କ୍ୟାବିନେଟ୍‌ ସଂକଳ୍ପକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ

ଆଜି କେବଳ ମହାତ୍ମା ଗାନ୍ଧୀ, ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ପାଳନ ହେବ

NewsX

ଭୁବନେଶ୍ବର: ୧୯୩୧ ଜନଗଣନା ଆଧାରରେ କାହିଁକି ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଓବିସି ଓ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିନାହାନ୍ତି। କାହିଁକି ମଣ୍ଡଳ କମିସନଙ୍କ ସୁପାରିସକୁ ରାଜ୍ୟରେ କାର୍ଯ୍ୟକାରି କରାଯାଇନି। ୨୦୨୧ ଜନଗଣନାରେ ଜାତି ଆଧାରରେ ରାଜ୍ୟରେ ଥିବା ପଛୁଆ ବର୍ଗଙ୍କ ଗଣନା ପାଇଁ ବ୍ୟବସ୍ଥା କରିବାକୁ ଗତକାଲି କ୍ୟାବିନେଟ୍‌ ନିଷ୍ପତ୍ତିକୁ ନେଇ ଆଜି ବିରୋଧୀ ଏପରି ପ୍ରଶ୍ନ ଉଠାଇଛନ୍ତି। ବିରୋଧୀଙ୍କ ସମସ୍ତ ଅଭିଯୋଗକୁ କିନ୍ତୁ ବିଜେଡି ଖଣ୍ଡନ କରିଛି।

ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରି କହିଥିଲେ, ରାଜ୍ୟରେ ଗୋପାଳ, ଚଷା, ବଢ଼େଇ ଓ କୁମ୍ଭାର ଆଦି ଅନେକ ଜାତିର ଲୋକ ଥିବା ସତ୍ତ୍ବେ ରାଜ୍ୟ ସରକାର ସେମାନଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିଚାଲିଛନ୍ତି। ତାଙ୍କର ସାମ୍ବିଧାନିକ ମୌଳିକ ଅଧିକାର ଭାରତ ସରକାର ଦେବା ପରେ ବି ରାଜ୍ୟ ସରକାର ସକାରାତ୍ମକ ନିଷ୍ପତ୍ତି ନେଇପାରିନାହାନ୍ତି। ନ୍ୟାୟିକ ପ୍ରକ୍ରିୟାର ଆଳ ଦେଖାଇ ଏସଇବିସି ଏବଂ ଓବିସି ବର୍ଗଙ୍କ ଅଧିକାର ପ୍ରଦାନ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କେବେସୁଦ୍ଧା ଏହି ଦୁଇ ବର୍ଗର ଲୋକମାନଙ୍କୁ ସଂରକ୍ଷଣ ମି​ଳିବ ଏ ନେଇ ରାଜ୍ୟ ସରକାର ସ୍ପଷ୍ଟ କରିବାକୁ ଶ୍ରୀମତୀ ସାମନ୍ତସିଂହାର ଦାବି କରିଥିଲେ। ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ ଯେ ମଣ୍ଡଳ କମିସନଙ୍କ ସୁପାରିସ ଅନୁଯାୟୀ, ରାଜ୍ୟରେ ପଛୁଆ ବର୍ଗର ଲୋକଙ୍କ ନିମନ୍ତେ ୨୭% ସଂରକ୍ଷଣ ମିଳିନାହିଁ। କମିସନଙ୍କ ସୁପାରିସକୁ ପାଳନ କରି ୧୯୯୨ ମସିହାରୁ କେନ୍ଦ୍ର ସରକାର ଓବିସି ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭% ସଂରକ୍ଷଣ ଲାଗୁ କରିଛନ୍ତି। ରାଜ୍ୟରେ ମୋଟ ୫୪% ଓବିସି ବର୍ଗର ବ୍ୟକ୍ତି ଅଛନ୍ତି। ସେମାନଙ୍କୁ ଚାକିରି କ୍ଷେତ୍ରରେ ମାତ୍ର ୧୧% ସ୍ଥାନ ସଂରକ୍ଷଣ ମିଳୁଛି। ମଣ୍ଡଳ କମିସନଙ୍କ ସୁପାରିସ ଅନୁସାରେ ସରକାର ପ୍ରଥମେ ଓବିସିଙ୍କୁ ଶିକ୍ଷା କ୍ଷେତ୍ରରେ ୨୭% ସ୍ଥାନ ସଂରକ୍ଷଣ ଦିଆଯାଉ। ବିରୋଧୀଙ୍କୁ ଜବାବ ଦେଇ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଥିଲେ, ମଣ୍ଡଳ କମିସନଙ୍କ ସୁପାରିସ ଆଧାରରେ ସଂରକ୍ଷଣ ନେଇ ମାମଲା ନ୍ୟାୟାଳୟରେ ବିଚାରାଧୀନ ଥିବାରୁ ସରକାର ରାଜ୍ୟରେ ତାକୁ ଲାଗୁ କରିପାରିନାହାନ୍ତି। ଏଥିପ୍ରତି ସରକାରଙ୍କ ଆନ୍ତରିକତା ନ ଥିବା ଅଭିଯୋଗ କରିବା ସମ୍ପୂର୍ଣ୍ଣ ଭୁଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe