ଅପରେସନ୍‌ ବାର୍ଡ ଫ୍ଲୁ : ସ୍ଥିତି ନିୟନ୍ତ୍ରଣାଧୀନ, ବିପଦ ଟଳିନି

Advertisment
ବାର୍ଡ ଫ୍ଲୁ ଭୟ, ରାଜଧାନୀରୁ ୧୦୦ କୁକୁଡ଼ାଙ୍କ ନମୁନା ସଂଗ୍ରହ

ବ୍ରହ୍ମଗିରି : ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସାଙ୍ଗକୁ ଆଗୁଆ ପ୍ରତିକାର ବ୍ୟବସ୍ଥା ଫଳରେ ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳରେ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଛି। ତେବେ ବିପଦ ପୂରା ଟଳିନାହିଁ। ଏବେ ବି ପକ୍ଷୀ ମଡ଼କ ଜାରି ରହିଥିବା ବେଳେ କାଉ ଓ ପାରା ଅସ୍ବାଭାବିକ ଭାବେ ମରୁଛନ୍ତି। ଅନ୍ୟପକ୍ଷରେ କୃଷ୍ଣପ୍ରସାଦ ବ୍ଲକ୍‌ରେ ଅପରେସନ୍‌ ବାର୍ଡ ଫ୍ଲୁ ଆଜି ତୃତୀୟ ଦିନରେ ପହଞ୍ଚିଛି।

ଆଜି ସକାଳେ ୫ଟି ରାପିଡ୍‌ ରେସ୍‌ପନ୍ସ ଟିମ ଓ ୩ଟି ସର୍ବେକ୍ଷଣ ଟିମ ଏକାଠି ହୋଇ କୁକୁଡାମରା ଅଭିଯାନ ଆରମ୍ଭ କରିଥିଲେ। ଗତକାଲି ରେଡ୍‌ ଜୋନ୍‌ରେ କୁକୁଡାମରା ଅଭିଯାନ ଶେଷ ପରେ ଆଜି ୟଲୋ ଜୋନ୍‌ (ବାର୍ଡ ଫ୍ଲୁ ପ୍ରଭାବିତ ଅଞ୍ଚଳର ଏକ କିମିରୁ ୧୦ କିମି ପରିସର) ଅଞ୍ଚଳରେ କୁକୁଡାମରା ଅଭିଯାନ ହୋଇଛି। ସୋମବାର ବ୍ରାହ୍ମଣଦେଉ ଓ ମାଲୁଦ ଇଲାକାରୁ ୪ ହଜାର ୬୦୫ କୁକୁଡା ମରାଯିବା ସହିତ ୪୧୦ଟି ଅଣ୍ତା ନଷ୍ଟ କରାଯାଇଛି। ‌ୟଲୋ ଜୋନ୍‌ ୧୦ କିଲୋମିଟର ଆଗକୁ ବି କୁକୁଡାମରା ଚାଲିବ ବୋଲି ସ୍ଥାନୀୟ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଦୟାନିଧି ବେହେରା କହିଛନ୍ତି। ସେପଟେ ବ୍ରହ୍ମଗିରିରେ ଆଜି ବିଭିନ୍ନ ଗାଁରେ ୧୦ରୁ ଅଧିକ କାଉ ମରି ପଡିଥିବା ବେଳେ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ କର୍ମଚାରୀ ସେଗୁଡିକୁ ଜବତ କରି ପୋଡି ଦେଇଛନ୍ତି। କାଉ ଓ ପାରା ମଡ଼କ ଜାରି ରହିଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବ୍ରହ୍ମଗିରିରୁ ଭୋପାଳ ଯାଇଥିବା ୭୦ଟି ପକ୍ଷୀ ନମୁନାର ପରୀକ୍ଷା ରିପୋର୍ଟ ଆସିନାହିଁ। ସେହିପରି ସ୍ଥିତି ସମ୍ପୂର୍ଣ୍ଣ ନସୁଧୁରିବା ଯାଏ ପର୍ଯ୍ୟଟକଙ୍କୁ ଚିଲିକାର ପକ୍ଷୀ ଅଭୟାରଣ୍ୟ ‘ନଳବଣ’କୁ ଛଡାଯାଉନାହିଁ। ଏଠାରେ ବନ ବିଭାଗର ୧୨ଟି ଟିମ୍‌ ପଇଁତରା ମାରୁଛି। ବାର୍ଡ ଫ୍ଲୁ ଯୋଗୁ ଏବେ ନଳବଣ ବିପଦରେ ରହିଛି। କୃଷ୍ଣପ୍ରସାଦରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବା ପରେ ନଳବଣ ସହିତ ଏହାର ନିଷିଦ୍ଧାଞ୍ଚଳ ବାହାରେ କଡା କଟକଣା ଜାରି କରାଯାଇଛି। ଇତିମଧ୍ୟରେ ନଳବଣରେ ଥିବା ବିଦେଶୀ ପକ୍ଷୀଙ୍କଠାରୁ ୧୨ଟି ନମୁନା ପରୀକ୍ଷଣ ପାଇଁ ଭୋପାଳ ପଠାଯାଇଛି। ଦୁଇଟି ପକ୍ଷୀ ନଳବଣରେ ମରିଥିବା କୁହାଯାଉଥିଲେ ମଧ୍ୟ ବନ ବିଭାଗର କୌଣସି ଅଧିକାରୀ ଏ ସଂପର୍କରେ କିଛି କହୁନାହାନ୍ତି। ତେଣୁ ନଳବଣ ଭିତରେ କ’ଣ ସ୍ଥିତି ରହିଛି ତାହା ସ୍ପଷ୍ଟ ହୋଇ ପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe