ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ଓପିଜିସି ଏକ ପୁରାତନ ସଂସ୍ଥା ହୋଇଥିବା ବେଳେ ଏହାର ଅଧିକାରୀ ଓ କର୍ମଚାରୀମାନଙ୍କ ସମସ୍ୟା ବୁଝିବା ଓ ତାଙ୍କର ଦାବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ପହଞ୍ଚାଇବା ତାଙ୍କର କର୍ତ୍ତବ୍ୟ ଓ ଦାୟିତ୍ବ ବୋଲି କହିଛନ୍ତି ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି। ଶନିବାର ବନହରପାଲି ସ୍ଥିତ ଓପିଜିସି ଅଫିସର କ୍ଲବ୍ରେ ଅଫିସର ସଂଘ ଓ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ ବୀରେନ୍ଦ୍ର ସାହାରେଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଧାୟକ ଶ୍ରୀ ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅଫିସର ଓ କର୍ମଚାରୀ ମାନଙ୍କ ସମସ୍ତ ଦାବି ଶୁଣିଥିଲେ ଓ ଏହାର ସମାଧାନ ନେଇ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ସଂପାଦକ ଧରଣୀଧର ବେହେରା ବିବରଣୀ ପ୍ରଦାନ କରିଥିଲେ। ସଂଘ ପକ୍ଷରୁ ଦାବି କରାଯାଇଥିଲା ଯେ, କର୍ମଚାରୀ ମାନଙ୍କୁ ସପ୍ତମ ବେତନ କମିସନ ଅନୁଯାୟୀ ଦରମା ଦେବା, ସମାନ କାମକୁ ସମାନ ଦରମା ଦେବା, ଓପିଜିସି ଠାରୁ ଏଇଏସ୍ ତାର ୪୯ ପ୍ରତିଶତ ଅଂଶଧନ ପ୍ରତ୍ୟାହାର କରିବା ପୂର୍ବରୁ ସରାକରଙ୍କ ସହିତ କଥା ହେବା, ଅବସର ପରେ କର୍ମଚାରୀଙ୍କୁ ପେନ୍ସନ ଦେବା, ଅବସରପ୍ରାପ୍ତ କର୍ମଚାରୀଙ୍କୁ ୮୦ ବର୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ପ୍ରଦାନ କରାଯିବା, କ୍ୟାଡର ଭିତ୍ତିରେ ଚାକିରି ଦେବା, ଗ୍ରେଡେସନ ଅନୁଯାୟୀ ଦରମା ନିର୍ଦ୍ଧାରଣ କରାଯିବା ପ୍ରଭୃତି ଦାବି ଉପସ୍ଥାପନ କରାଯାଇଥିଲା। ଏହି ବୈଠକରେ ଉପଦେଷ୍ଟା ଧନଞ୍ଜୟ ପ୍ରଧାନ, ଉପସଭାପତି ଗତିକୃଷ୍ଣ ପଣ୍ଡା, ଅତିରିକ୍ତ ସଂପାଦକ କୃଷ୍ଣଚନ୍ଦ୍ର ମିଶ୍ର, ବାଲୁଙ୍କେଶ୍ବର ମହାପାତ୍ର, ପ୍ରଶାନ୍ତ ହୋତା ପ୍ରମୁଖ ମଞ୍ଚାସୀନ ଥିଲେ। ଏଥିରେ ସଂଘର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ। ତେବେ ବିମାନ ବାତିଲ ହେବା ଯୋଗୁଁ ଏହି ବୈଠକରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଯୋଗ ଦେଇ ପାରି ନଥିଲେ।
Follow Us