ଖୁଲମ୍‌ଖୁଲା ବେପାର; ଡିକିରେ ରଖି ଶୁଆ ବିକ୍ରି!

ଖୁଲମ୍‌ଖୁଲା ବେପାର; ଡିକିରେ ରଖି ଶୁଆ ବିକ୍ରି!

ସମ୍ବଲପୁର: ଘରେ ବନ୍ୟ ଜୀବଜନ୍ତୁକୁ ପାଳିବା ଏବଂ ସେମାନଙ୍କୁ ଧରି ବ୍ୟବସାୟ କରିବା ବେଅାଇନ୍‌। ଯେଉଁଠାରେ ଏହି ଜଙ୍ଗଲୀ ଜୀବ କିମ୍ବା ପକ୍ଷୀକୁ ବନ୍ଦୀ କରି ରଖାଯାଇଛି କିମ୍ବା ବ୍ୟବସାୟ କରାଯାଉଛି ସେଠାରେ ଚଢ଼ଉ କରି ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାଷ୍ଠାନ ନିଆଯାଉଛି। ଧରପଗଡ଼ ମଧ୍ୟ ଜୋରଦାର ହେଉଛି। ମାତ୍ର ସବୁ ପ୍ରକାର କଠୋର ଦଣ୍ଡ ବ୍ୟବସ୍ଥା ସତ୍ତ୍ବେ କିଛି ଚତୁର ବ୍ୟବସାୟୀ ନୂଆ ଏବଂ ବିକଳ୍ପ ଉପାୟରେ ବନ୍ୟ ଜୀବଜନ୍ତୁଙ୍କୁ ଧରି ବ୍ୟବସାୟ କରୁଥିବା ଦେଖାଯାଇଛି। ବିଶେଷ କରି ଏବେ ସମ୍ବଲପୁର ସହର ଉପକଣ୍ଠରେ ଶୁଆ ବ୍ୟବସାୟ ଜୋର ଧରିଥିବା ଦେଖାଯାଇଛି। ପୁଲିସ ଓ ବନ ବିଭାଗର କର୍ମଚାରୀଙ୍କୁ ଚକ୍‌ମା ଦେଇ ଏପରି ବ୍ୟବସାୟ କରାଯାଉଛି। ସ୍ଥାନୀୟ ଲୋକଙ୍କ ପରିବର୍ତ୍ତେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଦେଖି ସେମାନଙ୍କୁ ଶୁଆ ବିକ୍ରି କରାଯାଉଛି।

କୌଣସି ନିକାଞ୍ଚାନ ଜାଗା କିମ୍ବା ରାସ୍ତା ପାର୍ଶ୍ବରେ ନୁହେଁ ପୂରା ଛକରେ ଏପରି ବ୍ୟବସାୟ ଚାଲିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଶୁଆ ଛୁଆଙ୍କୁ ଲୋକ ଲୋଚନରୁ ଦୂରେଇ ରଖିବା ପାଇଁ ଏବଂ କେହି ଜେପରି ନ ଜାଣି ପାରିବେ ସେଥିପାଇଁ ସେମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ତେବେ ବ୍ୟବସାୟୀମାନେ ଏଥିପାଇଁ ମୋପେଡ୍‌ ବ୍ୟବହାର କରୁଛନ୍ତି। ମୋପେଡ୍‌ ସିଟ୍‌ ତଳେ ଥିବା ସ୍ବତନ୍ତ୍ର ଡିକିରେ ଶୁଆ ଛୁଆଙ୍କୁ ରଖାଯାଉଛି। ବ୍ୟବସାୟୀ ଜଣଙ୍କ କୌଣସି ଏକ ଛକ ସ୍ଥାନରେ ଦୋକାନରେ ଠିଆ ହୋଇ ଲୋକମାନଙ୍କୁ ଚୁପ୍‌ରେ ପାଖକୁ ଡାକି କଥାବାର୍ତ୍ତା କରୁଛନ୍ତି। ରେଟ୍‌ ଛିଡ଼ିଲା ପରେ ଗାଡ଼ି ପାଖକୁ ନିଆଯାଇ ଶୁଆକୁ ଦେଖାଉଛନ୍ତି। ଶୁଆ ପିଛା ୫ଶହରୁ ୬ଶହ ଟଙ୍କା ପର୍ଯ୍ୟନ୍ତ ଡକରା ଦିଆଯାଉଛି। ଗ୍ରାହକ ରାଜି ହେବା ପରେ ତାଙ୍କୁ ସନ୍ତର୍ପଣରେ ମୋପେଡ୍‌ ପାଖକୁ ନେଇ ଡିକି ଖୋଲି ଶୁଆ ଦେଖାଇ ଦିଆଯାଉଛି। ଜଙ୍ଗଲ ଅଞ୍ଚଳରୁ ଆଣି ଜାତୀୟ ରାଜପଥ ପାର୍ଶ୍ବରେ ଏହି ବେପାର କରାଯାଉଥିଲେ ମଧ୍ୟ ଜଙ୍ଗଲ ବିଭାଗ ଓ ପୁଲିସ ପାଖରେ ଏ ନେଇ କୌଣସି ଖବର ରହୁ ନାହିଁ।

ମୋପେଡ୍‌ ଡିକିରେ ପ୍ରାୟ ୬ରୁ ୮ ଶୁଆ ଛୁଆଙ୍କୁ ରଖି ବ୍ୟବସାୟ କରାଯାଉଛି। ‌ରବିବାର ସମ୍ବଲପୁରରୁ ସୋନପୁର ରାସ୍ତାରେ ହୁମା ବକ୍ର ମନ୍ଦିର ଯିବା ପୂର୍ବରୁ ଥିବା ଏକ ଛକରେ ଜଣେ ବ୍ୟକ୍ତି ଏପରି ଉପାୟରେ ଶୁଆ ବିକ୍ରି କରୁଥିବା ଦେଖାଯାଇଥିଲା। ଶୁଆଗୁଡ଼ିକଙ୍କ ଠିକ୍‌ରେ ପର ବି ଉଠି ନଥିଲା। ମାଡ଼ି ଜାକି ଡିକି ମଧ୍ୟରେ ସେମାନଙ୍କୁ ରଖାଯାଇଥିଲା। ବ୍ୟବସାୟୀ ଜଣକ ଯୁଯୁମୁରା ଅଞ୍ଚଳରୁ ସେମାନଙ୍କୁ ଆଣିଥିବା କହିଥିଲା। ତେବେ ଏପରି ବେଆଇନ୍‌ ଭାବେ ଶୁଆ ବିକ୍ରିକୁ ପକ୍ଷୀ ଓ ପରିବେଶ ପ୍ରେମୀମାନେ ନାପସନ୍ଦ କରିଛନ୍ତି। ସେମାନଙ୍କୁ ଠାବ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe