ଅପରେସନ ‘ରାହୁଲ’ ସଫଳ, ଜୀବନର ବିଜୟ: ୧୦୫ ଘଣ୍ଟା ଧରି ଚାଲିଥିଲା ଉଦ୍ଧାର କାର୍ଯ୍ୟ

Advertisment

ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା କହିଲେ, ‘ଜୟ ଓଡ଼ିଶା...ଜୟ ଜଗନ୍ନାଥ’

ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା କହିଲେ, ‘ଜୟ ଓଡ଼ିଶା...ଜୟ ଜଗନ୍ନାଥ’

ଅପରେସନ ‘ରାହୁଲ’ ସଫଳ, ଜୀବନର ବିଜୟ: ୧୦୫ ଘଣ୍ଟା ଧରି ଚାଲିଥିଲା ଉଦ୍ଧାର କାର୍ଯ୍ୟ

ଝାରସୁଗୁଡା: ଦୀର୍ଘ ୫ଦିନ ଧରି ଚାଲିଥିବା ୧୦୫ ଘଣ୍ଟାର ଅପରେସନ ଶେଷ ହୋଇଛି। ଜୀବନ ସଂଘର୍ଷରେ ଜିତି ଯାଇଛନ୍ତି ରାହୁଲ୍‌। ମଙ୍ଗଳବାର ରାତି ପ୍ରାୟ ୧୨ଟା ସମୟରେ ତାଙ୍କୁ ଉଦ୍ଧାର କରିବା ସହିତ ବିଳାସପୁରସ୍ଥିତ ଆପୋଲୋ ହସ୍ପିଟାଲକୁ ନିଆଯାଇଛି। ବୋରୱେଲରୁ ଏକ ଟନେଲ ମାଧ୍ୟମରେ ରାହୁଲଙ୍କୁ ବାହାର କରାଯାଇଛି ଏବଂ ସେ ସୁସ୍ଥଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ରାହୁଲ ଉଦ୍ଧାର ହେବାପରେ ଜଞ୍ଜଗିର ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳା ‘ଜୟ ଓଡ଼ିଶା...ଜୟ ଜଗନ୍ନାଥ’ ବୋଲି କହିଛନ୍ତି। ଜିଲ୍ଲାପାଳଙ୍କ କହିବା ଅନୁସାରେ, ରାହୁଲଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ପ୍ରାୟ ୧୫୦ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ୫ଦିନ ହେଲା ନିୟୋଜିତ ଥିଲେ ଏବଂ ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ଏକ ସମାନ୍ତରାଳ ‌ଟନେଲ ଖୋଳାଯାଇଥିଲା। ଏହି ମିସନ ସଫଳହେବା ଏକ ବଡ଼ ଉପଲବ୍ଧି ବୋଲି ଜିଲ୍ଲାପାଳ କହିଛନ୍ତି। ରାହୁଲ ସୁରକ୍ଷିତ ଉଦ୍ଧାର ହେବାପରେ ସ୍ଥାନୀୟ ଅଂଚଳରେ ଖୁସିର ଲହରି ଖେଳିଯାଇଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଟିମ୍‌କୁ ପିହରିଡ୍‌ ଗ୍ରାମବାସୀ ଭବ୍ୟ ସ୍ବାଗତ କରିଛନ୍ତି।

ଛତିଶଗଡ଼ ରାଜ୍ୟ ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅଧୀନରେ ଥିବା ପିିହରିଡ଼୍‌ ଗାଁରେ ରାହୁଲଙ୍କ ଘର। ବୟସ ୧୦ବର୍ଷ। ଗତ ଶୁକ୍ରବାର ଅପରାହ୍ନ ୪ଟାରୁ ଗର୍ତ୍ତ ଭିତରେ ଖସିପଡ଼ି ସେ ଜୀବନ ସହିତ ସଂଗ୍ରାମ କରୁଥିଲେ। ତାଙ୍କୁ ଉଦ୍ଧାର କରିବା ପାଇଁ ଛତିଶଗଡ଼ ସରକାର ସମସ୍ତ ପ୍ରକାର ଉଦ୍ୟମ ଚଳାଇଥିଲେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀବଘେଲ ଏହାକୁ ଗୁରୁତ୍ବର ସହିତ ନେଇ ଅପରେସନ କାର୍ଯ୍ୟକୁ ନିଜେ ପରିଚାଳନା କରିଥିଲେ। ସ୍ଥାନୀୟ ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଅପରେସନରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଏକ୍ସପର୍ଟ ଟିମ୍‌ ସାମିଲ ହୋଇଥିଲେ।

ପ୍ରଥମେ ଗର୍ତ୍ତ ନିକଟରେ ପୋଖରୀ ଭଳି ୮୦ ଫୁଟ ଗଭୀର ଗର୍ତ୍ତ ଖୋଳାଯିବାପରେ ସେଠାରୁ ବୋରୱେଲ୍‌ ନିକଟକୁ ଏକ ସୁଡ଼ଙ୍ଗ ଖୋଳାଯାଇଥିଲା। ତେବେ, ଏହି ସୁଡ଼ଙ୍ଗ ଖୋଳିବା ବେଳେ ଏଥିରେ ଏକ ପ୍ରକାଣ୍ଡ ଗ୍ରାନାଇଟ୍‌ ପଥର ପଡ଼ିବାରୁ ଉଦ୍ଧାରକାରୀ ଦଳଙ୍କୁ ଶିଶୁ ପାଖରେ ପହଞ୍ଚିବାକୁ ଏକ ବଡ଼ ଚାଲେଞ୍ଜ  ସୃଷ୍ଟି କରିଥିଲା। ତଥାପି ଉଦ୍ଧାରକାରୀ ଦଳ ହାର ନମାନି ଏହି ପ୍ରକାଣ୍ଡ ପଥର ଫଟାଇ ସୁଡ଼ଙ୍ଗ ନିର୍ମାଣ କରିବାରେ ସଫଳ ହୋଇଥିଲେ। ୮୦ ଫୁଟ ଗର୍ତ୍ତ ଭିତରେ ଫଶି ରହିଥିବା ରାହୁଲଙ୍କୁ ବଞ୍ଚାଇ ରଖିବା ମଧ୍ୟ ଆଉ ଏକ ବଡ଼ ଚାଲେଞ୍ଜ ଥିଲା। ଗର୍ତ୍ତ ମଧ୍ୟକୁ ଲାଇଟ, କ୍ୟାମେରା, ନିରନ୍ତର ଅମ୍ଳଜାନ ସହିତ ଶିଶୁକୁ ଖାଦ୍ୟ ପାନୀୟ ପ୍ରଦାନ କରାଯିବା ବ୍ୟବସ୍ଥା କରାଯାଇଥିଲା। ଶିଶୁଟିର ଗତିବଧି ଉପରେ ନଜର ରଖିବା ପାଇଁ ଗର୍ତ୍ତ ମଧ୍ୟରେ ସିସିଟିଭି ସଂଯୋଗ କରାଯାଇଥିଲା। ତେବେ, ଏହି ଅପରେସନର ଶେଷ ୪ ଫୁଟ ଖୋଳିବା ପାଇଁ ଉଦ୍ଧାରକାରୀ ଦଳଙ୍କୁ ୩୦ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ସୋମବାର ରାତି ସୁଦ୍ଧା ଅପରେସନ ସଂପୂର୍ଣ୍ଣ ହେବ ବୋଲି ସମସ୍ତେ ଅଶା ବାନ୍ଧି ବସିଥିବାବେଳେ ଏହି କଠିନ ଚଟାଣ ଭେଦକରି ଗର୍ତ୍ତ ମଧ୍ୟକୁ ପହଞ୍ଚିବା ଓ ଶିଶୁକୁ ବାହାରକୁ ଆଣିବା ପାଇଁ ଆହୁରି ଅଧିକ ୨୪ ଘଣ୍ଟାରୁ ଅଧିକ ସମୟ ଲାଗିଯାଇଥିଲା।

ଏପଟେ ଗାତ ଭିତରେ ୧୦୦ ଘଣ୍ଟାରୁ ଅଧିକ ସମୟ ରହିଥିବା ରାହୁଲଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ମଧ୍ୟ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟିହୋଇଥିଲା। ଶେଷରେ, ସବୁ ଅପେକ୍ଷା ଓ ସବୁ ଉତ୍କଣ୍ଠାର ଅବସାନ ଘଟିବା ସହିତ ରାହୁଲଙ୍କୁ ଗର୍ତ୍ତ ଭିତରୁ ବାହାର କରାଯାଇଛି। ରାତି ପ୍ରାୟ ୧୨ଟା ସମୟରେ ବାହାରିବାପରେ ଚାମ୍ପାରୁ ବିଳାସପୁର ପର୍ଯ୍ୟନ୍ତ ୬୦ କିମି ରାସ୍ତାରେ ଗ୍ରିନ୍‌ କରିଡରରେ ବିଳାସପୁର ହସ୍ପିଟାଲ ନିଆଯାଇଛି। ରାହୁଲଙ୍କ ବାପାମା’ ବି ଅନ୍ୟ ଏକ ଆମ୍ବୁଲାନ୍ସରେ ଯାଇଛନ୍ତି। ଏବେ ରାହୁଲଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯିବ ବୋଲି ପ୍ରଶାସନ କହିଛି।

ଉଲ୍ଲେଖଯୋଗ୍ୟ ଯେ, ଶିଶୁର ବାପା ଲାଲାରାମ ସାହୁ ତାଙ୍କ ଜମିରେ ପାଣି ମଡ଼ାଇବା ପାଇଁ ଘର ପଛପଟେ ଏହି ବୋରୱେଲ ଖୋଳିଥିଲେ। ତେବେ ୮୦ ଫୁଟ ଖୋଳିବା ପରେ ମଧ୍ୟ ସେଥିରୁ ପାଣି ନ ବାହାରିବାରୁ ଉକ୍ତ ଗର୍ତ୍ତକୁ ଖୋଲା ଛାଡ଼ି ଦିଆଯାଇଥିଲା। ଘଟଣା ଦିନ ମୂକ ଓ ବଧିର ରାହୁଲ ବାରିପଟେ ଯାଇ ଖେଳୁଥିବା ବେଳେ ଉକ୍ତ ବୋରୱେଲ୍‌ ଗର୍ତ୍ତ ଭିତରକୁ ଗଳି ପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe