ଓପିଜିସି ବିଦ୍ୟୁତ୍‌ ମୂଲ୍ୟ ନିର୍ଦ୍ଧାରଣ ଜନଶୁଣାଣି ମେ’ ୬କୁ ଘୁଞ୍ଚିଲା

୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଖୁଚୁରା ବିଦ୍ୟୁତ୍‌ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାରେ ଓପିଜିସିର ବିଦ୍ୟୁତ ମୂଲ୍ୟ ଧାର୍ଯ୍ୟ ପାଇଁ ଦୁଇଟି ଦରଖାସ୍ତ ଓଇଆରସିଙ୍କ ନିକଟରେ ଦାଖଲ ହୋଇଛି। ମାତ୍ର ଆୟୋଗ କେବଳ ପ୍ରଥମ ପର୍ଯ୍ୟାୟ ୪୨୦ ମେଗାୱାଟ୍‌....

ଓପିଜିସି ୟୁନିଟ୍‌ ୧ ଅଚଳ

ଭୁବନେଶ୍ବର: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଖୁଚୁରା ବିଦ୍ୟୁତ୍‌ ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାରେ ଓପିଜିସିର ବିଦ୍ୟୁତ ମୂଲ୍ୟ ଧାର୍ଯ୍ୟ ପାଇଁ ଦୁଇଟି ଦରଖାସ୍ତ ଓଇଆରସିଙ୍କ ନିକଟରେ ଦାଖଲ ହୋଇଛି। ମାତ୍ର ଆୟୋଗ କେବଳ ପ୍ରଥମ ପର୍ଯ୍ୟାୟ ୪୨୦ ମେଗାୱାଟ୍‌ ବିଶିଷ୍ଟ ୟୁନିଟ-୧ ଓ ୨ ବିଦ୍ୟୁତ୍‌ ମୂଲ୍ୟ ନିର୍ଣ୍ଣୟ କରି ଖୁଚୁରା ବିଦ୍ୟୁତ୍‌ ମୂଲ୍ୟକୁ ଅପରିବର୍ତ୍ତିତ ରଖିଥିଲେ। ଆଜି ଦ୍ୱିତୀୟ ପର୍ଯ୍ୟାୟ ୧୩୨୦ ମେଗାୱାଟ୍‌ ବିଶିଷ୍ଟ ୟୁନିଟ୍‌-୩ ଓ ୪ର ବିଦ୍ୟୁତ୍‌ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ଓଇଆରସି ଜନଶୁଣାଣି କରିଛନ୍ତି। ଓଇଆରସିର ଅଧ୍ୟକ୍ଷ ପଦରେ ନୂତନ ଭାବେ ଯୋଗ ଦେଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଅନ୍ୟ ଦୁଇ ସଭ୍ୟ ଗଜେନ୍ଦ୍ର ମହାପାତ୍ର ଓ ସୁଶାନ୍ତ ରାୟ ମହାପାତ୍ରଙ୍କ ଉପସ୍ଥିତିରେ ପୂର୍ଣ୍ଣ ବେଞ୍ଚରେ ଜନଶୁଣାଣି ହୋଇଛି। ଜନଶୁଣାଣି ପ୍ରାରମ୍ଭରେ ଓପିଜିସି ଦରଖାସ୍ତ ଉପରେ ମତାମତ ରଖିବାକୁ ଗ୍ରିଡ୍‌କୋ ଅଧିକ ସମୟ ଆବଶ୍ୟକ କରୁଥିବା ପ୍ରାର୍ଥନା କରିବା ପରେ ଅଧକ୍ଷ ଶ୍ରୀ ଜେନା ଅସନ୍ତୋଷ ବ୍ୟକ୍ତ କରିବା ସହ ୭ ଦିନ ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଲେ ଓପିଜିସି ବିଦ୍ୟୁତ୍‌ ମୂଲ୍ୟ ନିର୍ଣ୍ଣୟ ପ୍ରକ୍ରିୟାରେ କୋଇଲା ମୂଲ୍ୟ ଏକ ମୁଖ୍ୟ ଅଂଶ।

ଓପିଜିସି ବିଦ୍ୟୁତ୍‌ ମୂଲ୍ୟରେ କୋଇଲା ଖର୍ଚ୍ଚର ଅବଦାନ ୫୦% ଥିବାବେଳେ କୋଇଲା ମୂଲ୍ୟ ଏପର୍ଯ୍ୟନ୍ତ ଆୟୋଗ ନିର୍ଣ୍ଣୟ କରିନାହାନ୍ତି। ବିଦ୍ୟୁତ୍‌ ଉତ୍ପାଦନ ପାଇଁ ଓପିଜିସି ଆବଶ୍ୟକ କରୁଥିବା କୋଇଲା ଏହାକୁ ଆବଣ୍ଟିତ ହୋଇଥିବା ମନୋହରପୁର କୋଇଲା ଖଣିରୁ ମିଳୁଛି, ଯାହାର ପରିଚାଳନା ଦାୟିତ୍ୱ ଓପିଜିସିର ସହଯୋଗୀ ସଂସ୍ଥା ଓଡିଶା କୋଲ୍‌ ଆଣ୍ଡ୍‌ ପାୱାର(ଓସିପିଏଲ) ଉପରେ ନ୍ୟସ୍ତ ହୋଇଛି। କୋଇଲା ମୂଲ୍ୟ ନିର୍ଣ୍ଣୟ ପାଇଁ ଆୟୋଗ ୨୦୨୪ ମେ’ ୨୯ରେ ୨୯ ପୃଷ୍ଠାର ଅଧିନିୟମ ବିଜ୍ଞାପିତ ଜାରି କରିଛନ୍ତି। ଓଇଆରସି ଅଧିନିୟମ ଅନୁସାରେ କୋଇଲା ମୂଲ୍ୟ ନିର୍ଣ୍ଣୟ ପାଇଁ ଓସିପିଏଲ୍‌ ବହୁତ ଡେରିରେ ଦରଖାସ୍ତ କରିଥିଲେ ମଧ୍ୟ ତାହାକୁ ଜନଶୁଣାଣି ମାଧ୍ୟମରେ ନିର୍ଦ୍ଧାରଣ କରିବାକୁ ଆୟୋଗ ଅଦ୍ୟାବଧି କୌଣସି ପଦକ୍ଷେପ ନେଇନାହାନ୍ତି।

ଆଜିର ଆୟୋଗଙ୍କ ଶୁଣାଣି ତାଲିକାରେ ଓସିପିଏଲ୍‌ ଦରଖାସ୍ତଟି ପଞ୍ଜୀକୃତ ହୋଇଛି। ଯେଉଁଥିରେ ବିରୋଧୀ ପକ୍ଷ ଭାବେ ଓପିଟିସିଏଲ୍‌, ଶକ୍ତି ବିଭାଗ, ଗ୍ରିଡ୍‌କୋ ଓ ଟାଟାର ଚାରୋଟି ଆବଣ୍ଟନ କମ୍ପାନିଙ୍କୁ ପଞ୍ଜୀକୃତ କରାଯାଇଛି। ଏଥିରୁ ସ୍ପଷ୍ଠ ଜଣାପଡୁଛି ଆୟୋଗ କୋଇଲା ମୂଲ୍ୟ ନିର୍ଣ୍ଣୟ ପାଇଁ ଜନଶୁଣାଣି ପ୍ରକ୍ରିୟା ଅବଲମ୍ବନ କରିବାକୁ ଚାହୁ ନ ଥିବା ଶ୍ରୀ ମହାପାତ୍ର ଅଭିଯୋଗ କରିଥିଲେ। ଓପିଟିସିଏଲ, ଗ୍ରିଡ୍‌କୋ ଓ ଟାଟା ଆବଣ୍ଟନ କମ୍ପାନି ବକ୍ତବ୍ୟ ରଖିଥିଲେ। ସମସ୍ତଙ୍କ ମତାମତ ଶୁଣିବା ପରେ ଆୟୋଗ ଓପିଜିସି ଜନଶୁଣାଣିକୁ ମେ ୬କୁ ଘୁଞ୍ଚାଇ ଦେଇଥିବାବେଳେ କୋଇଲା ମୂଲ୍ୟ ନିର୍ଣ୍ଣୟ ପାଇଁ ଲୋକଙ୍କ ମତାମତ ଏକ ସାଧାରଣ ବିଜ୍ଞପ୍ତି ଜରିଆରେ ଆହ୍ୱାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe