ଉପେନ୍ଦ୍ର ଭଣ୍ଡାରୀ ଓ ନୋଲାନ ବଢ଼େଇ

ସୁବ୍ରତ ବାଗ୍‌ଚୀ (କାଲି ପାଇଁ କଥାଟିଏ)

୨୦୧୬ ମସିହା କଥା। ନୂଆ ହୋଇ ଦକ୍ଷତା ବିକାଶ ପ୍ରାଧିକରଣର ଦାୟିତ୍ବ ନେଇ ମୁଁ ବାଙ୍ଗାଲୋରରୁ ଭୁବନେଶ୍ବର ଆସିଥାଏ। ସରକାରୀ ଘର ପାଇବାରେ ଟିକିଏ ଡେରି ହେଉଥିବାରୁ ସହଧର୍ମିଣୀ ସୁସ୍ମିତାଙ୍କ ବାପା, ମା’ଙ୍କ ଘରେ ରହିଥିଲୁ। ସେଠି ଥିବା ବେଳେ ଦିନେ ମନେ ହେଲା ଯେ ମୁଣ୍ଡର ବାଳ ବଢ଼ିଗଲାଣି। ସେଲୁନ୍‌ ଯାଇ କାଟିଦେବାକୁ ହେବ। ଶ୍ବଶୁର ଶ୍ରୀ ହରିହର ପଣ୍ଡା କହିଲେ, ସେଲୁନ କାହିଁକି ଯିବ, ଉପେନ୍ଦ୍ର ଭଣ୍ଡାରୀ ତ ଡାକିଦେଲେ ଘରକୁ ଆସି ବାଳ କାଟିଦେଇ ଯିବେ। ମୁଁ ରାଜି ହୋଇଗଲି। ରବିବାର ସକାଳୁ ଉପେନ୍ଦ୍ର ଆସି ପହଞ୍ଚିଗଲେ। ହାତରେ ଛୋଟ କନା ବ୍ୟାଗ୍‌ଟିଏ। ତାହାରି ଭିତରେ ସବୁ ସାଜ ସରଞ୍ଜାମ। ଅଗଣାରେ ଚୌକିଟିଏ ପଡ଼ିଲା। ଘର ଭିତରୁ ଦର୍ପଣ ଆଉ ମଗେ ପାଣି ଆସିଲା। ଉପେନ୍ଦ୍ର ତାଙ୍କର କାମ ଆରମ୍ଭ କରିଦେଲେ। ମୋ ମୁଣ୍ଡରେ ବାଳ ପ୍ରାୟ ନ ଥିବାରୁ ଭଣ୍ଡାରୀମାନେ ମୋ ପ୍ରତି ଅଧିକ ସମବେଦନଶୀଳ ହୁଅନ୍ତି। ଅଧିକ ସମୟ ନେଇ ଧୀରେଧୀରେ ଗୋଟିଏ ଗୋଟିଏ ବାଳକୁ ଯତ୍ନର ସହିତ କାଟନ୍ତି। ଏଇ ସମୟତକ କଟାଇବା ପାଇଁ ମୁଁ ସେମାନଙ୍କ ସାଙ୍ଗରେ ଟିକିଏ କଥାବାର୍ତ୍ତା କରେ। ପୁଣି ସେତେବେଳେ ତ ଦକ୍ଷତା ବିକାଶ ଦାୟିତ୍ବରେ ମୁଁ। ତେଣୁ ଉପେନ୍ଦ୍ରଙ୍କର ଜୀବନ ଏବଂ ବୃତ୍ତିଗତ ଇତିହାସ ଜାଣିବା ପାଇଁ ମୋର ବିଶେଷ ଆଗ୍ରହ ହେଲା। ବାଳ କାଟିବା ତାଙ୍କର କୌଳିକ ବୃତ୍ତି। ବହୁ ବର୍ଷ ତଳେ ସହିଦ ନଗରରେ ଗୋଟିଏ ଗୁମୁଟି କରି ସେଇଠି ସାରା ଜୀବନ ବାଳ କାଟିବା କାର୍ଯ୍ୟ କଲେ। ମୋ ଶ୍ବଶୁରଙ୍କ ପରି କେତେଜଣଙ୍କ ସହ ବହୁ ଦିନର ସମ୍ପର୍କ। ସେଥିପାଇଁ ସେମାନଙ୍କ ଘରକୁ ଯାଇ ବାଳ କାଟି ଦେଇ ଆସନ୍ତି। ତାଙ୍କ ପରିବାରରେ ସେମାନେ ଦୁଇ ସ୍ବାମୀ-ସ୍ତ୍ରୀ, ଆଉ ତିନି ଜଣ ଝିଅ। ଝିଅମାନଙ୍କୁ ଅଳ୍ପ ପାଠ ପଢ଼ାଇ ବାହାଘର କରିଦେଇ ସାରିଲେଣି। ଉପେନ୍ଦ୍ରଙ୍କୁ ମୁଁ ପଚାରିଲି, ଝିଅମାନେ କ’ଣ କରୁଛନ୍ତି? ସେ ଉତ୍ତର ଦେଲେ, ଘରଦ୍ବାର ସମ୍ଭାଳୁଛନ୍ତି, ଆଉ କ’ଣ କରିବେ? ପୁଣି ମୋ ପ୍ରଶ୍ନ, ଝିଅମାନଙ୍କୁ ବାଳକଟା କାହିଁକି ଶିଖାଇଲେ ନାହିଁ? ପ୍ରଶ୍ନଟି ଉପେନ୍ଦ୍ରଙ୍କୁ ମୁହୂର୍ତ୍ତକ ପାଇଁ ହତଚକିତ କରିଦେଲା। ତା’ ପରେ କହିଲେ, ଆଜ୍ଞା, ପାଖପଡ଼ିଶା କ’ଣ କହିଥାଆନ୍ତେ? ମୋତେ ନିନ୍ଦି ନ ଥାଆନ୍ତେ?

Advertisment

ନିଜ ହାତରେ କୌଣସି ବୃତ୍ତି ପାଳନ କରି ଜୀବିକା ଅର୍ଜନ କରିବା ସମାଜ ଆଖିରେ ଗୌଣ। ସେଥିରେ ପୁଣି ଝିଅପିଲା ଆଉ ବାଳକଟା? ଦର୍ଜି ହୁଅନ୍ତୁ, ବଢ଼େଇ ହୁଅନ୍ତୁ, ରାଜମିସ୍ତ୍ରୀ ହୁଅନ୍ତୁ, ତାଙ୍କ ପିଲାମାନେ କୌଳିକ ବୃତ୍ତି ଛାଡ଼ିଲେ ହିଁ ମା’-ବାପାଙ୍କର ସାମାଜିକ ସ୍ଥିତିର ମାନ ବଢ଼ିଥାଏ। ଉପେନ୍ଦ୍ରଙ୍କ ପରି ମଣିଷଙ୍କ ସାରା ଜୀବନର ଅର୍ଜିତ ଦକ୍ଷତାରେ ସେଥିପାଇଁ ପୂର୍ଣ୍ଣଚ୍ଛେଦର ବାଧ୍ୟବାଧକତା।

ଆହୁରି ପଢ଼ନ୍ତୁ- Swami Abhimukteshwaranand : ଗୁପ୍ତ କୋଠରୀ, ସଖୀ, ସୁଇମିଂ ପୁଲ, ଅଭିମୁକ୍ତେଶ୍ୱରାନନ୍ଦଙ୍କ ମଠ ସମ୍ପର୍କରେ ଲେଖିକା ଭୂମିକା ଦ୍ୱିବେଦୀଙ୍କ ଚାଞ୍ଚଲ୍ୟକର ଅଭିଯୋଗ

ଉପେନ୍ଦ୍ରଙ୍କ କଥା ଶୁଣି ମୋତେ ଦୁଃଖ ଲାଗିଥିଲା। ମନେ ପଡ଼ିଯାଇଥିଲା ଆମେରିକାରେ ରହୁଥିବା ବେଳେ ଆଉ ଜଣେ ମଣିଷ ସାଙ୍ଗରେ ମୋର ଆଳାପର ଅନୁଭୂତି। ମୁଁ ଯାହାଙ୍କ କଥା ଲେଖୁଛି, ତାଙ୍କ ନାଁ ନୋଲାନ ହଲ୍‌। ସେତେବେଳେ ତାଙ୍କ ବୟସ ୨୬। ଲେଖାପଢ଼ାରେ ମୋର ବିଶେଷ ଅନୁରାଗ ଥିବାରୁ ଅନେକ ଦିନରୁ ସଉକଟିଏ ଥିଲା ହାତ ତିଆରି କାଠ ଟେବୁଲଟିଏ କିଣିବା ପାଇଁ। ଝରକା ପାଖରେ ପଡ଼ିବ। କାଚ ଝରକା ଦେଇ ମୁଁ ବଗିଚା, ବାହାରର ପୃଥିବୀ ଦେଖିପାରିବି। ହେଲେ ମନ ପସନ୍ଦର ହାତ ତିଆରି ଟେବୁଲ ସହଜରେ ମିଳୁ ନ ଥିଲା। ଆଜିକାଲି ତ ମେସିନ ତିଆରି ଆସବାବପତ୍ରର ଯୁଗ। ତଥାପି ଖୋଜଖବର ନେଇ ଜାଣିଲି କାଲିଫର୍ଣ୍ଣିଆର ସାନ୍‌ ମାଟିଓ ବୋଲି ଗୋଟିଏ ଛୋଟ ସହରରେ ନୋଲାନ ହଲ୍‌ ବୋଲି ଜଣେ ଯୁବକ ହାତରେ କାଠ କାମ କରନ୍ତି। ବିଭିନ୍ନ ରକମର ଜିନିଷ ତିଆରି କରନ୍ତି। ତାଙ୍କ ୱେବସାଇଟ ଦେଖି ଭଲ ଲାଗିଲା। ୱେବସାଇଟ ମାଧ୍ୟମରେ ଅର୍ଡର କରିଦେଲେ ଦୁଇ ମାସ ପରେ ଜିନିଷଟି ମିଳିଯିବ। ମୁଁ କିନ୍ତୁ ଚାହିଁଥିଲି ତାଙ୍କ ସାଙ୍ଗରେ ଦେଖା କରିବାକୁ। ବିଶେଷ କରି ସେ ଯେଉଁଠି ଏଇ ସବୁ ଜିନିଷ ତିଆରି କରୁଛନ୍ତି, ସେଇ ଜାଗାଟିକୁ ଦେଖିବାକୁ। ଫୋନରେ ନୋଲାନଙ୍କ ସାଙ୍ଗରେ କଥା କହି ଖୋଜିଖୋଜି ଦିନେ ପହଞ୍ଚିଲି ସାନ୍‌ ମାଟିଓର ଗୋଟିଏ ଶିଳ୍ପାଞ୍ଚଳରେ। ଗୋଟିଏ ବଡ଼ ଗ୍ୟାରେଜ ପରି ଜାଗାଟିଏ। ସେଇଠି ନୋଲାନଙ୍କର ବଢ଼େଇଶାଳ; ୱାର୍କସପ। ନାଁ ରଖିଛନ୍ତି- ‘ମେକର୍‌ ଆଣ୍ଡ୍‌ ଦି ମୁଜ୍‌’। ଗୋଟିଏ ବିଶେଷ ଜାତିର ବାରସିଂଘା ହରିଣକୁ ମୁଜ୍‌ କୁହାଯାଏ। ପାଶ୍ଚାତ୍ୟର ଲୋକମାନେ ମୁଜ୍‌ମାନଙ୍କୁ ଦୃଢ଼ଶକ୍ତି ତଥା ଜୀବନର ଘାତ ପ୍ରତିଘାତକୁ ଜୟ କରିବାର ପ୍ରତୀକ ବୋଲି ମନେ କରନ୍ତି। ନୋଲାନଙ୍କର ୱାର୍କସପ ଭିତରେ ଗୋଟିଏ ପଟେ କଡ଼ିକିଆ ହୋଇ ରହିଛି ବିଭିନ୍ନ କିସମର କାଠ ଗଣ୍ଡି। ଏଠି ସେଠି ହୋଇ ବହୁ ରକମର ଯନ୍ତ୍ରପାତି। କେତୋଟି ଜିନିଷ ଅଧା ତିଆରି, କେତୋଟି ଏଇ ମାତ୍ର ଆରମ୍ଭ ହୋଇଛି, ଆଉ ପୁଣି କେତୋଟିର କାମ ଶେଷ। ଆଶ୍ଚର୍ଯ୍ୟର କଥା, ୱାର୍କସପରେ ନୋଲାନ ହିଁ ଏକମାତ୍ର କାମ କରୁଥିବା ବ୍ୟକ୍ତି। ମାଲିକ ଯିଏ, କାରିଗର ସିଏ। ସପ୍ତାହକୁ ଥରେ ଆଉ ଜଣେ ଲୋକ ଆସି କାଠ ଗଣ୍ଡି କାଟିବାରେ, ଚାଞ୍ଛିବାରେ ସାହାଯ୍ୟ କରନ୍ତି। କିନ୍ତୁ ଗଢ଼ିବା ଦାୟିତ୍ବ କେବଳ ନୋଲାନଙ୍କର। ସେ ମୋତେ ବୁଲେଇ ସବୁ କିଛି ଦେଖାଇଲେ। ତାଙ୍କର ପ୍ରତିଟି କଥାରେ ଥିଲା ଗଭୀର ଆତ୍ମବିଶ୍ବାସ। ହାତତିଆରି ପ୍ରତିଟି ଜିନିଷରେ ଜଣେ ସ୍ରଷ୍ଟାର ସ୍ବାଭିମାନ

ସାନ୍‌ ମାଟିଓ ହେଉଛି କାଲିଫର୍ଣ୍ଣିଆର ସିଲିକନ୍‌ ଭ୍ୟାଲିରେ। ସେଠି ରହୁଥିବା ବହୁ ଶିକ୍ଷିତ ଯୁବକଯୁବତୀ ଇଞ୍ଜିନିୟର। ଇଣ୍ଟେଲ୍‌, ଆପଲ୍‌, ଗୁଗୁଲ୍‌ ଭଳି କମ୍ପାନିରେ କାମ କରୁଥିବାର ଦେଖାଯାଏ। ସେଇଭଳି ଗୋଟିଏ ଜାଗାରେ ନୋଲାନ ଗୋଟିଏ ଛୋଟ କାଠ କାରଖାନା କେମିତି କରିଛନ୍ତି? ଏହା ପଛରେ ନିଶ୍ଚୟ କାହାଣୀଟିଏ ଥିବ। ମୁଁ ପଚାରିଦେଲି, କ’ଣ ପାଠ ପଢ଼ିଛନ୍ତି ସେ? 

ମୋତେ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ କରିଦେଇ ନୋଲାନ କହିଲେ ଯେ ସେ ଆଟଲାଣ୍ଟାସ୍ଥିତ ବିଶ୍ବପ୍ରସିଦ୍ଧ ଜର୍ଜିଆଟେକ୍‌ ବିଶ୍ବବିଦ୍ୟାଳୟରୁ ଇଞ୍ଜିନିୟରିଙ୍ଗ ପାସ୍‌ କରିଛନ୍ତି। ବେଶ୍‌ ଭଲ ଛାତ୍ର ଥିଲେ। ମେକାନିକାଲ ଇଞ୍ଜିନିୟରିଙ୍ଗ ପାସ୍‌ କରିବା ବେଳକୁ ଆମେରିକାର ମହାକାଶ ସଂସ୍ଥା ‘ନାସା’ରେ ଚାକିରି ମିଳିବାର ସମ୍ଭାବନା ଥିଲା। କିନ୍ତୁ ସେ ସ୍ଥିର କଲେ କାଠ କାମ କରିବେ। କାହିଁ ‘ନାସା’ର ଚାକିରି, ଆଉ କାହିଁ କାଠ କାରିଗରି? ନୋଲାନ କହିଲେ ଯେ ତାଙ୍କର ପିଲାଦିନ ଆଟଲାଣ୍ଟା ସହରରେ ହିଁ କଟିଥିଲା। ତାଙ୍କର ଜେଜେବାପା ଥିଲେ ଜଣେ ବଢ଼େଇ। ପିଲାଦିନୁ ଜେଜେବାପାଙ୍କ କାମ ଦେଖି ଆସୁଥିଲେ ନୋଲାନ; କୈଶୋରରେ ତାଙ୍କୁ କିଛିକିଛି ସାହାଯ୍ୟ କରିବା ଆରମ୍ଭ କରି ଦେଇଥିଲେ। ତା’ ପରେ ଇଞ୍ଜିନିୟରିଙ୍ଗ ପଢ଼ିବାକୁ ଜର୍ଜିଆଟେକ୍‌ ଚାଲି ଯାଇଥିଲେ। ସେଇଠି ପାଠ ପଢ଼ିବା ବେଳେ ତାଙ୍କର ଗୋଟିଏ ସମାଜସେବୀ ଅନୁଷ୍ଠାନ ସହିତ ପରିଚୟ ହେଲା। ଆମେରିକା ବିଶ୍ବର ବିରାଟ ଧନୀ ଦେଶ ହେଲେ ମଧ୍ୟ ସେଠି, ବିଶେଷ କରି ବଡ଼ ସହରମାନଙ୍କରେ, ଅନେକ ଗରିବ, ଗୃହହୀନ ଲୋକ ଅଛନ୍ତି। ଗରିବ ଲୋକମାନଙ୍କର ଘରଗୁଡ଼ିକର ଅବସ୍ଥା ଭଲ ନୁହଁ। ବାରମ୍ବାର ମରାମତି କରିବାକୁ ପଡ଼େ। ସମାଜସେବୀ ଅନୁଷ୍ଠାନଟି ସେଇ କାମ କରେ। ଆମେରିକାର ଅଧିକାଂଶ ଘର କାଠ ତିଆରି। ତେଣୁ କାଠ କାମ ଜାଣିଥିବା ବ୍ୟକ୍ତିମାନଙ୍କର ଚାହିଦା ବହୁତ। ନୋଲାନ ଛୁଟି ଦିନମାନଙ୍କରେ ସମାଜସେବୀ ଅନୁଷ୍ଠାନର ଏସବୁ କାର୍ଯ୍ୟରେ ଜଡ଼ିତ ହୋଇଗଲେ।

ଆହୁରି ପଢ଼ନ୍ତୁ- India Israel Defence Deal : ଦୁନିଆଠାରୁ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଭାରତକୁ ଦେବ ଇସ୍ରାଏଲ, ବ୍ରହ୍ମୋସ ଅପେକ୍ଷା ଅଧିକ ବିନାଶ ରଚିବ,ପାକିସ୍ତାନ ହେବ ଥରହର

ଏହାରି ଭିତରେ ଗୋଟିଏ ଅଘଟଣ ଘଟିଗଲା। ଦିନେ କାଠ କାମ କରିବା ବେଳେ ନୋଲାନଙ୍କ ଜେଜେଙ୍କର ଗୋଟିଏ ମେସିନରେ ହାତର କେତୋଟି ଆଙ୍ଗୁଠି କଟିଗଲା। ଏଣେ ତାଙ୍କ ବୟସ ବି କମ୍‌ ନୁହଁ। ସେ ସ୍ଥିର କଲେ ଏଥର ଅବସର ନେବେ। ତେବେ ତାଙ୍କର ସାରା ଜୀବନର ପରିଶ୍ରମରେ କିଣା ବିଭିନ୍ନ ମେସିନ, ଅନ୍ୟାନ୍ୟ ସାଜସରଞ୍ଜାମର ହେବ କ’ଣ? ସେ ଦିନେ ନୋଲାନଙ୍କୁ ଡାକି ସେସବୁ ଦେଇଦେଲେ। ନୋଲାନଙ୍କର ପାଠ ଶେଷ ହୋଇ ଆସୁଥାଏ। ଜର୍ଜିଆଟେକ୍‌ରେ ପାଠ ପଢ଼ିବା ବେଳେ ତାଙ୍କର ସହପାଠିନୀ ମିକା ସହିତ ତାଙ୍କର ଆଳାପ ଏବଂ ଭଲପାଇବା। ‘ନାସା’ର ଚାକିରି ସମ୍ଭାବନା ସତ୍ତ୍ବେ ଦୁଇ ଜଣ ସ୍ଥିର କଲେ ଯେ କାଲିଫର୍ଣ୍ଣିଆରେ ଏକାଠି ଜୀବନ ଗଢ଼ିବେ। ମିକାଙ୍କୁ କାଲିଫର୍ଣ୍ଣିଆର ଗୋଟିଏ ବଡ଼ ସଂସ୍ଥାରେ ଭଲ ଚାକିରିଟିଏ ମିଳିଗଲା। ନୋଲାନ ବଢ଼େଇ କାମକୁ ନିଜ ଜୀବନର ସାଧନା କରିବାକୁ ସ୍ଥିର କଲେ। ଏଇଠୁ ଆରମ୍ଭ ହେଲା ‘ମେକର୍‌ ଆଣ୍ଡ୍‌ ଦି ମୁଜ୍‌’ର ଯାତ୍ରା। 

ଗୋଟିଏ ପଟେ ନୋଲାନ ବଢ଼େଇ, ଅନ୍ୟ ପଟେ ଉପେନ୍ଦ୍ର ଭଣ୍ଡାରୀ। ଦୁଇ ଜଣଙ୍କ ତାରତମ୍ୟ କେବଳ ବ୍ୟକ୍ତିଗତ ନୁହଁ। ଏହା ପଛରେ ରହିଛି ସାମାଜିକ ଭେଦଭାବ, ମାନସିକତାର ଗଭୀର ପାର୍ଥକ୍ୟ ଏବଂ ଅର୍ଥନୈତିକ ଅସାମଞ୍ଜସ୍ୟ। ନୋଲାନଙ୍କର କରତ, ହାତୁଡ଼ି, ରନ୍ଦା ତାଙ୍କୁ ସ୍ବପ୍ନ ଦେଖାଏ; ଉପେନ୍ଦ୍ରଙ୍କ କଇଁଚି, ପାନିଆ ଓ ଦର୍ପଣରେ କେବଳ ବିଫଳତାର ପ୍ରତିବିମ୍ବ। 

ବିକଶିତ ଭାରତ ଗଢ଼ିବା ପାଇଁ ଆମକୁ ପ୍ରଥମେ ଗଢ଼ିବାକୁ ହେବ ଗୋଟିଏ ଉନ୍ନତ ସମାଜ। ଏଭଳି ଏକ ସମାଜ ଯେଉଁଠି ନୋଲାନଙ୍କ ଜେଜେବାପାଙ୍କ ପରି ଉପେନ୍ଦ୍ର ନିଜ ବୃତ୍ତିର ପରମ୍ପରାକୁ ଆଗାମୀ ପିଢ଼ି ହାତରେ ଗର୍ବ ଓ ଆନନ୍ଦର ସହିତ ତୋଳିଦେବେ।

(ମତାମତ ଲେଖକଙ୍କ ନିଜସ୍ବ)