Open challenge to Tyre police: Tied up, beaten, shot and robbed Photograph: (sambad.in)
ସୋର: ସୋର ପୁଲିସର ନିଷ୍କ୍ରିୟତା ପାଇଁ ଦିନକୁ ଦିନ ସୋର ଅଞ୍ଚଳରେ ଅପରାଧୀଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଭୁଜାଲି ଓ ବନ୍ଧୁକ ମୁନରେ ବାରମ୍ବାର ଲୁଟ୍ ହେଉଥିଲେ ବି ପୁଲିସର ହାତ ଖାଲି।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସାତ ଜଣ ଅଜଣା ଲୋକ ମୁହଁରେ କଳା ମୁଖା ପିନ୍ଧି ସୋର ଥାନା ତେଣ୍ଟେଇ ପଞ୍ଚାୟତ ଦୟାନିଧିପୁର ଗ୍ରାମର ରବୀନ୍ଦ୍ର ନାୟକଙ୍କ ଘରକୁ ପଶିଥିଲେ।
ଚୋରମାନେ ଘରେ ପଶିବା ପୂର୍ବରୁ ତାଙ୍କ ମା ଜାଣିପାରି ପୁଅକୁ ଫୋନ ଯୋଗେ ଜଣାଇଥିଲେ। ପୁଅ ମଳୟ ରାଉତ ପଡ଼ୋଶୀଙ୍କୁ ଫୋନ ଯୋଗେ ଜଣାଇବା ସମୟରେ ଚୋରମାନେ ଘରର କବାଟ ଭାଙ୍ଗି ଘର ଭିତରକୁ ପଶିବା ସହିତ ପରିବାରର ସମସ୍ତ ୫ଜଣଙ୍କୁ ଘରର ସ୍କ୍ରିନ ଚିରି ହାତ ଗୋଡ଼କୁ ବାନ୍ଧି ମାଡ଼ ମାରିଥିଲେ।
ପରେ ଘରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ଓ ନଗଦ ୫୦ ହଜାର ଟଙ୍କା ଲୁଟିଥିଲେ। ଏହି ସମୟରେ ପଡୋଶୀ ବଳରାମ ରାଉତ ଓ ପ୍ରଶାନ୍ତ ରାଉତ ଆସିବାରୁ ଦୁର୍ବୃତ୍ତମାନେ ଘରର ଛାତ ଉପରେ ଥାଇ ସେମାନଙ୍କୁ ଗୁଳି ମାରିଥିଲେ ।
ଫଳରେ ବଳରାମଙ୍କ ଛାତିରେ ଗୁଳିବାଜିବା ସହିତ ସେ ଗୁରୁତର ଆହତ ହୋଇଥିଲେ। ଗୁଳି ଫୁଟିବା ପରେ ଅନ୍ୟ ପଡୋଶୀମାନେ ଆସିବାକୁ ସାହସ କରିନଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିଲେ।
ସେଠାରେ ଚିକିତ୍ସାପରେ ଅବସ୍ଥା ଗୁରୁତର ଥିବାରୁ ରୋହିତ ନାୟକ,ରବୀନ୍ଦ୍ର ନାୟକ ଓ ବଳରାମ ରାଉତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ସୋରରେ ଅପରାଧିକ ମାମଲା ଦିନକୁ ଦିନ ବଢୁଥିବା ବେଳେ ପୁଲିସର ନିଷ୍କ୍ରିୟତା ପାଇଁ ଲୋକେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ସୋରରେ ଜଣେ ଦକ୍ଷ ଅଧିକାରୀଙ୍କୁ ନିଯୁକ୍ତି ପାଇଁ ସାଧାରଣରେ ଦାବି ହୋଇଛି।
Baleswar | Crime
Follow Us