ଓପିଏମ୍‌ କ୍ଲୋରୋ ଆଲକାଲି କମ୍ପ୍ଲେକ୍ସ ପ୍ରସ୍ତାବକୁ ମିଳିଲା ସରକାରୀ ଅନୁମତି

ଓପିଏମ୍‌ କ୍ଲୋରୋ ଆଲକାଲି କମ୍ପ୍ଲେକ୍ସ ପ୍ରସ୍ତାବକୁ ମିଳିଲା ସରକାରୀ ଅନୁମତି

ବ୍ରଜରାଜନଗର : କୋଭିଡ୍‌ ଭଳି ମହାମାରୀ ସମୟରେ ରାଜ୍ୟ ସରକାର ରାଜ୍ୟରେ ପ୍ରସ୍ତାବିତ ୯ଟି ଶିଳ୍ପକୁ ଅନୁମତି ପ୍ରଦାନ କରିଛନ୍ତି। ବୁଧବାର ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିଅରାନ୍‌ସ ଅଥରିଟି (ଏସ୍‌ଏଲ୍‌ଏସଡବ୍ଲୁସିଏ) ପ୍ରମୁଖ ଶାସନ ସଚିବ ସୁରେଶ ମହାପାତ୍ର ଉପରୋକ୍ତ ପ୍ରସ୍ତାବଗୁଡିକୁ ଅନୁମତି ଦେଇଛନ୍ତି। ଏହି ପ୍ରସ୍ତାବ ଭିତରେ  ଓରିଏଣ୍ଟ ପେପର୍‌ ଆଣ୍ଡ ଇଣ୍ଡଷ୍ଟ୍ରିଜ ପକ୍ଷରୁ ବ୍ରଜରାଜନଗରରେ ପ୍ରସ୍ତାବିତ ୧୬୨ କୋଟି ଟଙ୍କାର କ୍ଲୋରୋ ଆଲକାଲି କମ୍ପ୍ଲେକ୍ସ ରହିଛି। ଏହି ପ୍ଲାଣ୍ଟ ପାଇଁ ଓପିଏମ ପକ୍ଷରୁ ୨୦୧୯-୨୦ ରେ ରାଜ୍ୟ ସରକାରଙ୍କୁ  ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁମତି ମିଳିବା ପରେ ଓପିଏମ ଚାଲୁ ନେଇ ଆଶା ସଞ୍ଚାର ହୋଇଛି। ଏହି ଖବର ଜଣାପଡ଼ିବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଖସି ଦେଖାଯାଇଛି।

୧୯୯୯ ମସିହାରୁ କାଗଜକଳ ବନ୍ଦ ହେବା ପରେ ବ୍ରଜରାଜନଗର ସହର ସତେ ଯେପରି ସ୍ଥାଣୁ ପାଲଟି ଯାଇଛି। ବିଭିନ୍ନ ସମୟରେ ଓପିଏମ୍‌ ଚାଲୁ କରିବା ନେଇ ଆନ୍ଦୋଳନ ହୋଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇ ନାହିଁ। ଗତ ବର୍ଷ କାରଖାନା ଚାଲୁ କରିବା ସଂପର୍କରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଲୋକସଭାରେ ପ୍ରସଙ୍ଗ ଉଠାଇଥିଲେ। ଏହା ରାଜ୍ୟ ସରକାରଙ୍କ ଅଧୀନରେ ଆସୁଥିବା କହି ବିଭଗୀୟ ମନ୍ତ୍ରୀ ସ୍ପଷ୍ଟ କରିବା ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଥିଲେ। କାରଖାନା ଚାଲୁ କରିବା ବାବଦରେ ଚଳିତ ବର୍ଷ ଜାନୁଆରି ୧୮ ତାରିଖରେ  ଭିଡିଓ କନ୍‌ଫରେନ୍‌ସ ମାଧ୍ୟମରେ ବୈଠକ ହୋଇଥିଲା। ଏଥିରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଅଧ୍ୟକ୍ଷତା କରିଥିଲେ। ଶିଳ୍ପ, ଶ୍ରମ, ଇପିକଲ, ଅର୍ବାନ, ଜଙ୍ଗଲ ବିଭାଗ, ପରିବେଶ, ଅର୍ଥ, ଶ୍ରମ, ଇଏସଆଇ ଆଦି ବିଭାଗରର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ଓପିଏମ ପକ୍ଷରୁ ମ୍ୟାନେଜିଂ ଡାଇରେକ୍ଟର୍‌ ଏମ ଏଲ ପଚିସିଆ, ବରିଷ୍ଠ ଅଧିକାରୀ ଆର ସି ମଲ, ଏନ୍‌ କେ ସା, ଉପସଭାପତି ଆଇ ସି ଜୈନ, ଫ୍ୟାକ୍ଟ୍ରି ମ୍ୟାନେଜର ଗିରୀଶ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ। କାରଖାନାକୁ ପୁନର୍ବାର ଚାଲୁ କରିବା ନେଇ ଚନ୍ଦ୍ରକାନ୍ତ ବିର୍ଲ୍ଲା ଗ୍ରୁପ ଆଗ୍ରହୀ ଥିବା  ଶ୍ରୀ ପଚିସିଆ କହିଥିଲେ।

ପ୍ରାଥମିକସ୍ତରରେ ଏଠାରେ ସିମେଣ୍ଟ ଶିଳ୍ପ  କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର କଞ୍ଚାମାଲ ସମସ୍ୟା ପାଇଁ କମ୍ପାନି ଏଥରୁ ଦୂରେଇ ଯାଇଥିଲା। ପରବର୍ତୀ ଅବସ୍ଥାରେ ଏଠାରେ ଏକ କ୍ଲୋରୋ ଆଲକାଲି କମ୍ପ୍ଲେକ୍ସ ପ୍ରତିଷ୍ଠା କରିବା ନେଇ ନିର୍ଣ୍ଣୟ ହୋଇଛି। ଏଥିରୁ କଷ୍ଟିକ ସୋଢା ସହିତ ଆନୁଷଙ୍ଗିକ ସାମଗ୍ରୀ ଉତ୍ପାଦନ ହେବ। ପ୍ରାଥମିକ ପର୍ଯ୍ୟାୟରେ ୧୭୨ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଥମ ଦଫାରେ ୩୪୦ ଜଣ ନିଯୁକ୍ତି ପାଇବେ ଓ ପରୋକ୍ଷରେ ୭୨୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ପରବର୍ତୀ ଅବସ୍ଥାରେ ଏଠାରେ ଥିବା କାଗଜକଳକୁ ପୁନଃ ଚାଲୁ କରିବାକୁ ପ୍ରୟାସ କରାଯିବ ବୋଲି ଶ୍ରୀ ପଚିସିଆ କହିଥିଲେ। ଏହା ସହିତ ପୁରୁଣା ପ୍ଲାଣ୍ଟର ବିଭିନ୍ନ ଟ୍ୟାକ୍ସ ସହିତ ବକେୟା ରାଶି କମ୍ପାନି କର୍ତୃପକ୍ଷଙ୍କୁ ଓପିଏମ ଚାଲୁ କରିବାରେ ନିରୁତ୍ସାହିତ କରୁଥିବା ସେ ଦୃଷ୍ଟି ଆକର୍ଷଣ କରିଥିଲେ। ଶିଳ୍ପ ବିଭାଗ ପ୍ରମୁଖ ସଚିବ ଉପସ୍ଥାପନ ହୋଇଥିବା ନୂତନ ପ୍ରସ୍ତାବକୁ ସ୍ୱାଗତ କରିବା ସହିତ ରାଜ୍ୟ ସରକାର ଓପିଏମରେ ଶିଳ୍ପ  କାର୍ଯ୍ୟ ଚାଲୁ କରିବା ନେଇ ବଦ୍ଧ ପରିକର ବୋଲି କହିଥିଲେ। ପୁରୁଣା କାରଖାନାର ବିଭିନ୍ନ ସମସ୍ୟା ଓ ବକେୟା ଦେୟ ନେଇ  ବିଭିନ୍ନ ବିଭାଗର ଗୋଟିଏ ପରେ ଗୋଟିଏ କାମ କରାଯିବାକୁ ପ୍ରମୁଖ ସଚିବ ପରାମର୍ଶ ଦେଇଥିଲେ। ପୁରୁଣା ଶିଳ୍ପର ବକେୟା ପ୍ରାପ୍ୟ ଅନ୍ୟ ଏକ ଫୋରମ୍‌ରେ ରଖାଯିବାକୁ ନିଷ୍ପତ୍ତି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe