ଖୋଲିଲା ପରିକ୍ରମା ମାର୍ଗ: ସୃଷ୍ଟିହେଲା ରଥଯାତ୍ରା ଭ୍ରମ

ଖୋଲିଲା ପରିକ୍ରମା ମାର୍ଗ: ସୃଷ୍ଟିହେଲା ରଥଯାତ୍ରା ଭ୍ରମ

ପୁରୀ: ମନେ ରହିବ ଏ ମୁହୂର୍ତ୍ତ। ଅମଳିନ ରହିବ ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହୋଇଥିବା ନୂଆ ଅଧ୍ୟାୟ। ଦୀର୍ଘ ପ୍ରତୀକ୍ଷା, ତମାମ ଆଲୋଚନା-ପର୍ଯ୍ୟାଲୋଚନା, ଅଧିକାରୀଙ୍କ ଅଦମ୍ୟ ନିଷ୍ଠା, ୫ଶହରୁ ଅଧିକ କାରିଗରଙ୍କ ଅହରହ ଶ୍ରମର ଫଳଶ୍ରୁତି ସ୍ବରୂପ ପୂର୍ଣ୍ଣାଙ୍ଗ ରୂପ ନେଇଛି ୩୩୦ କୋଟିର ପରିକ୍ରମା ପ୍ରକଳ୍ପ। ଉନ୍ମୁକ୍ତ ହୋଇଛି ପରିକ୍ରମା ମାର୍ଗ। ଏଣିକି ପରିକ୍ରମାରେ ଆଉ ବାଧା ଦେଉନି ଗାଡ଼ି ମୋଟରର କୋଳାହଳ। ବଉଳମାଳିଆ ପଥରରେ ସଜେଇ ହୋଇଛି ଚଲାପଥ। ସବୁଜିମାରେ ଚମକୁଛି ପ୍ରଦକ୍ଷିଣ କ୍ଷେତ୍ର। ଆକାଶମାର୍ଗରୁ ଆଲୁଅମାଳାର ଚିତ୍ର ଦେଉଛି ନୂଆ ବୋହୂର ଅନୁଭବ। ଏହି ସମସ୍ତ ଘଟଣାର ସାକ୍ଷୀ ରହିଛି ସମୟ। ପ୍ରକଳ୍ପ ଲୋକାର୍ପଣ ହୋଇନଥିଲା, କିନ୍ତୁ ପରିକ୍ରମା ମାର୍ଗର ଅନୁଭବ ନେବାକୁ ସକାଳୁ ଛୁଟିଥିଲା ଭକ୍ତଙ୍କ ସୁଅ। ସକାଳୁ ଇନ୍ଦ୍ର ଯେମିତି ବୃଷ୍ଟି ରୂପରେ ପୁଷ୍ପ ଅଜାଡ଼ି ଦେଇଥିଲେ। କିଏ ଭଜନରେ ଭିଜୁଥିଲା ତ କିଏ ଆନନ୍ଦାଶ୍ରୁରେ ଭକ୍ତି ନୈବେଦ୍ୟ ବାଢ଼ି ଦେଉଥିଲେ। କିଏ ଚିତ୍ରରେ ଭାବକୁ ବ୍ୟକ୍ତ କରୁଥିଲା ତ ପୁଣି କିଏ ସୌନ୍ଦର୍ଯ୍ୟରେ ଉଲ୍ଲସିତ ହୋଇ ଫଟୋ ଉଠାଇବାରେ ମଜ୍ଜି ଯାଉଥିଲେ। ଜଗନ୍ନାଥମୟ ହୋଇଛି ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବା ପରେ ମାର୍ଗକୁ ଛୁଟିଛି ଭକ୍ତଙ୍କ ସୁଅ। ସମ୍ଭବତଃ ଶ୍ରୀମନ୍ଦିର ନିର୍ମାଣ ଓ ମେଘନାଦ ପାଚେରି ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରୂପରେ ସର୍ବବୃହତ୍‌ ନିର୍ମାଣ କାର୍ଯ୍ୟ ସମାହିତ ହୋଇଛି। ଭକ୍ତ ପରିକ୍ରମା ଘେରା ମାରିବା ବେଳେ ନୀଳଚକ୍ର ଓ ଶ୍ରୀମନ୍ଦିରର ଚତୁଃପାର୍ଶ୍ବ କାରିଗରୀର ଶୋଭା ଦେଖି ବିଭୋର ହୋଇଛନ୍ତି। ପୁଣି ପାଦ ଦେଶରେ ମଠ ମନ୍ଦିରର କାରୁକାର୍ଯ୍ୟ, ସବୁଜିମା ଭରା ବଗିଚା ସାଙ୍ଗକୁ ତୁଳସୀ ଓ ଫୁଲର ମହମହ ବାସ୍ନା ପୁଲକିତ କରୁଛି। କାମ ନୂଆ, କିନ୍ତୁ ଖୋଣ୍ଡଲାଇଟ୍‌ ପଥରର କାରିଗରୀ ପ୍ରାଚୀନ ସୌନ୍ଦର୍ଯ୍ୟର ଅନୁଭବ ଦେଉଛି।

ପରିକ୍ରମା ମାର୍ଗ କେବଳ ଲୋକଙ୍କ ପ୍ରଦକ୍ଷିଣ ସମସ୍ୟା ଦୂର କରିନାହିଁ। ସୌନ୍ଦର୍ଯ୍ୟର ଅପୂର୍ବ ସମନ୍ବୟ ଦେଖି ମନ ଲାଖିଯାଉଛି। ଅତୀତର ମଠ ମନ୍ଦିର ଓ ଉନ୍ନତୀକରଣ ପରର ମଠ ମନ୍ଦିରକୁ ଚିହ୍ନି ହେଉନାହିଁ। ପାରିପାର୍ଶ୍ବିକ ଅବସ୍ଥା ଓ ଚିତ୍ର ବଦଳିଯାଇଛି। କଳିଙ୍ଗ କଳା ସ୍ଥାପତ୍ୟର ଝଲକ ମଠ ମନ୍ଦିରରେ ଝଟକି ଉଠୁଛି। ତୋରଣ, ମଗର, ଖୁମ୍ବକୁ ଖୋଣ୍ଡଲାଇଟ୍‌ ପଥରରେ ମଠରେ ଛାପ ଦିଆଯାଇଛି। ନୂଆ ରୂପ ନେଇଥିବା ଜରାଜୀର୍ଣ୍ଣ ମଠର କାରୁକାର୍ଯ୍ୟ ଆଗରେ ଫଟୋ ଉଠାଇବାକୁ ଭିଡ଼ ଜମୁଛି। ଏମାର ମଠ, ନୃସିଂହ ଆଚାରୀ ମଠ, ଦକ୍ଷିଣପାର୍ଶ୍ବ ମଠ, ଉତ୍ତରପାର୍ଶ୍ବ ମଠ, ପଞ୍ଜାବୀ ମଠ, ଶଙ୍ଖଚକ୍ର ମଠ, ତ୍ରିମାଳି ମଠ, କଟକୀ ମଠ, ରେବେସା ମଠ, ଛାଉଣି ମଠ, ରାମଦୟା ପରିଷଦ, କୌଶଲ୍ୟା ଦାସ ମଠ, ମଙ୍ଗୁ ମଠ, ଲଙ୍ଗୁଳି ମଠ, ବଡ଼ଛତା ମଠ, ବଡ଼ଆଖଡ଼ା ମଠ, କାକୁଡ଼ିଖାଇର ନୂଆ ରୂପ ସଂଦର୍ଶନ କରିଛନ୍ତି ଭକ୍ତ। ସେହିଭଳି ପ୍ରଦକ୍ଷିଣ ମାର୍ଗରେ ବୁଢ଼ୀ ମା ମନ୍ଦିର, ଦୁର୍ଗାମାଧବ ମନ୍ଦିର, ମହାବୀର ମନ୍ଦିର, ଉଗ୍ରତାରା ମନ୍ଦିର, କପାଳମୋଚନ ମନ୍ଦିର ଓ ଭଗବତୀଙ୍କ ମନ୍ଦିରରେ ସ୍ବଚ୍ଛନ୍ଦ ଦର୍ଶନ ପାଇଛନ୍ତି ଶ୍ରଦ୍ଧାଳୁ। କେବଳ ସୌନ୍ଦର୍ଯ୍ୟ ନୁହେଁ, ଭକ୍ତଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି। ଦକ୍ଷିଣ-ପଶ୍ଚିମ-ଉତ୍ତର ପାର୍ଶ୍ବରେ ଗୋଟିଏ ଲେଖାଏଁ ମହିଳା ଶୌଚାଳୟ, ପୁରୁଷ ଶୌଚାଳୟ ଓ ସେବାୟତ ଶୌଚାଳୟ ଭଳି ୯ଟି ଶୌଚାଳୟ ସୁବିଧା ରହିଛି। ଏହାବ୍ୟତୀତ ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ବରେ ୩ଟି ଆଶ୍ରୟସ୍ଥଳୀରେ ଲୋକେ ବିଶ୍ରାମର ଅବସର ନେଇଛନ୍ତି। ତିନି ଦ୍ବାର ପାର୍ଶ୍ବରେ ୩ଟି କ୍ଲକ୍‌ ରୁମ୍‌ ତଥା ଜମାଘର ସହ ଜୋତା ଷ୍ଟାଣ୍ଡ ରହିଥିବାରୁ ଭକ୍ତ ଏହା ମଧ୍ୟରେ ନିଜର ଜିନିଷ ରଖି ନିର୍ଦ୍ବନ୍ଦ୍ବରେ ବୁଲାବୁଲି କରିଛନ୍ତି। ପଶ୍ଚିମ ଓ ଦକ୍ଷିଣ ପାର୍ଶ୍ବରେ ୨ଟି ଲେଖାଏଁ ମୋଟ୍‌ ୪ଟି ଭଜନ ମଣ୍ଡପ ସହ ଆଉ ୧୦ଟି ମୁକ୍ତାକାଶ ମଞ୍ଚରେ ବସି ଫଟୋ ଉଠାଇବାକୁ ଭିଡ଼ ଜମିଛି।

ପୁରୀ: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ଭକ୍ତଙ୍କ ମହଲରେ ଏହାକୁ ଦେଖିବାକୁ ଉତ୍କଣ୍ଠା ବଢ଼ିଛି। ଲୋକାର୍ପଣ ପରେ ଶ୍ରୀକ୍ଷେତ୍ରମୁହାଁ ହୋଇଛନ୍ତି ଭକ୍ତ। ଦିନରେ ସେତେ ଭକ୍ତ ନ ଥିଲେ ବି ସନ୍ଧ୍ୟାରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ହଜାର ହଜାର ସଂଖ୍ୟାରେ ଭକ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରଦକ୍ଷିଣ କରିଛନ୍ତି। ଏଥିପାଇଁ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ଭ୍ରମ ସୃଷ୍ଟି ହୋଇଛି। ସନ୍ଧ୍ୟାରେ ସିଂହଦ୍ବାର ଓ ଅନ୍ୟାନ୍ୟ ଦ୍ବାରରେ ଭକ୍ତଙ୍କ ଭିଡ଼ ବଢ଼ିଥିଲା। ଏଥିପାଇଁ ବଡ଼ଦାଣ୍ଡରେ ଲୋକାରଣ୍ୟ ରହିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍କଣ୍ଠାର ସହ ଭକ୍ତମାନେ ପରିକ୍ରମା ପ୍ରକଳ୍ପ ଦେଖିବା ସହ ଖୁସିବ୍ୟକ୍ତ କରିଛନ୍ତି। ସେପଟେ ଶ୍ରୀଦାଣ୍ଡ ଓ ଶ୍ରୀସେତୁ ବିକାଶ ଦେଖି ପ୍ରଶଂସା କରିଛନ୍ତି। ଶ୍ରୀଦାଣ୍ଡର ଆଲୋକୀକରଣ ଓ ସୌନ୍ଦର୍ଯ୍ୟୀକରଣ ସାଙ୍ଗକୁ ଆଧ୍ୟାତ୍ମିକ ପରିପାଟ୍ଟୀ ଦେଖି ଆନନ୍ଦ ବ୍ୟକ୍ତ କରିଛନ୍ତି। ସପରିବାର ବୁଲିବା ସହ ସାକ୍ଷୀ ଭାବେ ଫଟୋ ଉଠାଇଛନ୍ତି।

publive-image

ରଘୁନାଥ ବେଶ ଓ ନାଗାର୍ଜୁନ ବେଶ ବିଶେଷ ଆକର୍ଷଣ
ମାନବୀୟ ଲୀଳାଧାରୀ ଦାରୁବିଗ୍ରହଙ୍କୁ ବିଭିନ୍ନ ବେଶରେ ଦର୍ଶନ କରାଇବା ଲାଗି ଶ୍ରୀଜଗନ୍ନାଥବଲ୍ଲଭ ପରିସରରେ ବିଶାଳ ସେଡ୍‌ର ନିର୍ମାଣ କରାଯାଇଛି। ଯେଉଁଠି ଶ୍ରୀବିଗ୍ରହଙ୍କ ୨୫ ବେଶ ଦେଖିବାର ସୌଭାଗ୍ୟ ଅର୍ଜୁଛନ୍ତି ଭକ୍ତ ଓ ପର୍ଯ୍ୟଟକ। ୧୯୦୫ ମସିହାରୁ ଶ୍ରୀଜିଉଙ୍କ ରଘୁନାଥ ବେଶ ଦର୍ଶନରୁ ବଞ୍ଚିତ ଅଛନ୍ତି ଭକ୍ତ। ସେହିଭଳି ୨୬ ବର୍ଷ ପରେ କୋଭିଡ ସମୟରେ ୨୦୨୦ ମସିହାରେ ନାଗାର୍ଜୁନ ବେଶ ହୋଇଥିଲେ ହେଁ କୋଭିଡ୍‌ ଯୋଗୁ ଭକ୍ତ ଏହି ବେଶ ଦର୍ଶନରୁ ବଞ୍ଚିତ ଥିଲେ। ତେଣୁ ଏହି ଦୁଇ ବିରଳ ବେଶ ବି ଦେଖିପାରୁଛନ୍ତି ଭକ୍ତ ଓ ପର୍ଯ୍ୟଟକ। ଏହାବ୍ୟତୀତ ଅବକାଶ ବେଶ(ତଡ଼ପ ଉତ୍ତରି ବେଶ), ଘୋଡ଼ଲାଗି ବେଶ, ନବାଙ୍କ ବେଶ, ରାଧାଦାମୋଦର ବେଶ, ଲକ୍ଷ୍ମୀନାରାୟଣ ବେଶ(ଠିଆକିଆ), ବାଙ୍କଚୂଡ଼ ବେଶ, ତ୍ରିବିକ୍ରମ ବେଶ(ଡାଳିକିଆ ବେଶ), ପଦ୍ମ ବେଶ, ଗଜଉଦ୍ଧାରଣ ବେଶ, ଚାଚେରୀ ବେଶ, ବଡ଼ସିଂହାର ବେଶ, ଗଜାନନ ବା ହାତୀବେଶ, ରାଜାଧିରାଜ ବେଶ(ସୁନାବେଶ), ବନଭୋଜି ବେଶ, କାଳୀୟଦଳନ ବେଶ, ପ୍ରଳମ୍ବାସୁର ବଧ ବେଶ, କୃଷ୍ଣ-ବଳରାମ ବେଶ, ବାମନ ବେଶ, ଲକ୍ଷ୍ମୀନୃସିଂହ ବେଶ(ଆଡ଼କିଆ ବେଶ), ଶ୍ରାଦ୍ଧ ବେଶ ଓ ଚନ୍ଦନଲାଗି ବେଶ ଆଦି ଦେଖିବାର ସୌଭାଗ୍ୟ ମିଳୁଛି। ଶ୍ରୀମନ୍ଦିର ଦୟଣାମାଳି ସେବକ ବସନ୍ତ କୁମାର ରଣାଏହି ବେଶ ପ୍ରସ୍ତୁତ କରିଛନ୍ତି।

ଚାରିଦ୍ବାରରେ ମେଟାଲ୍‌ ଡିଟେକ୍ଟର
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଚାରିଦ୍ବାରରେ ପ୍ରବେଶ ପଥ ରହିଛି। ଏଠାରେ ଚକାଲଗା ଲୁହାର ସ୍ଲାଇଡିଂ ଫାଟକ ଲଗାଯାଇଛି। ଏହି ଫାଟକ ଦେଇ ଭକ୍ତ ଓ ସେବାୟତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିତରକୁ ଯାଇପାରିବେ। ଅନ୍ୟପଟେ ଏହି ଦ୍ବାର ଆଜି ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ପ୍ରକଳ୍ପର ପ୍ରତି ପ୍ରବେଶ ଦ୍ବାରରେ ସୁରକ୍ଷା କର୍ମୀ ନିୟୋଜିତ କରାଯାଇଥିଲା। ପ୍ରତି ଦ୍ବାରରେ ଯାଞ୍ଚ ପାଇଁ ମେଟାଲ୍‌ ଡିଟେକ୍ଟର ଲଗାଯାଇଥିଲା। ଯେଉଁମାନେ ପରିକ୍ରମା ପ୍ରକଳ୍ପ ଭିତରେ ପ୍ରବେଶ କରୁଥିଲେ, ସେମାନେ ଏହି ମେଟାଲ୍‌ ଡିଟେକ୍ଟର ଦେଇ ପ୍ରବେଶ କରୁଥିଲେ।
ଆକର୍ଷଣର କେନ୍ଦ୍ରବିନ୍ଦୁ ଶ୍ରୀଜଗନ୍ନାଥବଲ୍ଲଭ ପ୍ରଦର୍ଶନୀ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅବସରରେ ଶ୍ରୀଜଗନ୍ନାଥ ବଲ୍ଲଭ ପରିସରରେ ଆୟୋଜିତ ହୋଇଛି ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ବିରାଟ ପ୍ରଦର୍ଶନୀ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସହ ଏହି ପ୍ରଦର୍ଶନୀର ବି ଶୁଭାରମ୍ଭ ହୋଇଛି। ପ୍ରଦର୍ଶନୀରେ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଶୀର୍ଷ ସ୍ପର୍ଶ ଦିଆଯାଇଛି। ଭକ୍ତଙ୍କ ଆଗରେ ଶ୍ରୀଜଗନ୍ନାଥ ସଂସ୍କୃତିର ଟିକିନିଖି ଅବତାରଣ ଦେଇଛନ୍ତି ସରକାର। ତିନି ରଥ କଥା ହେଉ କି ମହାପ୍ରଭୁଙ୍କ ଦୈନନ୍ଦିନ ବେଶ ଅବା ବ୍ୟବହାର୍ଯ୍ୟ ସାମଗ୍ରୀ, ସବୁ ପ୍ରଦର୍ଶନୀରେ ସ୍ଥାନ ପାଇଛି। ଏହା ସାଙ୍ଗକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସଂକ୍ଷିପ୍ତ ରୂପରେଖ ବି ପ୍ରଦର୍ଶିତ ହୋଇଛି। ଏହି ପ୍ରଦର୍ଶନୀ ଏବେ ଭକ୍ତ ଓ ପର୍ଯ୍ୟଟକଙ୍କ ଆକର୍ଷଣର ପ୍ରମୁଖ କେନ୍ଦ୍ରବିନ୍ଦୁ ପାଲଟିଛି। ଆଜିଠାରୁ ପ୍ରଦର୍ଶନୀରେ ଭିଡ଼ ଆରମ୍ଭ ହୋଇଛି। ଆଜିଠାରୁ ମାସେ ଧରି ଏହି ପ୍ରଦର୍ଶନୀ ଚାଲିବ।

publive-image

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂକ୍ଷିପ୍ତ ସ୍ବରୂପ
ଶ୍ରୀଜଗନ୍ନାଥ ବଲ୍ଲଭ ପରିସର ପ୍ରଦର୍ଶନୀରେ ଶୋଭା ପାଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସଂକ୍ଷିପ୍ତ ସ୍ବରୂପ(ମିନିଏଚର୍‌)। ଏଥିରେ ଶ୍ରୀମନ୍ଦିର ସହ ପରିକ୍ରମା ପ୍ରକଳ୍ପର ସ୍ପଷ୍ଟ ଦୃଶ୍ୟମାନ ହେଲା ଭଳି ଅବିକଳ ଅବତାରଣ ଦିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ମନ୍ଦିର ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବିକାଶର ଟିକିନିଖି କାମ ଏଥିରେ ଦେଖିବାକୁ ମିଳିଛି। ମଠ, ମନ୍ଦିର ସୌନ୍ଦର୍ଯ୍ୟୀକରଣ ପରେ କିଭଳି ଦିଶୁଛି, ତାର ଅବତାରଣା ଦିଆଯାଇଛି। ଆସୁଥିବା ଭକ୍ତ ଓ ପର୍ଯ୍ୟଟକ ବି ଏହାକୁ ଦେଖି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଜରିଆରେ ବିକାଶର ପୂର୍ଣ୍ଣରୂପକୁ ଜାଣିପାରିଛନ୍ତି।
ଶୋଭା ପାଉଛି ତିନି ରଥ
ଶ୍ରୀଜଗନ୍ନାଥ ବଲ୍ଲଭ ପରିସର ପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଛି ତିନି ରଥର ଅବିକଳ କଳାକୃତି। ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ ରଥର ଟିକିନିଖି ଅବତାରଣ ଦିଆଯାଇଛି ଏଥିରେ। ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତି ବିଜେ କରିଥିବା ବେଳେ ରଥ ଚକ, ଅସଲ ଦଉଡ଼ି ଲାଗିବା, ବଡ଼ଦାଣ୍ଡ ସିଂହଦ୍ବାର ଚକଡ଼ାରେ ତିନି ରଥ ବିଜେ ହୋଇଥିବାର ଭ୍ରମ ସୃଷ୍ଟି କରୁଛି।

ଫଟୋରେ ଦେଖିଲେ ପରିକ୍ରମା, ଭକ୍ତି
ପୁରୀ: ଗୋଟେ ପଟେ ଚାଲିଥିଲା ପରିକ୍ରମା ପ୍ରକଳ୍ପର ଯଜ୍ଞ ସାଙ୍ଗକୁ ଉଦଘାଟନୀ ପର୍ବ। ସେଇଠୁ ମାତ୍ର କେଇ ହାତ ଦୂରରେ ସିଂହଦ୍ବାର ସମ୍ମୁଖରେ ଚାଲିଥିଲା ପରିକ୍ରମାକୁ ନେଇ ଚିତ୍ର ପ୍ରଦର୍ଶନୀ। ୨୦ଟି କାନ୍‌ଭାସରେ ପ୍ରଦର୍ଶିତ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ଏବଂ ପ୍ରଭୁଭକ୍ତିର କଥା। ଓଡ଼ିଶା ଲଳିତ କଳା ଏକାଡେମି ଓ ଶ୍ରୀମନ୍ଦିର ସହଯୋଗରେ ଗତକାଲି ୨୦ ଜଣ ଚିତ୍ରଶିଳ୍ପୀ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ସୌନ୍ଦର୍ଯ୍ୟକୁ କାନ୍‌ଭାସରେ ଉତାରିଥିବା ବେଳେ ସେ ସମସ୍ତ ଚିତ୍ର ଆଜି ଭକ୍ତଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ ହୋଇଛି। ବର୍ଷା କାଳରେ ଶ୍ରୀମନ୍ଦିରର ସମ୍ମୁଖ ଭାଗର ଚିତ୍ର ହେଉ ଅବା ବଙ୍କୁଲି ବାଡ଼ି ଧରିଥିବା ବୃଦ୍ଧା ଭକ୍ତଟିଏ ତାଳପତ୍ର ଡାଲାରେ ଶୁଖିଲା ଭୋଗ ନେଇ ଯାଉଥିବାର ଦୃଶ୍ୟ। ପରିକ୍ରମା ପରିପାର୍ଶ୍ବର ଚିତ୍ରଠୁ ନେଇ ଶ୍ରୀମନ୍ଦିର ବାହାରେ ଭକ୍ତଟିଏ ଭକ୍ତି ଅର୍ଘ୍ୟ ବାଢ଼ିବା ବେଳେ ସମର୍ପି ଦେଉଥିବାର ଦୃଶ୍ୟକୁ ଚିତ୍ରରେ ତୋଳି ଧରିଥିଲେ ଶିଳ୍ପୀବୃନ୍ଦ। ଆଜି ସମସ୍ତ ଚିତ୍ରଗୁଡ଼ିକ ପ୍ରଦର୍ଶିତ ହେବା ପରେ ବହୁ ଚିତ୍ରପ୍ରେମୀ ଏହାକୁ ଉପଭୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe