କର୍ମଚାରୀଙ୍କୁ ଜରିମାନା ଦେଲେ ଓପିଜିସି କର୍ତୃପକ୍ଷ

Advertisment
ବିଦ୍ୟୁତ୍ କେଳେଙ୍କାରୀର ଆଉ ଏକ ଫର୍ଦ୍ଦ: ସର୍ତ୍ତ ମାନିଲେନି, ଲୁଟିଲେ

ଭୁବନେଶ୍ବର : ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ(ଓପିଜିସି)ରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ବେଆଇନଭାବେ ବହିଷ୍କାର କରିବା ଘଟଣାରେ କର୍ତୃପକ୍ଷଙ୍କୁ କୋର୍ଟରେ ଲଜ୍ଜିତ ହେବାକୁ ପଡ଼ିଛି। ଏହାସହ ବହିଷ୍କୃତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ସହିତ ଜରିମାନା ମଧ୍ୟ ଗଣିଛନ୍ତି ଓପିଜିସି କର୍ତୃପକ୍ଷ। ଏହି ଗୋଟିଏ ଘଟଣାରୁ ଓପିଜିସିରେ ଘଟୁଥିବା ଅନେକ ବେଆଇନ କାର୍ଯ୍ୟର ଧୀରେ ଧୀରେ ପରଦା ହଟିବାରେ ଲାଗିଛି।

ସୂଚନା ଅନୁସାରେ, ଓପିଜିସିରେ ପୂର୍ବରୁ ରହିଥିବା ଏଇଏସ୍‌ କମ୍ପାନିର ଅନେକ ମନମୁଖୀ କାର୍ଯ୍ୟ ବିରୋଧରେ ଓପିଜିସି ଅଫିସର୍ସ ଆସୋସିଏସନ୍ ଓ ଓପିଜିସି ଏମ୍ପ୍ଲୋଇଜ୍ ୟୁନିୟନ ବାରମ୍ବାର ଅଭିଯୋଗ କରି ଆସୁଥିଲେ। ଓପିଜିସିର ୩ ଓ ୪ର୍ଥ ୟୁନିଟ୍‌ ଓ ଇବ୍ ଥର୍ମାଲର ରକ୍ଷଣାବେକ୍ଷଣ ନ କରାଯିବା ବିରୋଧରେ ୨୦୦୭ ମସିହା ମାର୍ଚ ୩୦ତାରିଖରେ ସମସ୍ତ ଅଫିସର ସମୂହ ଛୁଟି ନେବାକୁ ବୈଠକରେ ନିଷ୍ପତ୍ତି ନେଇଥିଲେ। ୧୨୭ଜଣ ଅଫିସରଙ୍କ ଛୁଟି ଦରଖାସ୍ତ ପହଞ୍ଚିବା ପରେ ଅଫିସର୍ସ ଆସୋସିଏସନ୍ ସଭାପତି ଶୁଭେନ୍ଦୁ ମହାନ୍ତି ଏକ ଚିଠି ଜରିଆରେ କର୍ତୃପକ୍ଷଙ୍କୁ ଛୁଟି ଦରଖାସ୍ତ ପ୍ରଦାନ କରିଥିଲେ। ଏହି ଘଟଣା ପାଇଁ କର୍ତୃପକ୍ଷ ଆସୋସିଏସନ୍ ସଭାପତିଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟମାନଙ୍କୁ ଚାର୍ଜସିଟ୍ କରିଥିଲେ। ମାତ୍ର ଆକ୍ରୋଶମୂଳକ ଭାବେ ପରବର୍ତୀ ସମୟରେ ଅନ୍ୟମାନଙ୍କୁ ବାଦ୍ ଦେଇ କେବଳ ସଭାପତି ଶ୍ରୀ ମହାନ୍ତିଙ୍କୁ ବହିଷ୍କୃତ କରିଥିଲେ।

ଏହାର ପ୍ରତିବାଦରେ ଶ୍ରୀ ମହାନ୍ତି ଓପିଜିସିର ବୋର୍ଡ ଅଫ ଡାଇରେକ୍ଟର୍ସଙ୍କୁ ଅପିଲ୍ କରିଥିଲେ। ମାତ୍ର ଏହି ଅପିଲକୁ ଖାରଜ କରି ଦିଆଯାଇଥିଲା। ପରବର୍ତୀ ସମୟରେ ସେ ହାଇକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ। ହାଇକୋର୍ଟ ମାମଲାର ବିଚାର କରିବା ସହିତ ତାଙ୍କୁ ପୁନର୍ବାର ଚାକିରିକୁ ଫେରାଇ ନେବାକୁ କହିଥିଲେ। ଏହାର ବିରୋଧରେ ଏଇଏସ୍‌ କମ୍ପାନି ପକ୍ଷରୁ ସୁପ୍ରିମକୋର୍ଟରେ ଏକ ସ୍ପେଶାଲ ଲିଭ୍ ପିଟିସନ ଦାୟର କରାଯାଇଥିଲା। ସୁପ୍ରିମକୋର୍ଟର ୨ଜଣିଆ ଖଣ୍ଡପୀଠ କୋର୍ଟରେ ୧ଲକ୍ଷ ଟଙ୍କା ଦାଖଲ ପରେ ପ୍ରତିପକ୍ଷ ଶ୍ରୀ ମହାନ୍ତିଙ୍କୁ ନୋଟିସ୍ କରାଯିବ ବୋଲି ନିର୍ଦେଶ ଦେଇଥିଲେ। ଏଇଏସ୍ ପକ୍ଷରୁ ୧ଲକ୍ଷ ଟଙ୍କା ଦାଖଲ ପରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରିଥିଲେ। ‌୨୦୧୪ ମସିହାରେ ସୁପ୍ରିମକୋର୍ଟ ଶ୍ରୀ ମହାନ୍ତିଙ୍କ ସପକ୍ଷରେ ରାୟ ଦେଇଥିଲେ। ଏହାସହ ଜମା ଥିବା ୧ଲକ୍ଷ ଟଙ୍କା ଓ ଏହାର ସୁଧ ଓ ଚାକିରିରେ ପୁନର୍ବାର ଅବସ୍ଥାପିତ କରିବାକୁ ନିର୍ଦେଶ ଦେଇଛନ୍ତି। ତେବେ ପ୍ରଶ୍ନ ଉଠୁଛି କାହା ନିର୍ଦେଶରେ ଏଇଏସ୍‌ କର୍ତୃପକ୍ଷ ବର୍ଷ ବର୍ଷ ଧରି କୋର୍ଟରେ ମାମଲା ଲଢ଼ିବା ସହିତ ଲକ୍ଷାଧିକ ଟଙ୍କା ଖର୍ଚ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe