଏହାକୁ ସଦୁପଯୋଗ କରିବାକୁ ସେ ଆଗେଇ ଆସିଛନ୍ତି। ଯେଉଁ ସମୟରେ ମୋବାଇଲରେ ଗେମ୍ ଓ ଅନ୍ୟ ୟୁଟ୍ୟୁବ ଚ୍ୟାନେଲରେ ଖେଳ, କାର୍ଟୁନ ଦେଖି ଛାତ୍ରଛାତ୍ରୀ ସମୟ ନଷ୍ଟ କରୁଛନ୍ତି ସେହି ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ସେ ଆଉ ପାଦେ ଆଗକୁ ଆସିଛନ୍ତି। ସେ ଆଜିକୁ ୮ ଦିନ ହେଲା ପ୍ରତିଦିନ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ସବୁ ପାଠ୍ୟକ୍ରମର ବିଷୟ ସମନ୍ଧୀୟ ଶିକ୍ଷାଦାନ କରୁଥିବାବେଳେ ୬ଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ଗଣିତ ଓ ବିଜ୍ଞାନର ବିଭିନ୍ନ ବିଷୟ ଉପରେ ୟୁଟ୍ୟୁବରେ ଶିକ୍ଷାଦାନ କରୁଛନ୍ତି। ସପ୍ତାହକ ମଧ୍ୟରୁ ୬ ଦିନ ପାଠ୍ୟପୁସ୍ତକ ଓ ଗୋଟିଏ ଦିନ ସ୍ବାସ୍ଥ୍ୟ ସହ ଛାତ୍ରଛାତ୍ରୀଙ୍କ ମାନସିକ ଓ ବୌଦ୍ଧିକ ବିକାଶ ସମ୍ବନ୍ଧୀୟ ପାଠ୍ୟକ୍ରମ ସମ୍ପନ୍ଧରେ ଶିକ୍ଷା ଦେଉଛନ୍ତି। ସେ ଗତ ୮ ଦିନ ହେବ ଏହି କାର୍ଯ୍ୟ ଆରମ୍ଭ କରିଥିବାବେଳେ ତାଙ୍କ ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ବିଭିନ୍ନ ଶୈକ୍ଷିକ ଉପକରଣ ଓ ଶିକ୍ଷା କରିଥିବା ବୈଷୟିକ ଜ୍ଞାନକୁ ବ୍ୟବହାର କରି ଏହାକୁ ପରିଚାଳନା କରୁଛନ୍ତି। ଖାଲି କୋରାପୁଟ ନୁହେଁ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଉପାଦେୟ ହେବ ବୋଲି ଆଶା କରିଛନ୍ତି।

ସେ ୧୯୯୧ ମସିହାରେ ବୋରିଗୁମ୍ମାରୁ ମେଟ୍ରିକ୍, ୧୯୯୩ରେ ଯୁକ୍ତଦୁଇ ଓ ୧୯୯୬ରେ ସିଟି କରିଥିଲେ। ଜୟପୁର ବିକ୍ରମଦେବ କଲେଜରୁ ପାଠପଢା ପରେ କୋରାପୁଟ ଡାଏଟରୁ ସେ ସିଟି ଟ୍ରେନିଂ ନେଇଥିଲେ । ଏହାପରେ ସେ ୨୦୦୧ ମସିହାରେ ବୈପାରିଗୁଡା ବ୍ଲକ ମାଡଙ୍କବେଢା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଜୀବନ ଆରମ୍ଭ କରିଥିଲେ। ୨୦୧୨ରୁ ଖଟଲୁଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଛନ୍ତି। ସେ ଛାତ୍ରଛାତ୍ରୀଙ୍କୁ ଗଣିତ, ବିଜ୍ଞାନ ଓ ଇଂରାଜୀ ପାଠ ପଢାଇବାରେ କୃତିତ୍ୱ ହାସଲ କରିଛନ୍ତି। ଛାତ୍ରଛାତ୍ରୀ କିଭଳି ସରଳ ଭାଷାରେ ବୁଝି ପାରିବେ ସେଥିପାଇଁ ସେ ନିଜେ ବହୁ ବହି ମଧ୍ୟ ଲେଖିଛନ୍ତି। ତାଙ୍କ ଘର କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଇରିଗେସନ କଲୋନୀ। ସେ ସ୍ବର୍ଗତ ଜମ୍ବେଶ୍ବର ଦାଶ ଓ ସତିମଣି ଦାଶଙ୍କର ସାନ ପୁଅ। ଏହାସହ ଏକାଧିକ ବିଷୟରେ ସେ ଦୂରନିରନ୍ତର ଶିକ୍ଷାର ଡିଗ୍ରୀ ହାସଲ କରିଛନ୍ତି। ଉନ୍ନତମାନର ଶିକ୍ଷାଦାନ ଶୈଳି ଯୋଗୁଁ ପୂର୍ବରୁ ଅନେକ ଥର ପବିତ୍ରଙ୍କୁ ରାଜ୍ୟ ସରକାର ପୁରସ୍କୃତ କରିଛନ୍ତି । ୨୦୧୪ ମସିହାରେ ପ୍ରକୃତି ବନ୍ଧୁ ସମ୍ମାନ, ୨୦୧୬ରେ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରକୃତି ମିତ୍ର ପୁରସ୍କାର, ସେହିବର୍ଷ ରାଜ୍ୟ ସ୍ତରରେ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ହାସଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe