Deccan Chronicle
ଭୁବନେଶ୍ବର : ଓଡ଼ିଶା କଂଗ୍ରେସରେ ଟିକେଟ୍ ବଣ୍ଟନ ଜନିତ ଘୋର ଅସନ୍ତୋଷ ଦଳକୁ ବିପର୍ଯ୍ୟୟ ଆଡ଼କୁ ଠେଲି ଦେଇଛି। ଏହାର ପ୍ରତିବାଦରେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ସମେତ ବହୁସଂଖ୍ୟକ ଦଳୀୟ ନେତା, କର୍ମୀ ଦଳ ଛାଡ଼ିଛନ୍ତି। ଏଥିପାଇଁ ସେମାନେ ପିସିସି ସଭାପତିଙ୍କୁ ଦାୟୀ କରି ସମାଲୋଚନା କରିବାକୁ ପଛେଇ ନାହାନ୍ତିି। ଏଭଳି ପରିସ୍ଥିତିରେ ପିସିସି ସଭାପତି ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ଜଣେ ହେଲେ ବି ପ୍ରାର୍ଥୀଙ୍କୁ ତାଙ୍କ ଇଚ୍ଛାରେ ଦିଆଯାଇନାହିଁ। ଏଥିପାଇଁ ସେ ଧର୍ମସଂକଟରେ ପଡ଼ିଛନ୍ତି।
ଆଜି ଗଣମାଧ୍ୟମକୁ ସେ ପ୍ରତିକ୍ରିୟା ଦେଇ ସେ କହିଲେ ଯେ କଂଗ୍ରେସ ଦଳ ୧୩୯ଟି ଆସନ ମଧ୍ୟରୁ ୮୩ଟିରେ ନୂଆ ମୁହଁ ଦେଇଛି। ନିର୍ବାଚନରେ ଲଢ଼ିବାକୁ ବହୁ ପୁରୁଣା ନେତା, କର୍ମକର୍ତା ଆଶାୟୀ ଥିଲେ। ତେଣୁ ଟିକେଟ୍ ପାଇବାରୁ ବଞ୍ଚିତ ହୋଇଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେବା ସ୍ବାଭାବିକ। ତେବେ ଜଣେ ହେଲେ ବି ପ୍ରାର୍ଥୀଙ୍କୁ ମୋ ଇଚ୍ଛାରେ ଟିକେଟ୍ ଦିଆଯାଇନାହିଁ ବୋଲି ନିରଞ୍ଜନ ସ୍ପଷ୍ଟ କରିଦେଇଥିଲେ। ତାଙ୍କର କହିବାନୁସାରେ କଂଗ୍ରେସ ଦଳରେ ବ୍ୟବସ୍ଥା ଅଲଗା। ଏଠି ତିନି ସେଣାରେ ପାଣି ବାହାରେ। ପ୍ରାର୍ଥୀ ଚୟନ ଏକ ସାମୂହିକ ନିଷ୍ପତ୍ତି। ଏଥିପାଇଁ ବର୍ତମାନ ସମସ୍ତଙ୍କର ଆକ୍ରୋଶ ମୋ ଉପରେ ବୋଲି ସେ କହିଥିଲେ।
ଧର୍ମଶାଳା ବିଧାନସଭା ଆସନରେ କଂଗ୍ରେସ ପକ୍ଷରୁ ପ୍ରଥମେ ସ୍ମୃତିରେଖା ପହିଙ୍କ ନାମ ଘୋଷଣା କରାଯାଇଥିଲା। କିନ୍ତୁ ପରେ ଏହି ଆସନରେ ପ୍ରାର୍ଥିତ୍ବ ନେଇ ବିବାଦ ଉପୁଜିଥିଲା। ବିବାଦୀୟ ଅବସ୍ଥାରେ ସ୍ମୃତିରେଖାଙ୍କ ନାମ ବଦଳରେ କିଷାନ ପଣ୍ଡାଙ୍କ ନାମ ଉଠିଥିଲା। କିନ୍ତୁ ସେ ଟିକେଟ୍ ପାଇନନାହାନ୍ତି। ଏହା ସତ୍ତ୍ବେ ଗତକାଲି କିଷାନ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ତାଙ୍କୁ ବୁଝାଇ ଦିଆଯାଇଥିବା କହି ସ୍ମୃତିରେଖାଙ୍କ ପ୍ରାର୍ଥିତ୍ବ ବଳବତ୍ତର ରହିଥିବା ନିରଞ୍ଜନ କହିଥିଲେ। ଜୟଦେବ ବିଧାନସଭା ଆସନରେ ସ୍ବାଧୀନ ଭାବେ ଲଢ଼ୁଥିବା ରାଘବ ସେଠୀଙ୍କୁ କଂଗ୍ରେସ ସମର୍ଥନ କରିବ ବୋଲି ପିସିସି ସଭାପତି କହିଥିଲେ। ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ସୁକାନ୍ତ ତିଆଡ଼ି ଭୋଇଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଯାଇଥିଲା।
Follow Us