ସର୍ପ୍ରାଇଜ୍
ଅରବିନ୍ଦ ଦାସ
ସକାଳୁ ସକାଳୁ ସୁବ୍ରତଙ୍କ ସହ ବୋଉଙ୍କୁ ଦେଖି ଅବାକ୍ ହୋଇଗଲା ଶ୍ଳୋକା।
ତା’ ମୁହଁର ଭାବକୁ ଦେଖି ସୁବ୍ରତ କହିଲା, ‘‘ଏମିତି କ’ଣ ଅନେଇଛ? ଗତକାଲି ତମେ ମୋତେ ଏତେ ନେହୁରା ହେଉଥିଲ ପରା।’’
ଶ୍ଳୋକା ଜାଣିପାରୁ ନ ଥିଲା କ’ଣ ଉତ୍ତର ଦେବ। ନିଜ ଘରେ ଏ ବର୍ଷ ମହିଳା ଦିବସ ଉପଲକ୍ଷେ ଗୋଟେ ପାର୍ଟି ଆୟୋଜନ କରି କଲୋନିର ସବୁ ବାନ୍ଧବୀମାନଙ୍କୁ ନିମନ୍ତ୍ରଣ ଦେଇଥିଲା। ଗତକାଲି ଘରେ ରୋଷେଇ କରୁଥିବା ସହାୟିକା ରଞ୍ଜୁକୁ କହିଥିଲା, ‘‘ଶୁଣ୍, ଆସନ୍ତାକାଲି ଘରେ ପାର୍ଟି ଅଛି। ତୁ ସକାଳୁ ଜଲ୍ଦି ଆସି ରୋଷେଇ ଆରମ୍ଭ କରିଦେବୁ।’’
ମୃଦୁହସି ରଞ୍ଜୁ ପଚାରିଥିଲା, ‘‘ମା’, କାଲି କାହାର ବାର୍ଥ ଡେ ନା ତମର ଆନିଭର୍ସରୀ?’’
‘‘ସେସବୁ କିଛି ନାହିଁ। ମାର୍ଚ୍ଚ ୮, ମହିଳା ଦିବସ ଉପଲକ୍ଷେ ଏଇ ପାର୍ଟି। ଏ ବର୍ଷ ସବୁ ସାଙ୍ଗଙ୍କ ଡିମାଣ୍ଡ, ହୋଟେଲରୁ ମଗା ନ ହୋଇ, ଘର ତିଆରି ଖାଣ୍ଟି ଓଡ଼ିଆ ମେନୁ; ମାନେ କାନିକା, ମିଠାଡାଲି, ମାଛଝୋଳ, ଛତୁ ବେସର, ପୋଟଳ କୁରୁମା, ଶାଗଭଜା, ଆମ୍ବୁଲ ରାଇ ଓ ଚାଉଳ ଖିରି। ବୁଢ଼ୀମା’ ତ ଏ ବର୍ଷ ନାହାନ୍ତି, ତେଣୁ ତୋ ଉପରେ ସବୁ ଦାୟିତ୍ୱ।’’
ବଡ଼ ବଡ଼ ଆଖି କରି ରଞ୍ଜୁ କହିଲା, ‘‘ମହିଳା ଦିବସ, କ୍ଲବ୍ରେ ପାଳନ ନ କରି ଘରେ କାହିଁକି କରୁଛ?’’
ଆହୁରି ପଢ଼ନ୍ତୁ- Trump statement: ଅଶୋଧିତ ତୈଳ ମୂଲ୍ୟ ୧୦୦ ଡଲାର ଟପିଲା: ଏହି ମୂଲ୍ୟ ବହୁତ କମ୍ କହିଲେ ଟ୍ରମ୍ପ
ଫେଁ କିନା ହସିଦେଇ ଶ୍ଳୋକା କହିଲା, ‘‘ଆମେ ବିବାହିତ ମହିଳାମାନେ ନିଜ ଘରେ ସବୁବେଳେ ପରାଧୀନ ଭାବେ ଜୀବନ ବିତାଉ। ନାଁକୁ ମାତ୍ର ଆମେ ଘର ମାଲିକାଣୀ। ହେଲେ ଶାଶୂ ଥିବା ଘରେ ମୋ ଭଳି ମହିଳାଙ୍କ ସ୍ବାଧୀନତା କାହିଁ? ତୋ ବାବୁଙ୍କ ସହ ଝଗଡ଼ା କରି, ତାଙ୍କୁ ପଟେଇ, ଶାଶୂଙ୍କୁ ଏଥର ଗାଁକୁ ପଠେଇ ଦେଇଛି ବୋଲି ଏତେ ବର୍ଷ ପରେ ଏଥର ମହିଳା ଦିବସ ମୁଁ ସ୍ୱାଧୀନ ଭାବରେ ଘରେ ବିତାଇବି ବୋଲି ଏଇ ପାର୍ଟି କରୁଛି।’’
ଆବାକାବା ହୋଇ ଅନାଇଥିଲା ରଞ୍ଜୁ। ନିଜ ଘର କଥା ମନେପଡୁଥିଲା। ତା’ ଶାଶୂ ବି ଖେଟଖେଟ ଲଗାଏ ତା’ ସହିତ। ତିନି ଘରେ ରୋଷେଇ କରି ରଞ୍ଜୁ ଏଇ କିଛି ମାସ ହେଲାଣି ଟଙ୍କା କମାଉଛି। ରଞ୍ଜୁ ସ୍ୱାମୀ ମୋହନ, ଅଟୋ ଚଳାଏ। ଏମିତିରେ ତାକୁ ବହୁତ ଭଲ ପାଏ ମୋହନ, ହେଲେ ଶାଶୂ ବୁଢ଼ୀ ତା’ ନାଁରେ ମୋହନ ଆଗରେ କୁହେ ବୋଲି, ବେଳେବେଳେ ମଦ ପିଇ ତାକୁ ଗାଳିଗୁଲଜ କରେ। ଶାଶୂ ଉପରେ ସେଥିପାଇଁ ଚିଡ଼େ ରଞ୍ଜୁ। ହେଲେ ଉପାୟ ବା କ’ଣ ଅଛି? ତେବେ ତା’ର ଦୁଇ ପିଲାଙ୍କୁ ସମ୍ଭାଳେ ଶାଶୂ ଓ ଘରେ ରୋଷେଇବାସରେ ବି ସାହାଯ୍ୟ କରେ। ବରଂ କହିବାକୁ ଗଲେ, ଏବେ ରଞ୍ଜୁ ବାହାରେ କାମ କରୁଛି ବୋଲି ଶାଶୂ ପ୍ରାୟ ରୋଷେଇ କରିଦିଏ।
‘‘ତମେ ଠିକ୍ କହିଛ ମା’, ଶାଶୂ ଥିବା ଘରେ ବୋହୂର ସ୍ବାଧୀନତା କାହିଁ? ମୋ କଥା ଦେଖୁନ? ଆମେ ରହୁଥିବା ଦୁଇ ବଖରା ପକ୍କା ଘରଟା ମୋ ଶାଶୂ ନାଁରେ ଅଛି। ସେଥିପାଇଁ ବୁଢ଼ୀ ସବୁବେଳେ ଦେଖେଇ ଶୁଣେଇ କୁହେ, ଆଲୋ ମୋରି ଘରେ ତୁ ରହିଛୁ ବୋଲି ଜାଣିଥା। ତେଣୁ ମୋ ଉପରେ ହୁକୁମ ଚଳାଇବୁ ନାହିଁ।’’
ଆହୁରି ପଢ଼ନ୍ତୁ-Editorial: ଭଗବାନପ୍ରକାଶଙ୍କ ସମ୍ପାଦକୀୟ ବିକଳ୍ପ ବିଶ୍ବରେ ଏଥର ‘ନମସ୍ତେ ଇଣ୍ଡିଆ’...
ଶ୍ଳୋକା କହିଲା, ‘‘ତୁ ଅଲଗା ରହୁନୁ? ନିଜେ ତ କାମ କରି ରୋଜଗାର କରୁଛୁ। ପିଲାମାନେ ତ ସରକାରୀ ସ୍କୁଲରେ ପଢୁଛନ୍ତି। ତେଣୁ ଅସୁବିଧା କ’ଣ? ସ୍ୱାଧୀନ ଭାବେ ନିଜ ଜୀବନ ବିତାଇବାର ଅଧିକାର ସବୁ ମହିଳାଙ୍କର ଅଛି। ତୋର ବି ଅଛି। ସେଇଥିପାଇଁ ତ ଏବେ ଆମେ ପ୍ରତିବର୍ଷ ମହିଳା ଦିବସ ମନାଉଛେ। କାହା ଦ୍ୱାରା କାହିଁକି ଅତ୍ୟାଚାରିତ ହେବା?’’
ଟିକେ ରହି ରଞ୍ଜୁ କହିଲା, ‘‘ଅତ୍ୟାଚାର ନୁହେଁ, ମୋ ଶାଶୂ ଟିକେ ମୁଖରା, ମୁହଁଖୋର।’’
‘‘ଏସବୁ ତୋ ଶାଶୂର ମାନସିକ ଅତ୍ୟାଚାର। ମୋ ଶାଶୂ ବି ଛୋଟଛୋଟ କଥାରେ ମୋ ଦୋଷ ତ୍ରୁଟି ବାହାର କରୁଥିଲେ। ସକାଳ ଆଠ, ନ’ରେ ମୋର ଉଠିବା, ଅଗାଧୁଆ ରୋଷେଇ କରିବା, ମୋ କ୍ଲବ୍ ଯିବା, ନାଚଗୀତ ପାର୍ଟି, ମୋବାଇଲରେ ଟିକ୍ଟକ୍ ଭିଡିଓ କରିବା, ଘରେ ରୋଷେଇ ନ କରି ବାହାରୁ ଅନ୍ଲାଇନ୍ରେ ଖାଇବା ମଗାଇବା ଇତ୍ୟାଦି ତାଙ୍କର ଜମା ପସନ୍ଦ ନୁହେଁ। ତୋ ଶାଶୂ ବି ମୋ ଶାଶୂଙ୍କ ଭଳି। ଯଦି ତୁ କହିବୁ ମୁଁ ତୋତେ ସାହାଯ୍ୟ କରିବି ଓ ଆମ ମହିଳା କ୍ଲବ୍ ତରଫରୁ ମହିଳା ପୁଲିସ ଥାନାରେ ଅଭିଯୋଗ ବି କରାଇଦେବି। ତୁ ଜମା ଡରନା। ସ୍ୱାମୀମାନେ ପ୍ରଥମେ ଟିକେ ରାଜି ହୁଅନ୍ତି ନାହିଁ, ହେଲେ ପରେ ବାଧ୍ୟ ହୋଇ ମୁଣ୍ଡ ନୁଆଁନ୍ତି। ସ୍ୱାଧୀନ ହୋଇ ବଞ୍ଚିବା ଶିଖ; ମୋ ଭଳି।’’
ରଞ୍ଜୁ ମୁହଁଟା ଉଜ୍ଜ୍ୱଳ ଦିଶିଲା।
ଓପରଓଳି ବାହାରେ କଲିଂବେଲ୍ ଶୁଣି ସୁବ୍ରତ କବାଟ ଖୋଲି ଦେଖିଲା ରଞ୍ଜୁ ଓ ତା’ ସ୍ବାମୀ ମୋହନ ଠିଆ ହୋଇଥିଲେ। ରଞ୍ଜୁ କାନ୍ଦୁଥିଲା।
‘‘କ’ଣ ହୋଇଛି?’’ ପଚାରିଲା ସୁବ୍ରତ। ଶ୍ଳୋକା ବି ଆସି ପଛପଟେ ଠିଆ ହୋଇଯାଇଥିଲା।
ବଡ଼ ପାଟିରେ ମୋହନ କହିଲା, ‘‘ମା’ଙ୍କୁ ପଚାରନ୍ତୁ। ନିଜ ଶାଶୂଙ୍କୁ ଘରୁ ବିଦା କରି ଏବେ ମୋ ସ୍ତ୍ରୀକୁ ଉସୁକାଉଛନ୍ତି ତା’ ଶାଶୂଠାରୁ ଅଲଗା ରହିବା ପାଇଁ। ଆପଣଙ୍କର ସିନା ଏଇଟା ନିଜ ଘର, ହେଲେ ଆମେ ଅଲଗା ରହିଲେ ଘରଭଡ଼ା ଏ ମହଙ୍ଗା ସମୟରେ କିଏ ଦେବ? ତା’ ଛଡ଼ା ନିଜ ଶାଶୂଙ୍କୁ ଘରୁ ବିଦା କରି ଆପଣ ନିଜ ଘରେ ମହିଳା ଦିବସ ପାଳନ୍ତୁ ଆମର କିଛି ଯାଏ ଆସେ ନାହିଁ। ହେଲେ ମୋ ମା’, ସେ ବି ତ ଜଣେ ମହିଳା। ଏଇ ଘରଭଙ୍ଗା ଶିକ୍ଷା ଆପଣ ଅନ୍ୟଙ୍କୁ ଦେଉଛନ୍ତି! ଆଜିଠୁ ରଞ୍ଜୁ ଆପଣଙ୍କ ଘରେ ରୋଷେଇ କରିବାକୁ ଆସିବିନି। ଆମ ବସ୍ତିର ମୁଁ ସେକ୍ରେଟାରି, ମୁଁ ଦେଖିବି ଆମ ବସ୍ତିର କେହି ଯେମିତି ଆପଣଙ୍କ ଘରେ କାମ କରିବାକୁ ନ ଆସନ୍ତି।’’
ରଞ୍ଜୁକୁ ଟାଣିନେଇ ଅଟୋରେ ବସାଇ ଚାଲିଗଲା ମୋହନ।
ଆହୁରି ପଢ଼ନ୍ତୁ-Gold Price: କମିଲା ସୁନା ଦର: ମଧ୍ୟପ୍ରାଚ୍ୟର ମହାଯୁଦ୍ଧ ଭିତରେ ହ୍ରାସ ପାଇଲା ସୁନାଦର, ରୁପା ଦର ଅପରିବର୍ତ୍ତିତ
ଚୁପ୍ଚାପ୍ ରୁମ୍ରେ ବସିଥିଲେ ସୁବ୍ରତ ଓ ଶ୍ଳୋକା। କିଛି ସମୟପରେ ଶ୍ଳୋକା କହିଲା, ‘‘ଶୁଣ, ତମେ କାଲି ସକାଳେ ବୋଉଙ୍କୁ ନେଇ ଆସ।’’
- କିନ୍ତୁ ତମେ ନିଜେ ତ...
- ସେସବୁ ପୁରୁଣା କଥା ଭୁଲିଯା’। ମୋର ଭୁଲ୍ ହୋଇଯାଇଛି। ଆସନ୍ତାକାଲି ମହିଳା ଦିବସ। ବୋଉ ଆସିଲେ ଭଲ ଲାଗିବ।’’
ସୁବ୍ରତ ଖୁସି ହୋଇ କହିଲା, ‘‘ଯା’ ହେଉ, ନିଜ ଭୁଲ୍ ତମେ ବୁଝିପାରିଲ, ସେତକ ଯଥେଷ୍ଟ।’’
ସ୍ୱାମୀକୁ କୁଣ୍ଢାଇ ପକାଇଥିଲା ଶ୍ଳୋକା।
‘‘କ’ଣ ଭାବୁଛ?’’
ସୁବ୍ରତ କଥାରେ ଚମକିପଡ଼ି ଭାବନା ରାଜ୍ୟରୁ ଫେରିଆସିଲା ଶ୍ଳୋକା। ସାମ୍ନାରେ ବୋଉ।
ହସିଦେଇ ବୋଉ ଶ୍ଳୋକାକୁ ପଚାରୁଥିଲା, ‘‘ଏମିତି ବ୍ୟସ୍ତହୋଇ ମୋତେ କାହିଁକି ଡକାଇଲୁ?’’
ଏକ ରହସ୍ୟମୟ ହସ ସୁବ୍ରତ ମୁହଁରେ ଖେଳିଗଲା। ଗତକାଲି ସେ ନିଜେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲା ଏତେଶୀଘ୍ର ସ୍ତ୍ରୀର ହୃଦୟ ପରିବର୍ତ୍ତନ ଦେଖି। ତେବେ ମୋବାଇଲରେ ଶ୍ଳୋକାର କେଉଁ ବାନ୍ଧବୀ ସହ କଥାବାର୍ତ୍ତା ତା’ କାନରେ ପଡ଼ିଥିଲା, ‘‘ମୋ ରୋଷେଇବାଲୀ କାଲିଠୁ ଆସିବନି। ପୁଣି ନୂଆ ଲୋକ ଯୋଗାଡ଼ ପାଇଁ ସମୟ ଲାଗିବ। ଆସନ୍ତାକାଲି ଆମ ଓମେନ୍ସ ଡେ’ ପାର୍ଟି ରୋଷେଇ, ଘରକାମ ଏକୁଟିଆ କେମିତି କରିବି? ୟାଙ୍କୁ ଆଜି ପଟେଇ, ଶାଶୂଙ୍କୁ ଡକେଇ ଦେଇଛି। ବୁଢ଼ୀ ସମ୍ଭାଳିବେ ରୋଷେଇ।’’
ହତଚକିତ ହୋଇ ଅନେଇଥିବା ଶ୍ଳୋକା କାନ୍ଧରେ ହାତ ରଖି, ମୃଦୁ ହସି ସୁବ୍ରତ କହିଲା, ‘‘ବୋଉକୁ ଆଣିବାକୁ କହିଥିଲ, ସେଥିପାଇଁ ତୁମ ବୋଉଙ୍କୁ ନେଇ ଆସିଲି। ତମ ବୋଉ ଓ ମୋ ବୋଉ ଭିତରେ ଫରକ କ’ଣ? ହାପି ଓମେନ୍ସ ଡେ’ର ଅନେକ ଶୁଭେଚ୍ଛା। ମହିଳା ଦିବସର ସର୍ପ୍ରାଇଜ୍ ବୋଲି ଭାବିନିଅ।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/11/15/2025-11-15t113812157z-whatsapp-image-2025-11-13-at-33111-pm-2025-11-15-17-08-12.jpeg)
/sambad/media/media_files/2026/03/09/k11-2026-03-09-17-39-49.jpg)