ଭୁବନେଶ୍ୱର: ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ‘ଅପରେସନ ସାଇବର କବଚ’ ସମଗ୍ର ରାଜ୍ୟରେ ଜାରି ରହିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ  ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏସ୍‌.ପି. ଓ ଡି.ସି.ପି.ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସାଇବର କ୍ରାଇମ୍ ୟୁନିଟ୍‌ ମାନଙ୍କ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି ଅଭିଯାନ ଅଧୀନରେ ସାଇବର ଠକେଇରେ ବ୍ୟବହୃତ ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଏବଂ ଏଥିରେ ସମ୍ପୃକ୍ତ ସହାୟକମାନଙ୍କୁ ଚିହ୍ନଟ କରାଯାଇ ଦୃଢ  ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

Advertisment

ଏପର୍ଯ୍ୟନ୍ତ ‘ଅପରେସନ ସାଇବର କବଚ’ ଅନ୍ତର୍ଗତ ସମଗ୍ର ରାଜ୍ୟରେ ମୋଟ ୩୨,୯୩୨ଟି ମ୍ୟୁଲ୍/ବେନାମୀ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଛି। ଏହାସହ ମ୍ୟୁଲ୍ ବ୍ୟାଙ୍କ ସମ୍ପର୍କିତ ୧୦୯୬ଟି ସାଇବର ମାମଲା, ଏଟିଏମ୍ ମାଧ୍ୟମରେ ଟଙ୍କା ଉଠାଣ ସମ୍ପର୍କିତ ୩୪ଟି ମାମଲା, ଚେକ୍ ମାଧ୍ୟମରେ ଟଙ୍କା ଉଠାଣ ସମ୍ପର୍କିତ ୩୬ଟି ମାମଲା ଏବଂ ନକଲି ସିମ୍/PoS ସମ୍ପର୍କିତ ୨୩ଟି ମାମଲା ରୁଜୁ ହୋଇଛି। ଏପର୍ଯ୍ୟନ୍ତ ୩୩୧ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ୧୮୫ଟି ପୁରୁଣା ଏଫ୍‌.ଆଇ.ଆର୍‌ ସହ ସଂପୃକ୍ତ ୬୭୨୩ଜଣ ସନ୍ଦିଗ୍ଧ ଆକାଉଣ୍ଟଧାରୀ/ସହାୟକଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି।

ଏହି ବିଶେଷ ଅଭିଯାନରେ ପୁରୀ ଜିଲ୍ଲା ପୋଲିସ ୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ମାମଲା ରୁଜୁ କରି ୧ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୁନ୍ଦରଗଡ଼ ଜିଲ୍ଲା ପୋଲିସ ୧୯ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ମାମଲା ରୁଜୁ କରି ୧ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ଝାରସୁଗୁଡ଼ା ଜିଲ୍ଲା ପୋଲିସ ୧ଟି ମାମଲା ରୁଜୁ କରି ୨ଜଣଙ୍କୁ ନୋଟିସ୍ ଜାରି କରିଛି। ରାଉରକେଲା ଜିଲ୍ଲା ପୋଲିସ ୧୩ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ଚେକ୍ ମାଧ୍ୟମରେ ଟଙ୍କା ଉଠାଣ ସମ୍ପର୍କିତ ୧ଟି ମାମଲା ରୁଜୁ କରି ୧ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି।

ଆହୁରି ପଢନ୍ତୁ: Bike hits truck: ଟ୍ରକକୁ ଧକ୍କା ଦେଲା ବାଇକ, ବାପା ସହ ପୁଅର ମୃତ୍ୟୁ

କଟକ ଜିଲ୍ଲା ପୋଲିସ ୮ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛି। ନୟାଗଡ଼ ଜିଲ୍ଲା ପୋଲିସ ୨୩୮ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧୪ଜଣଙ୍କୁ ନୋଟିସ୍ ଜାରି କରିଛି। ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ୪୨ଟି, ବାଲେଶ୍ଵର ଜିଲ୍ଲା ପୋଲିସ ୪୧ଟି ଏବଂ ଭଦ୍ରକ ଜିଲ୍ଲା ପୋଲିସ ୬୬ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ପୋଲିସ ୧୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧୧ଜଣଙ୍କୁ ଆଇନଗତ ନୋଟିସ୍ ଜାରି କରିଛି। ଭୁବନେଶ୍ଵର (UPD) ୨୩ଟି ଏବଂ କଟକ (UPD) ୨ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛନ୍ତି।

ସେହିପରି ବ୍ରହ୍ମପୁର ଜିଲ୍ଲା ପୋଲିସ ୮ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ପୁରୁଣା ୧ଟି ଏଫ୍‌.ଆଇ.ଆର୍‌ ସହ ସଂପୃକ୍ତ ୨୮ଜଣଙ୍କୁ ନୋଟିସ୍ ଜାରି କରିଛି। ବୌଦ୍ଧ ଜିଲ୍ଲା ପୋଲିସ ୩ଟି ଏବଂ କନ୍ଧମାଳ ଜିଲ୍ଲା ପୋଲିସ ୩ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ପ୍ରତ୍ୟେକରେ ୩ଜଣଙ୍କୁ ନୋଟିସ୍ ଜାରି କରିଛି। କଳାହାଣ୍ଡି ଜିଲ୍ଲା ପୋଲିସ ୮୯ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧୮ଜଣଙ୍କୁ ନୋଟିସ୍ ଜାରି କରିଛି। କୋରାପୁଟ ଜିଲ୍ଲା ପୋଲିସ ୭୭ଟି, ମାଲକାନଗିରି ଜିଲ୍ଲା ପୋଲିସ ୩ଟି ଏବଂ ନୂଆପଡ଼ା ଜିଲ୍ଲା ପୋଲିସ ୬୬ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରିଛନ୍ତି।

ଆହୁରି ପଢନ୍ତୁ: Literature: ଅରବିନ୍ଦ ଦାସଙ୍କ କଲମରୁ ନିସୃତ ଗଳ୍ପ ‘ସର୍‌ପ୍ରାଇଜ୍‌’...

ରାଜ୍ୟବାସୀଙ୍କ ଡିଜିଟାଲ କାରବାରର ସୁରକ୍ଷା ପାଇଁ ଓଡ଼ିଶା ପୋଲିସ ସର୍ବଦା ପ୍ରତିଶ୍ରୁତିବଦ୍ଧ। ସାଇବର ଅପରାଧ ମୁକ୍ତ ଓଡ଼ିଶା ଗଠନ ପାଇଁ ଏହି ଅଭିଯାନ ଆଗାମୀ ଦିନରେ ଆହୁରି କଡ଼ାକଡ଼ି ହେବ ବୋଲି ଡିଜିପି ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି।