ଝାରସୁଗୁଡ଼ା/ଇବ୍ଥର୍ମାଲ୍: କୁମ୍ଭାରବନ୍ଧ ପଞ୍ଚାୟତ ଶରଧାପାଲି ଗ୍ରାମରେ ଥିବା ଓପିଜିସିର ନୂତନ ଆସ୍ପଣ୍ଡ ଶନିବାର ଭୁଶୁଡ଼ି ପଡ଼ିଛି। ସକାଳ ୬ଟା ବେଳେ ଘାଇ ସୃଷ୍ଟି ହେବା ପରେ ପାଉଁଶ ‘ସ୍ଲରି’ ବନ୍ୟା ଭଳି ଗାଁ ଭିତରକୁ ମାଡ଼ି ଆସିଥିଲା। ଭୟଭୀତ ହୋଇ ଲୋକେ ପିଲାଛୁଆଙ୍କୁ ନେଇ ଆସବାବପତ୍ର ସହ ଉଚ୍ଚସ୍ଥାନକୁ ଚାଲିଯାଇ ଥିଲେ। ତେବେ ପାଉଁଶ ପୋଖରୀଠାରୁ ହୀରାକୁଦ ଜଳଭଣ୍ଡାର ତଳେ ଥିବାରୁ ସମସ୍ତ ‘ସ୍ଲରି’ ସେଦିଗରେ ବହିଯିବା ପରେ ବଡ଼ ଧରଣର ଅଘଟଣ ଟଳି ଯାଇଛି। କ୍ଷତିପୂରଣ ଦାବିରେ ଆସ୍ପଣ୍ଡ୍ର ମୁଖ୍ୟ ଫାଟକ ସମ୍ମୁଖରେ ଉତ୍ତ୍ୟକ୍ତଲୋକେ ବିରୋଧ ପ୍ରଦର୍ଶନ କରିଥିଲେ। ଶରଧାପାଲିରେ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା।
ସୂଚନା ପାଇ ଲଖନପୁର ତହସିଲଦାର ଶଦାକର କୁମ୍ଭାର, ଏସ୍ଡିପିଓ ଚିନ୍ତାମଣି ପ୍ରଧାନ ଏବଂ ଓପିଜିସିର ମାନବ ସମ୍ବଳ ବିଭାଗ ମୁଖ୍ୟ ରତିକାନ୍ତ ଦାସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବା ଆଶଙ୍କାକୁ ଦେଖି ୧ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇ ଥିଲା। ରବିବାରଠାରୁ କ୍ଷୟକ୍ଷତିର ଆକଳନ ହେବ ବୋଲି ତହସିଲଦାର ଶ୍ରୀ କୁମ୍ଭାର କହିଛନ୍ତି। ଏକ ବୈଷୟିକ କମିଟି ଏହି ଘଟଣାର ତଦନ୍ତ କରିବେ ବୋଲି ଓପିଜିସି ମାନବ ସମ୍ବଳ ମୁଖ୍ୟ ଶ୍ରୀ ଦାସ କହିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏହି ପାଉଁଶ ପୋଖରୀରୁ ଗତ କିଛି ମାସ ହେବ ଲିକେଜ୍ ଓ ସିପେଜ୍ ହେଉଥିଲା। ଅଞ୍ଚଳବାସୀ ଓପିଜିସି ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। କେହି ଏଥିପ୍ରତି ଦୃଷ୍ଟି ଦେଲେ ନାହିଁ। ବରଂ ଆବଶ୍ୟକତାଠାରୁ ଅଧିକ ସ୍ଲରି ଜମାହେଲା। ଶୁକ୍ରବାର ରାତିରୁ ପାଉଁଶ ପୋଖରୀର ଗାଁ ପାର୍ଶ୍ବହିଡ଼ରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିଲା ଓ ସକାଳ ବେଳକୁ ୨୦ ଫୁଟର ଘାଇ ହୋଇଥିଲା।
ଏହି ଘାଇ ଦେଇ ହଜାର ହଜାର ଟନ୍ ପାଉଁଶ ସ୍ଲରି ତଳେ ଥିବା ଚାଷଜମିରେ ମାଡ଼ିଯାଇ ଥିଲା। ଏପରିକି ଗାଁରେ ଥିବା ପୋଖରୀ ପର୍ଯ୍ୟନ୍ତ ଏହି ସ୍ଲରି ପହଞ୍ଚିଯାଇ ଥିଲା। ଦିନ ପ୍ରାୟ ୧୨ଟା ସୁଦ୍ଧା ଗାଁ ଭିତରକୁ ସ୍ଲରି ନ ଯିବାରୁ ସେମାନେ ନିଜ ନିଜ ଜିନିଷପତ୍ର ନେଇ ତଳକୁ ଓହ୍ଲାଇଥିଲେ। ଏହି ସମୟରେ ପାଉଁଶ ପୋଖରୀର ହିଡ଼ରେ ଖଟ, ଟିଭି, ସାଇକଲ, ଚାଉଳବସ୍ତା ସାଙ୍ଗକୁ ଗୃହପାଳିତ ପ୍ରାଣୀ ବି ଏକାଠି ଥିବାର ଦୃଶ୍ୟ ସ୍ଲରି ମାଡ଼ିଯିବାର ଭୟକୁ ବୟାନ କରୁଥିଲା। ୧୫ ଦିନର ଶିଶୁକୁ ଧରି ମା’ ଧାଉଁଥିବାବେଳେ ବୃଦ୍ଧା ମା’ଙ୍କୁ ବୋହି ସୁରକ୍ଷିତ ସ୍ଥାନକୁ ଦୌଡ଼ୁଥିଲା ପୁଅ। ଜୀବନ ମରଣର ଏଭଳି ବିକଳ ଦୃଶ୍ୟ ଥିଲା ଅତ୍ୟନ୍ତ ଭୟଙ୍କର। ଏହି ଘଟଣାରେ ଶରଧାପାଲି, କଣ୍ଟାଟିକ୍ରା, ରେଙ୍ଗାଲି, ଟେମ୍ପ୍ରିପଡ଼ାର ଶହେ ଏକରରୁ ଊର୍ଦ୍ଧ୍ବ ଚାଷ ଜମିରେ ପାଉଁଶ ମାଡ଼ି ଯାଇଥିବା ବେଳେ ଲୋକଙ୍କର ବର୍ଷକର ପରିଶ୍ରମ ପାଉଁଶ ସ୍ଲରି ତଳେ ଚାପି ହୋଇଯାଇଛି। ମଣ୍ଡିକୁ ନେବା ପାଇଁ ବିଲରେ ପେଟା ମାରି ରଖାଯାଇ ଧାନ ବି ଏହି ପାଉଁଶ ସ୍ଲରିରେ ଭାସି ଯାଇଛି। ରାଜସ୍ବ ବିଭାଗର ପ୍ରାରମ୍ଭିକ ଆକଳନ ଅନୁସାରେ, ୭୪ ଜଣ ଚାଷୀଙ୍କ ଜମି କ୍ଷତିଗ୍ରସ୍ତ ହୋଇଛି। ସେପଟେ, ହଜାର ହଜାର ଟନ୍ ପାଉଁଶ ସ୍ଲରି ସିଧାସଳଖ ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣିରେ ମିଶିଥିବାରୁ ଜଳଭଣ୍ଡାରର ପ୍ରଦୂଷଣ ଏବେ ଚିନ୍ତାର କାରଣ ପାଲଟିଛି। କିନ୍ତୁ ସନ୍ଧ୍ୟା ଯାଏ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ନ ଥିଲେ।
ଶରଧାପାଲି ଗ୍ରାମରେ ହୋଇଥିବା ବୈଠକରେ ପ୍ରାରମ୍ଭିକ ସ୍ଥିତିରେ ଚାଷୀଙ୍କର ଫସଲ କ୍ଷୟକ୍ଷତି ପାଇଁ କ୍ଷତିପୂରଣ ଦେବାକୁ ଦାବି କରାଯାଇ ଥିଲା। ଏକର ପିଛା ୪୦ କ୍ବିଣ୍ଟାଲ ହିସାବରେ ଧାନ କ୍ଷତିପୂରଣ, ପାଉଁଶ ସ୍ଲରି ମାଡ଼ି ଯାଇଥିବାରୁ ଜମିରେ ଆଉ ଚାଷ କରିବା ସମ୍ଭବ ନ ଥିବାରୁ ଏକକାଳୀନ ଜମି ପାଇଁ କ୍ଷତିପୂରଣ ଓ ଗ୍ରାମବାସୀଙ୍କ ଜୀବନ ପ୍ରତି ବିପଦ ଥିବାରୁ ବିସ୍ଥାପନ ନୀତି ଅନୁସାରେ ସମ୍ପୂର୍ଣ୍ଣ ବିସ୍ଥାପନ କରିବାକୁ ଗ୍ରାମବାସୀ ଦାବି କରିଥିଲେ। ଗ୍ରାମବାସୀଙ୍କ ଏହି ଦାବିକୁ ଉଭୟ ପ୍ରଶାସନ ଓ ଓପିଜିସି କର୍ତ୍ତୃପକ୍ଷ ଶୁଣିଥିଲେ। ତେବେ ତୁରନ୍ତ ସରକାରଙ୍କ ସହ ଆଲୋଚନା କରି ଏସବୁ ଦାବି ପୂରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଓପିଜିସି କର୍ତ୍ତୃପକ୍ଷ କହିଥିଲେ।
  
 Follow Us