ରେଙ୍ଗାଳି କେନାଲ କାମକୁ ବିରୋଧ

Advertisment
ରେଙ୍ଗାଳି କେନାଲ କାମକୁ ବିରୋଧ

କାଳିଆପାଣି : ବିଭିନ୍ନ ସମସ୍ୟାକୁ ନେଇ ରେଙ୍ଗାଲି ବାମ ପାର୍ଶ୍ବ କେନାଲ ଖନନ କାମକୁ ଚିତ୍ରୀ ନୂଆସାହି ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ସଂପୃକ୍ତ ଠିକାସଂସ୍ଥାର ମନୋମୁଖୀ କାର୍ଯ୍ୟରେ ବିରୋଧରେ ଅସନ୍ତୋଷ ପ୍ରକାଶ କରି ମେଳି ହେବା ପରେ କାର୍ଯ୍ୟସ୍ଥଳକୁ ଯାଇ ଖନନ କାର୍ଯ୍ୟ ବନ୍ଦ କରାଇଛନ୍ତି। ଖବରପାଇ ଟମକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ଉଦ୍ୟମ କରିଥିଲା। କିନ୍ତୁ ଗ୍ରାମବାସୀ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଗ୍ରାମବାସୀ ଅଭିଯୋଗ କରନ୍ତି ଯେ, ଦାନଗଦୀ ତହସିଲ ଗୋବର୍ଦ୍ଧନପୁର ରାଜସ୍ବ ସର୍କଲ ଅଧୀନସ୍ଥ ଉକ୍ତ ସ୍ଥାନରୁ କେନାଲ ନାଁରେ ପ୍ରଚୁର ପରିମାଣର ମାଟି ଓ ମୋରମ ଖନନ କରାଯାଇ ଯୋଜନାବଦ୍ଧ ଭାବେ ଅନ୍ୟ ଜିଲ୍ଲାରେ ବିକ୍ରୟ କରାଯାଉଛି। ସ୍ଥାନୀୟ ସ୍ବାର୍ଥକୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି।

ହାତଗଣତି ବ୍ୟକ୍ତିଙ୍କୁ ଠିକାସଂସ୍ଥାରେ ନିଯୁକ୍ତି ମିଳିଥିଲେ ମଧ୍ୟ ସେମାନଙ୍କୁ ଉଚିତ ପ୍ରାପ୍ୟ କିମ୍ବା ଠିକ୍‌ ସମୟରେ ଏହା ମିଳୁନଥିବା ନେଇ ଅସନ୍ତୋଷ ରହିଛି। ମାଟି ମୋରମ ଚାଲାଣ ବେଳେ ଗାଁଗହଳିର ରାସ୍ତାଘାଟ ଶୋଚନୀୟ ହେବା ସହ ସ୍ଥାନୀୟ ପରିବେଶ ଧୂଳି‌ରେ ଛାଇ ଯାଉଛି। ପ୍ରତିବାଦ କଲେ ଗୁଣ୍ଡାଶ୍ରେଣୀର ଲୋକଙ୍କ ମାଧ୍ୟମରେ ସ୍ଥାନୀୟ ଯୁବକ ଓ କୃଷକମାନଙ୍କୁ ଧମକଚମକ ଦିଆଯାଉଛି। ଚୋରା ଲଘୁ ଖଣିଜ କାରବାର ଦ୍ବାରା କୋଟିକୋଟି ଟଙ୍କାର ରାଜସ୍ବ ହାନୀ ହେଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଥିବା ଦର୍ଶାଇ ସଂଘବଦ୍ଧ ଗ୍ରାମବାସୀ ଦୃଢ଼ ପ୍ରତିବାଦ କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସମସ୍ୟାର ଅନୁଧ୍ୟାନ କରି ଏ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କ ପକ୍ଷରୁ ସରପଞ୍ଚ ନୀନା ବେହେରା, ଚିତ୍ତରଞ୍ଜନ ନାୟକ, ଅଜୟ କୁମାର ବେହେରା, ଚିନ୍ମୟ କୁମାର ନାୟକ, ବିକାଶ ଜେଠୀ, ପ୍ରକାଶ ଜେଠୀ, ସୁଶୀଲ ଷଣ୍ଢ, ରଞ୍ଜନ ସାମଲ, ମିଞ୍ଜ ରାଉତ ପ୍ରମୁଖ ଦାବି କରିଛନ୍ତି। ଜନ ଅସନ୍ତୋଷ ପାଇଁ ଆଜି ଏଠାରେ କାମ ବନ୍ଦ ରହିଛି।

ବୁଝାମଣା ନହେବା ପର୍ଯ୍ୟନ୍ତ କାମ ବନ୍ଦ ରଖିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ଏସଂପର୍କରେ ଟମକା ଥାନା ଅଧିକାରୀ ସୁକାନ୍ତ କୁମାର ପାତ୍ରଙ୍କୁ ଯୋଗାଯୋଗ କରିବାରେ ଠିକାସଂସ୍ଥା ଓ ନୂଆସାହି ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ରହିଥିବା ଏବଂ ଅଧିକାଂଶ ସମୟରେ ଗଣ୍ଡଗୋଳ ହେଉଥିବା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe