୨ଟି ଜିଲ୍ଲା ବାହାରେ ମଳତ୍ୟାଗମୁକ୍ତ : ଜୁଲାଇ ସୁଦ୍ଧା ଆଉ ୪ଟି ଜିଲ୍ଲା

୨ଟି ଜିଲ୍ଲା ବାହାରେ ମଳତ୍ୟାଗମୁକ୍ତ : ଜୁଲାଇ ସୁଦ୍ଧା ଆଉ ୪ଟି ଜିଲ୍ଲା

photo by : The Financial Express

ଭୁବନେଶ୍ୱର : ରାଜ୍ୟରେ ବର୍ତମାନ ସୁଦ୍ଧା ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାକୁ ବାହାରେ ମଳତ୍ୟାଗମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯାଇଛି। ଆସନ୍ତା ଜୁଲାଇ ସୁଦ୍ଧା ଆଉ ୪ଟି ଜିଲ୍ଲାକୁ ଅନୁରୂପ ଘୋଷଣା କରାଯିବ। ସେହି ଜିଲ୍ଲାଗୁଡ଼ିକ ହେଉଛି ବାଲେଶ୍ୱର, ଗଜପତି, ସମ୍ବଲପୁର ଓ ସୁବର୍ଣ୍ଣପୁର। ବର୍ତମାନ ସୁଦ୍ଧା ଏ ଦିଗରେ ପ୍ରାୟ ୭୪ ପ୍ରତିଶତ କାର୍ଯ୍ୟ ଆଗେଇଛି। ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଏହି ହାର ଶତ ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ସ୍ଥାପନ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତିି। ଆଜି କେନ୍ଦ୍ର ପାନୀୟଜଳ ଓ ପରିମଳ ମନ୍ତ୍ରାଳୟ ସଚିବ ପରମେଶ୍ୱରନ୍‌ ଆୟାରଙ୍କ ଉପସ୍ଥିତିରେ ମୁଖ୍ୟ ସଚିବ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଯୋଗେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏଥିରେ ଅଂଶଗ୍ରହଣ କରି ଶ୍ରୀ ଆୟାର ଏହି ଅଭିଯାନରେ ଓଡ଼ିଶା ଯଥେଷ୍ଟ ଅଗ୍ରଗତି କରିଥିବା ଦର୍ଶାଇ ପ୍ରଶଂସା କରିଥିଲେ। ପାନୀୟଜଳ ବିଭାଗ ପ୍ରମୁଖ ସଚିବ ଡି.କେ. ସିଂହ କହିଲେ, ଏ ଦିଗରେ କାର୍ଯ୍ୟ ଆଗେଇଥିବାରୁ ଆସନ୍ତା ଅକ୍ଟୋବର ସୁଦ୍ଧା ସବୁ ଜିଲ୍ଲା କାର୍ଯ୍ୟକ୍ରମ ଲକ୍ଷ୍ୟ ପୂରଣ କରିବାକୁ ସମର୍ଥ ହେବେ। ସୂଚନାନୁସାରେ ୨୦୧୪ରେ ଅଭିଯାନ ଆରମ୍ଭ ବେଳେ ପାଇଖାନା ନିର୍ମାଣ କ୍ଷେତ୍ରରେ ମାତ୍ର ୧୦ ପ୍ରତିଶତ ସଫଳତା ମିଳିଥିଲା। ବର୍ତମାନ ସୁଦ୍ଧା ଏହା ୫୫ ପ୍ରତିଶତକୁ ବୃଦ୍ଧି ପାଇଛି। ରାଜ୍ୟର ପ୍ରାୟ ୩୭ ହଜାର ଗ୍ରାମରେ ପାଇଖାନା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯାଞ୍ଚ ପରେ ମାସକ ଭିତରେ ସେହି ଗ୍ରାମଗୁଡ଼ିକୁ ବାହାରେ ମଳତ୍ୟାଗମୁକ୍ତ ଗ୍ରାମ ଭାବେ ଘୋଷଣା କରାଯିବ। ଗ୍ରାମାଞ୍ଚଳରେ ଏହି ଅଭିଯାନରେ ୧୪ ହଜାର ସ୍ୱେଚ୍ଛାଗ୍ରହୀ ନିୟୋଜିତ ହୋଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମିସନ ନିର୍ଦେଶିକା ରୂପା ମିଶ୍ର ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe