ପ୍ରହସନ ପାଲଟିଲା ସାଇବର ଅପରାଧ ସମ୍ପର୍କିତ ଆଲୋଚନା: ଚିଠି ଲେଖି ଭୁଲିଗଲେ

Advertisment

ଅଧିକାଂଶ ସ୍କୁଲ କର୍ତୃପକ୍ଷଙ୍କ ନିକଟରେ ଖବର ନାହିଁ, ଓପେପା ପ୍ରକଳ୍ପ ନିର୍ଦେଶକ କହିଲେ ଜାଣିନି

ଅଧିକାଂଶ ସ୍କୁଲ କର୍ତୃପକ୍ଷଙ୍କ ନିକଟରେ ଖବର ନାହିଁ, ଓପେପା ପ୍ରକଳ୍ପ ନିର୍ଦେଶକ କହିଲେ ଜାଣିନି

ପ୍ରହସନ ପାଲଟିଲା ସାଇବର ଅପରାଧ ସମ୍ପର୍କିତ ଆଲୋଚନା: ଚିଠି ଲେଖି ଭୁଲିଗଲେ

Careerjobs360

ଭୁବନେଶ୍ୱର: ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନତା ଲାଗି ଅଭିନବ ଉଦ୍ୟମ କରିଥିଲା ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓପେପା)। ଗତ ଏପ୍ରିଲ ୨ ତାରିଖରେ ଓପେପା ପ୍ରକଳ୍ପ ନିର୍ଦେଶକ ଭୂପିନ୍ଦର ସିଂ ପୁନିଆ ରାଜ୍ୟର ସମସ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କୁ ଚିଠି(ନଂ-୩୨୮୩/୨/୪/୨୦୧୮) ଲେଖି ସ୍କୁଲଗୁଡ଼ିକରେ ଆଲୋଚନାଚକ୍ର କରିବାକୁ ନିର୍ଦେଶ ଦେଇଥିଲେ। ଏପ୍ରିଲ ୧୭ରେ ସମସ୍ତ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ସାଇବର ସମ୍ପର୍କିତ ଆଲୋଚନା କରିବାକୁ କହିଥିଲେ। ଶେଷ ଦୁଇଟି କ୍ଲାସ ବାତିଲ୍‌ କରି କାର୍ଯ୍ୟକ୍ରମ କରିବାକୁ ନିର୍ଦେଶ ଦିଆଯାଇଥିଲା। କିନ୍ତୁ ପ୍ରକଳ୍ପ ନିିର୍ଦେଶକଙ୍କ ଚିଠିକୁ କେହି ଖାତିର କରିନାହାନ୍ତି। ସ୍କୁଲ ପ୍ରଧାନଶିକ୍ଷକଙ୍କ ପାଖରେ ଚିଠି ପହଞ୍ଚିନି। ଡିପିସି ବି ଚିଠି ପାଇ ଚୁପ୍‌ ବସିପଡ଼ିଲେ। ଓପେପା ପ୍ରକଳ୍ପ ନିର୍ଦେଶକ ଶ୍ରୀ ପୁନିଆ ଏ ସମ୍ପର୍କରେ କିଛି ଚିଠି କରିଥିବା ନେଇ ମଧ୍ୟ ଜାଣିନାହାନ୍ତି। ଓପେପା ପକ୍ଷରୁ କୁହାଯାଇଥିଲା ଯେ ସ୍କୁଲ ପିଲାଙ୍କ ମଧ୍ୟରେ ସୋସିଆଲ୍‌ ନେଟଓ୍ଵାର୍କିଂ ଏବେ ବ୍ୟାପକ ହୋଇଛି। ଛାତ୍ରଛାତ୍ରୀ ତାହାର ଉପଯୁକ୍ତ ବ୍ୟବହାର କରି ନ ପାରିବା ଦ୍ୱାରା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ପିଲାଙ୍କୁ ସଚେତନ କରିବା ଦାୟିତ୍ୱ ଶିକ୍ଷକଙ୍କର ଯେତିକି ରହିଛି ବାପା, ମା’ଙ୍କର ତା’ଠାରୁ ଅଧିକ। ସେମାନେ ପିଲାଙ୍କୁ ଉପଯୁକ୍ତ ଦିଗ୍‌ଦର୍ଶନ ଦେଇପାରିବେ। ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୭ରେ ଶେଷ ଦୁଇଟି କ୍ଲାସ ବାତିଲ୍‌ କରି କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଥିଲା। ଷଷ୍ଠରୁ ଦଶମ ଶ୍ରେଣୀର ପିଲାଙ୍କୁ ଏଥିରେ ସାମିଲ କରିବାକୁ ନିର୍ଦେଶ ଦିଆଯାଇଥିଲା। ସ୍କୁଲ ପ୍ରଧାନଶିକ୍ଷକମାନେ କାର୍ଯ୍ୟକ୍ରମର ଫଟୋ ଓ କାର୍ଯ୍ୟକ୍ରମ ସମ୍ପର୍କରେ ‘schoolstudenthelplinesme@gmail.com’ରେ ପଠାଇବାକୁ କୁହାଯାଇଥିଲା। ବିଦ୍ୟାଳୟର କମ୍ପ୍ୟୁଟର ଦକ୍ଷତା ଥିବା ଅଭିଜ୍ଞ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଆଲୋଚନା କରିବାର ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ କିଛି ବି ହୋଇପାରି ନାହିଁ। ପ୍ରହସନ ପାଲଟିଛି ଓପେପା ପ୍ରକଳ୍ପ ନିର୍ଦେଶକଙ୍କ ଚିଠି। କେହି ବି ତାହାକୁ କାର୍ଯ୍ୟକାରୀ କରି ନ ଥିବା ଦେଖିବାକୁ ମିଳିଛି। ଆଜି ଭୁବନେଶ୍ୱରର ୧୦ରୁ ଅଧିକ ସ୍କୁଲ ପରିଦର୍ଶନ କରିଥିଲେ ମଧ୍ୟ କୌଣସି ସ୍ଥାନରେ କାର୍ଯ୍ୟକ୍ରମ ହେଉଥିବାର ଦୃଶ୍ୟ ନଜରକୁ ଆସି ନ ଥିଲା। କେତେକ ସ୍କୁଲ ପ୍ରଧାନଶିକ୍ଷକ କହିଥିଲେ ଯେ ଏଭଳି କାର୍ଯ୍ୟକ୍ରମ କରିବାକୁ ଆମ ପାଖକୁ କିଛି ବି ଚିଠି ଆସିନି। ଆଉ କିଛି ବିଦ୍ୟାଳୟର ପ୍ରଧାନଶିକ୍ଷକ କହିଥିଲେ ଯେ ଖବରକାଗଜ ଏବଂ ହ୍ଵାଟସପ୍‌ରେ ବୁଲୁଥିବା ଚିଠିରୁ ଜାଣିବାକୁ ପାଇଥିଲୁ। କିନ୍ତୁ ଭୁଲି ଯାଇଛୁ। ଏତେ କମ୍‌ ସମୟରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଏକାଠି କରି କାର୍ଯ୍ୟକ୍ରମ କରିବା ସମ୍ଭବପର ନୁହେଁ। ତେଣୁ ପରେ ଆଉ କେଉଁ ଦିନ କରିଦେବୁ। ସ୍କୁଲ କର୍ତୃପକ୍ଷଙ୍କଠାରୁ ଏଭଳି ଖାମଖିଆଲି ଉତ୍ତର ପାଇବା ପରେ ଆମେ ଓପେପା ପ୍ରକଳ୍ପ ନିର୍ଦେଶକ ଶ୍ରୀ ପୁନିଆଙ୍କୁ ଯୋଗାଯୋଗ କରିଥିଲୁ। ସେ କହିଥିଲେ ଯେ ଆଜି କିଛି କାର୍ଯ୍ୟକ୍ରମ ନ ଥିଲା। ବୋଧେ ଗତ ମାସରେ କାର୍ଯ୍ୟକ୍ରମ କରିବାକୁ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe