ଖୋଲିଲା ଲୋକକଳା ଅଭିଲେଖାଗାର

ପ୍ରଦର୍ଶିତ ହେଉଛି ୭୫ ଲୋକକଳା ଶୈଳୀ

ଖୋଲିଲା ଲୋକକଳା ଅଭିଲେଖାଗାର

ଭୁବନେଶ୍ୱର: ଲୋକନୃତ୍ୟ, ଲୋକନାଟ୍ୟ, ଲୋକସଙ୍ଗୀତ ଆଦି ଲୋକକଳା ଦିନେ ଓଡ଼ିଶାବାସୀଙ୍କ ପ୍ରମୁଖ ମନୋରଞ୍ଜନର ମାଧ୍ୟମ ଥିଲା। ରେକର୍ଡ କହୁଛି ଓଡ଼ିଶାରେ ଯେତେ ପ୍ରକାର ଲୋକକଳା ରହିଛି ତାହା ଆଉ କେଉଁଠି ଦେଖାଯାଏ ନାହିଁ। ଗାଁ ଗହଳିଠାରୁ ଆରମ୍ଭ କରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକଙ୍କ କଥା କୁହେ ଲୋକକଳା ଓ ଲୋକ ସଂସ୍କୃତି। ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ ହେଉଛି ଲୋକକଳା। ପରିବର୍ତ୍ତିତ ସମୟ ଓ ଆଧୁନିକତାର ଛାପରେ ଧୀରେ ଧୀରେ ହଜିଯାଉଥିବା ଆମର ଏହି ପ୍ରଚୁର୍ଯ୍ୟଭରା ଲୋକକଳାର ପୁନରୁଦ୍ଧାର ତଥା ପ୍ରଚାରପ୍ରସାର ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ସଂସ୍କୃତି ଭବନ ପରିସରରେ ଆଜି ‘ଲୋକକଳା ଅଭିଲେଖାଗାର’ ଉଦ୍‌ଘାଟିତ ହୋଇଛି। ଏଥିରେ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଉଦ୍‌ଘାଟକ ଭାବେ ଯୋଗ ଦେଇଥିବା ବେଳେ ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ରାଉତରାଏ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଭାପତି ଅରୁଣା ମହାନ୍ତି, ଉପସଭାପତି ମନ୍ମଥ କୁମାର ଶତପଥୀ, ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଏକାଡେମି ସଚିବ ପ୍ରବୋଧ ରଥ ଅତିଥି ଭାବେ ଯୋଗ ଦେଇଥିଲେ।

ଲୋକକଳା ଅଭିଲେଖାଗାରରେ ଓଡ଼ିଶାର ଲୋକନୃତ୍ୟ, ଲୋକନାଟ୍ୟ, ଲୋକ ସଙ୍ଗୀତ ଓ ଲୋକ ବାଦ୍ୟରେ ବ୍ୟବହୃତ ସାମଗ୍ରୀ ଦେଖିବାକୁ ମିଳୁଛି। ଓଡ଼ିଶାର ପାରମ୍ପରିକ ବାଦ୍ୟଯନ୍ତ୍ର ଓ ଏହାସହିତ ଜଡ଼ିତ ଲୋକକଳାକୁ ଯୁବପିଢ଼ିଙ୍କ ପାଖରେ ପହଞ୍ଚାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଏବେ ସୁଦ୍ଧା ୩୫ଟି ସାମଗ୍ରୀ ସାଙ୍ଗକୁ ୭୫ଟି ଲୋକକଳାର ଅଡିଓ ଓ ଭିଡିଓକୁ ଏଥିରେ ସ୍ଥାନିତ କରାଯାଇଛି। ବଜାଶାଲ, ବୀଣା ଦଣ୍ଡ, ନଚନିଆ, ରଣପା, ଘୁଡ଼ୁକୀ, ଡାଲଖାଇ, ପରଭା, ସଂଚାର, ବାଘ ନାଟ, ଦଣ୍ଡ, କଣ୍ଢେଇ କାଳୀମୂର୍ତ୍ତି, ପ୍ରହଲ୍ଲାଦ ନାଟକ, କୃଷ୍ଣଲୀଳା, ରାଧାପ୍ରେମ ଲୀଳା, ଘୁମୁରା, ଠାକୁରାଣୀ ଯାତ୍ରା, ଭାରତ ଲୀଳା, ବୀଣାକାର ଆଦି ଲୋକକଳାରେ ବ୍ୟବହୃତ ଲୋକବାଦ୍ୟ, ପୋଷାକ ପରିପାଟ୍ଟୀକୁ ଏଥିରେ ସ୍ଥାନିତ କରାଯାଇଛି।

ଏହାସହିତ ଏହିସବୁ ଲୋକକଳା ସମ୍ପର୍କରେ ଜାଣିବା ପାଇଁ ଫଟୋ ଓ ଭିଡିଓ ମାଧ୍ୟମରେ ବ୍ୟବସ୍ଥା କରାଯାଇଛି। ଲୋକକଳାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଖୋଲା ହୋଇଥିବା ଏହି ଅଭିଲେଖାଗାର ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଏଥିରେ ସମସ୍ତ ଲୋକନୃତ୍ୟର ପୋଷାକ ପରିପାଟ୍ଟୀଠାରୁ ଆରମ୍ଭ କରି କଳାକାରମାନଙ୍କ ସମ୍ପର୍କରେ ସମସ୍ତ ସୂଚନା ରହିଛି। ପୂର୍ବରୁ ଲୋକକଳା ବାଦ୍ୟ ଯନ୍ତ୍ରକୁ ସଂଗ୍ରହ କରାଯାଇ ରଖାଯାଇଥିଲା। ଆଗକୁ ଏଥିରେ ଆଉ ଅଧିକ ସାମଗ୍ରୀକୁ ସାମିଲ କରାଯାଇ ଏହାକୁ ବ୍ୟାପକ କରାଯିବ। ଏଥିପାଇଁ ରାଜ୍ୟର କୋଣ ଅନୁକୋଣରେ ଥିବା ଲୋକକଳାରେ ବ୍ୟବହୃତ ସାମଗ୍ରୀକୁ ଏକାଡେମି ପକ୍ଷରୁ ସଂଗ୍ରହ କରାଯାଇ ଏକ ଭିନ୍ନ ଢଙ୍ଗରେ ରଖାଯାଇଛି। ଯାହାକି ସମସ୍ତଙ୍କ ମନ ଜିଣୁଛି। ଲୋକକଳାକୁ ନେଇ ଗବେଷଣା କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଉପାଦେୟ ହେବ ବୋଲି ଏକାଡେମି ସଚିବ ଶ୍ରୀ ରଥ କହିଛନ୍ତି। ରାଜ୍ୟରେ ପ୍ରାୟ ୧ ଶହରୁ ଊର୍ଦ୍ଧ୍ୱ ଲୋକନୃତ୍ୟ ଶୈଳୀ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe