ଖୋଲିବ ପାଇଖାନା ଦୁର୍ନୀତି ଫାଇଲ୍‌: କାଗଜପତ୍ର ସଂଗ୍ରହ କଲା ଭିଜିଲାନ୍‌ସ

ଖୋଲିବ ପାଇଖାନା ଦୁର୍ନୀତି ଫାଇଲ୍‌: କାଗଜପତ୍ର ସଂଗ୍ରହ କଲା ଭିଜିଲାନ୍‌ସ

ନବରଙ୍ଗପୁର/ଝରିଗାଁ: ସ୍ବଚ୍ଛଭାରତ ମିସନରେ ପାଇଖାନା ଦୁର୍ନୀତିର ଫାଇଲ ଖୋଲିବ। ଏହି ମହାଦୁର୍ନୀତିର କିଙ୍ଗପିନ୍‌ଙ୍କ ମୁଖା ଖୋଲିବାକୁ ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍‌ସ। ଏଥିପାଇଁ ଆଜି ଝରିଗାଁ ବ୍ଲକରୁ ଯୋଜନାର ଫାଇଲ୍‌ ସଂଗ୍ରହ କରିଛି। ନବରଙ୍ଗପୁର ଜିଲ୍ଲାରେ ପାଇଖାନା ନିର୍ମାଣରେ ପ୍ରାୟ ୧୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସରେ ଥିବା ସମୟରେ ଏହି ଦୁର୍ନୀତିକୁ ପ୍ରମୁଖ ମୁଦ୍ଦା କରିଥିଲେ। ୨୦୨୨ ମସିହା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରଦୀପ ବିଜେଡିରେ ଯୋଗ‌ ଦେବାପରେ ବି ଏହି ଦୁର୍ନୀତି ପଛର କାର୍ପଟଦାରଙ୍କୁ ଧରିବା ପାଇଁ ଦାବି କରିଥିଲେ। ବଡ଼ ପ୍ରସଙ୍ଗ, ଜନଆକ୍ରୋଶ ସହ ଚାପ ପଡ଼ିବାରୁ ପ୍ରଶାସନ ଏହି ଦୁର୍ନୀତିର ବିଭାଗୀୟ ତଦନ୍ତ କରିଥିଲା।

ତତ୍କାଳୀନ ଝରିଗାଁ ବିଡିଓ ବାହାଦୁର ସିଂ ଧାରୁଆ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ଦେବବ୍ରତ ଦାସ ଓ ବ୍ଲକ କନିଷ୍ଠ ଯନ୍ତ୍ରୀ ସୁନିଲ କୁମାର ସାମଲ ନିଲମ୍ବିତ ହୋଇଥିଲେ। ଏହାପରେ ‌କେବଳ ଝରିଗାଁ ନୁହଁ ରାଇଘର, କୋଷାଗୁମୁଡ଼ା, ଉମରକୋଟ ଓ ପାପଡ଼ାହାଣ୍ଡି ବ୍ଲକରେ ବି ତଦନ୍ତ ପାଇଁ ଦାବି ହୋଇଥିଲା। ତେଣୁ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ କରି କିଛି ବ୍ଲକରୁ ଫାଇଲ୍‌ ସଂଗ୍ରହ କରାଯାଇଥିଲା। କିନ୍ତୁ ଭିଜିଲାନ୍ସ ତଦନ୍ତ ରିପୋର୍ଟ ଲୋକ ଲୋଚନକୁ ଆସିପାରିଲା ନାହିଁ। ପ୍ରାୟ ଦୁଇ ବର୍ଷ ଧରି ତଦନ୍ତ କୋମା ସ୍ଥିତିରେ ରହିଥିଲା। କିଛି ଦିନ ତଳେ ‘ସମ୍ବାଦ’ରେ ‘ଶୀତଳଭଣ୍ଡାରରେ ୧୦୦ କୋଟି ଟଙ୍କାର ପାଇଖାନା ଦୁର୍ନୀତି’ ଖବର ପ୍ରକାଶ ପାଇବାରୁ ଭିଜିଲାନ୍ସ ପୁଣି ତତ୍ପରତା ପ୍ରକାଶ କରିଛି। ନବରଙ୍ଗପୁର ଭିଜିଲାନ୍ସ ବିଭାଗ ଆଜି ଝରିଗାଁ ବ୍ଲକ କାର୍ଯ୍ୟାଳୟରୁ ପାଇଖାନା ଫାଇଲ୍‌ ସଂଗ୍ରହ କରିଛି। ଭିଜିଲାନ୍ସ ଡିଏସ୍‌ପିଙ୍କୁ ଏହି ବିଷୟରେ ଜାଣିବାକୁ ଯୋଗାଯୋଗ କରିବାକୁ ଚେଷ୍ଟା ହୋଇଥିଲେ ସୁଦ୍ଧା ପ୍ରତିକ୍ରିୟା ମିଳିପାରିନି। ତେଣୁ କେବଳ ଝରିଗାଁ ବ୍ଲକ ନା ସାରା ଜିଲ୍ଲାରେ ଏଭଳି ତଦନ୍ତ ହେବ ସ୍ପଷ୍ଟ ହୋଇପାରିନି। ଅନ୍ୟପକ୍ଷରେ ବରିଷ୍ଠ ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି, ଜିଲ୍ଲାରେ ପ୍ରାୟ ୩୦୦ କୋଟି ଟଙ୍କାର ପାଇଖାନା ଦୁର୍ନୀତି ହୋଇଛି। ଭିଜିଲାନ୍ସ ସାରା ଜିଲ୍ଲାରେ ଦୁର୍ନୀତିର ତଦନ୍ତ କରିବାକୁ ସେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe