ଖୋଲୁଛି ମୃତ୍ତିକା ସଂରକ୍ଷଣ, ଜଳ ବିଭାଜିକାର ଗୁମର: ବାଉଁଶ କଟାଯାଇଥିବା ଖବର ପ୍ରକାଶନ ପରେ ଜରିମାନା

Advertisment

ବନ୍ଧ ପାଇଁ ଭବିଷ୍ୟତରେ ନଷ୍ଟ ହେବ ଜଙ୍ଗଲ

ବନ୍ଧ ପାଇଁ ଭବିଷ୍ୟତରେ ନଷ୍ଟ ହେବ ଜଙ୍ଗଲ

ଖୋଲୁଛି ମୃତ୍ତିକା ସଂରକ୍ଷଣ, ଜଳ ବିଭାଜିକାର ଗୁମର: ବାଉଁଶ କଟାଯାଇଥିବା ଖବର ପ୍ରକାଶନ ପରେ ଜରିମାନା

ଦଶପଲ୍ଲା: ସଭାପତିଙ୍କ ଅଜାଣତରେ କମିଟିକୁ ମୋହରା ସଜାଇ ସରକାରୀ ଅନୁଦାନକୁ ଆତ୍ମସାତ୍ କରୁଛି ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ। ଦଶପଲ୍ଲା ବ୍ଲକ୍‌ର କୁଲୁରୁକୁମ୍ପା ପଞ୍ଚାୟତରେ ମା’ ମଣ୍ତଳଦେବୀ ଅଣୁ ଜଳ ବିଭାଜିକା କମିଟି ନାମରେ ଆଡ଼ିବନ୍ଧଠାରୁ ଆରମ୍ଭ କରି ପୋଖରୀ ଖନନ, ଜମିବନ୍ଧ ନିର୍ମାଣ ଏବଂ କୂଅ ଆଦିକୁ ଖୋଦ୍‌ ବିଭାଗର କର୍ମଚାରୀମାନେ ଠିକାଦାର ସାଜି ନିର୍ମାଣ କରୁଛନ୍ତି। ନିୟମକାନୁନକୁ ଜଳାଞ୍ଜଳି ଦେଇ ସରକାରୀ ଅର୍ଥକୁ ତଳୁ ଉପର ପର୍ଯ୍ୟନ୍ତ ଅଧିକାରୀମାନେ ମିଳିମିଶି ଆତ୍ମସାତ୍ କରୁଥିବା ବେଳେ ଧୀରେଧୀରେ ଏହାର ଗୁମର ସାମ୍ନାକୁ ଆସିବାରେ ଲାଗିଛି। ଏହି କମିଟି ନାମରେ ବିଭିନ୍ନ କାମ ହୋଇଥିବା ଦର୍ଶାଇ ୩୮ ଲକ୍ଷ ୧୫ ହଜାର ୪ ଶହ ୫୧ ଟଙ୍କା ବିଲ୍ ହୋଇଥିବା ବିଭାଗ ପକ୍ଷରୁ ଦର୍ଶାଯାଇଥିବା ବେଳେ ଏସବୁ ବିଲ୍ କିମ୍ବା କାମ ସମ୍ପର୍କରେ ଖୋଦ୍‌ କମିଟିର ସଭାପତି ନକୁଳ ଜାନୀ ଜାଣି ନଥିବା କହିଛନ୍ତି। କାମର କୌଣସି ଏଷ୍ଟିମେଟ୍ ହେଉ କି ବିଲ୍, ସେଥିରେ ଦସ୍ତଖତ କରାଯିବା କଥା ସେ ଜାଣି ନଥିବା ସ୍ପଷ୍ଟ ଭାବେ କହିଛନ୍ତି। ଯଦି ତାଙ୍କର କୌଣସି ଜାଲ୍ ଦସ୍ତଖତ ହୋଇଥିବ, ସେ ସମ୍ପର୍କରେ ମଧ୍ୟ ଅନୁସନ୍ଧାନ ହେବାର ଆବଶ୍ୟକତା ରହିଛି। ହେଲେ ଯେଉଁଠି ସଭାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ କାମ ହେବା କଥା ସେଠି ତାଙ୍କର ବିନା ଦସ୍ତଖତରେ ଏତେ ଟଙ୍କା କିଭଳି ବିଲ୍ ହେଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

‘ସମ୍ବାଦ’ରେ ଏସମ୍ପର୍କରେ ଖବର ପ୍ରକାଶନ ପରେ ଠିକାଦାର ସାଜିଥିବା ସଂପୃକ୍ତ ମହିଳା କର୍ମଚାରୀ, ‘‘ଗଣମାଧ୍ୟମକୁ କ’ଣ କହିଛ’’ ବୋଲି ତାଙ୍କୁ ନାନା କଥା ପଚାରିବା ସହ ଘଟଣାକୁ ଚାପିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିବା ଜଣାପଡ଼ିଛି। ଏପଟେ ତଳବିଡ଼ାସ୍ଥିତ ଶୁଳିଆ ପାହାଡ଼ଠାରେ ୨୪ ଲକ୍ଷ ୯୬ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଆଡ଼ିବନ୍ଧର ସ୍ଥାୟୀତ୍ବ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାହାକି କାମ ସରିବାର କିଛି ମାସ ବିତିନଥିବା ବେଳେ ବନ୍ଧରେ ଫାଟ ସୃଷ୍ଟି ହୋଇଛି। ସେହିଭଳି ବନ୍ଧହୁଡ଼ାରେ ଲଗାଯାଇଥିବା ନଡ଼ିଆ ଗଛରେ ଗୋରଡ଼ି ପାଇଁ ନିକଟସ୍ଥ ଜଙ୍ଗଲରୁ ବେଆଇନ ଭାବେ ବହୁ ବାଉଁଶ କଟାଯାଇଛି। ଘଟଣା ସାମ୍ନାକୁ ଆସିବା ପରେ ବନବିଭାଗ ଏହାର ତଦନ୍ତ ଆରମ୍ଭ କରି ସଂପୃକ୍ତ ବିଭାଗକୁ ଜରିମାନା ପକାଇଥିବା ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ କହିଛନ୍ତି। ବନବିଭାଗର ବିନା ଅନୁମତିରେ ୨୫ଟି ବାଉଁଶ କଟାଯାଇ ଏଭଳି ଗୋରଡ଼ି କରାଯାଇଥିବା ସେ କହିଛନ୍ତି। ଏଥିପାଇଁ ପ୍ରାୟ ୨ ହଜାର ଟଙ୍କା ଜରିମାନା ପକାଯାଇଥିବା ବେଳେ ଖୁବ୍‌ଶୀଘ୍ର ଏହାକୁ ଜମା କରିବା ପାଇଁ କୁହାଯାଇଥିବା କହିଛନ୍ତି। ତଦନ୍ତ ସମୟରେ ମଧ୍ୟ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଏହି ବନ୍ଧରେ ପାଣି ପୂର୍ଣ୍ଣ ହେଲେ ଏହା ଆଗକୁ ଜଙ୍ଗଲ ପାଇଁ ବିପଦ ସୃଷ୍ଟି କରିବ। ମାଟି ଅତଡ଼ା ଖସି ଜଙ୍ଗଲରୁ ଗଛ ନଷ୍ଟ ହେବାର ସମ୍ଭାବନା ଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ଦେହୁରୀ କହିଛନ୍ତି। ସେହିଭଳି ଜଙ୍ଗଲ-୨ ମଧ୍ୟରେ ଏକ ପାଦଚଲା ରାସ୍ତା ରହିଥିବା ବେଳେ ତାହା ମଧ୍ୟରେ ଟ୍ରାକ୍ଟର ଓ ଜେସବି ନେଇ ଏକ ବଡ଼ ରାସ୍ତା ହୋଇଛି। ଯାହା ଫଳରେ କିଛି ଗଛ ମଧ୍ୟ ନଷ୍ଟ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe