ଗୃହ ବାହାରେ ସରକାରଙ୍କୁ ଘେରିଲେ ବିରୋଧୀ

ବିଧାୟକ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ: ‘ବିକାଶରେ ବାଧକ ଶାସକ ଦଳର ନେତା’

Odisha Samaya

ଭୁବନେଶ୍ବର : ଗୃହ ବାହାରେ ଗଣମାଧ୍ୟମରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସରକାରଙ୍କ ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ ସିଂହ ଛାଲ ପିନ୍ଧି ସିଂହର ଗର୍ଜନ କରୁଛି ଶାସକ ବିଜେଡି। କିନ୍ତୁ କେନ୍ଦ୍ରରେ ବିଲେଇ ଆଗରେ ମୂଷା ଭଳି ଲୁଚୁଛି। ଖଣି ଦୁର୍ନୀତି ଆଲୋଚନାରୁ ବର୍ତ୍ତିବା ପାଇଁ ଏବେ କେନ୍ଦ୍ର ଅବହେଳା କଥା କହି ବିଜେଡି ନାଟକବାଜି କରୁଛି। ଯେଉଁଠି ସ୍ୱର ଉତ୍ତୋଳନ କରିବା କଥା ସେଠି ବିଜେଡିକୁ ଖୋଜିଲେ ମିଳୁନାହିଁ। ମରୁଡ଼ି ଆଲୋଚନା ବେଳେ ରାଜ୍ୟରେ ସରକାର ମରୁଡି ଘୋଷଣା କରିବାକୁ କଂଗ୍ରେସ ଦାବି କରିଥିଲା। କିନ୍ତୁ ସେହି ସମୟରେ ରାଜସ୍ବ ମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ମରୁଡ଼ି ହୋଇ ନାହିଁ, ବର୍ଷା ସମ୍ଭାବନା ରହିଛି, ସମୟ ଆସିଲେ ମରୁଡି ଘୋଷଣା କରାଯିବ। ଏବେ ଖଣି ଦୁର୍ନୀତିରୁ ରକ୍ଷା ପାଇବା ପାଇଁ କେନ୍ଦ୍ରର ବୈମାତୃକ ମନୋଭାବ ଓ ଅବହେଳା କହିବା ଅତ୍ୟନ୍ତ ଦୁର୍ଭଗ୍ୟଜନକ। ଯଦି ବାସ୍ତବରେ ଚାଷୀଙ୍କ ପ୍ରତି ଆନ୍ତରିକତା ରହିଛି, ତେବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ଦେଇ ରାଜ୍ୟ ସରକାର କାହିଁକି କିଣୁ ନାହାନ୍ତି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି।

ସେହିପରି ବି‌ଜେପି ବିଧାୟକମାନେ ଦଳର ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିଧାନସଭା ଅଚଳାବସ୍ଥା ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଥିଲେ। ସେମାନେ କହିଥିଲେ ଯେ ବିଧାନସଭା ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାକୁ ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ଗୃହରେ ଲଗାତର ଅନୁପସ୍ଥିତି, ବାଚସ୍ପତିଙ୍କର ସରକାରଙ୍କ ନିକଟରେ ଆତ୍ମସମର୍ପଣ, ଶାସକ ଦଳର ସଭ୍ୟମାନଙ୍କ ରାଜନୈତିକ ନାଟକବାଜି ଓ କଂଗ୍ରେସର ଶାସକ ବିଜେଡିର ବି ଟିମ୍ ପରି ଆଚରଣ ପାଇଁ ପ୍ରସଙ୍ଗଗୁଡ଼ିକ ଆଲୋଚନା ହୋଇପାରିଲା ନାହିଁ। ମୁଖ୍ୟମନ୍ତ୍ରୀ ଗୃହକୁ ଆସୁ ନାହାନ୍ତି କି ବିଧାନସଭାର ଗାରିମା ନଷ୍ଟ ହେଲେ ତାହାକୁ ଭ୍ରୁକ୍ଷେପ କରୁ ନାହାନ୍ତି। କେବଳ କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରି ବାହା ବାହା ‌ନେଉଛନ୍ତି। ଖଣି ଦୁର୍ନୀତି ବିଷୟରେ ବିଜେପି ମୁଲତବୀ ପ୍ରସ୍ତାବ ଦେଲେ ମଧ୍ୟ ଏହା ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ନୁହେଁ କହି ବାଚସ୍ପତି ତାହାକୁ ଖାରଜ କରୁଛନ୍ତି। ଓଡ଼ିଶାର ପ୍ରାକୃତିକ ସମ୍ପଦ ଲୁଟ୍‌ ହେଉଥିଲା ବେଳେ ବାଚସ୍ପତିଙ୍କ ପାଇଁ ଏହା ପ୍ରସଙ୍ଗ ନୁହେଁ। ଆଜି ଶେଷ ଦିନରେ ବିଜେପି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇ ସରକାରଙ୍କ ଠାରୁ ସମାଧାନ ଚାହୁଁଥିଲା। କିନ୍ତୁ ବାଚସ୍ପତି ସରକାରଙ୍କ ହାତବାରିସି ସାଜି ତାହା କରାଇଦେଲେ ନାହିଁ। ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସତେଚତକ ମୋହନ ମାଝୀ, ବିଧାୟକ ନାଉରୀ ନାଏକ, ସୁବାସ ପାଣିଗ୍ରାହୀ, ଭା‌ସ୍କର ମଢ଼େଇ, କେ ନାରାୟଣ ରାଓ, ଲଳିତେନ୍ଦୁ ବିଦ୍ୟାଧର ମହପାତ୍ର, ଜୟନ୍ତ ଷଡ଼ଙ୍ଗୀ, ନିତ୍ୟାନନ୍ଦ ଗଣ୍ଡ, ପ୍ରକାଶ ସୁରେନ, ନବ ମାଝୀ ଓ ଭବାନୀ ଶଙ୍କର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

publive-image

ବିଜେପିକୁ ଜବାବ ଦେଇ ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କେନ୍ଦ୍ରର ଅବହେଳା କାରଣରୁ ଓଡ଼ିଶା ଚାଷୀଙ୍କୁ ସାର ଉପଲବ୍ଧ ନ ହେବା ନେଇ ବିଜେଡି ବିରୋଧ କରୁଥିଲା ବେଳେ ବିଜେପି ବିଧାୟକମାନେ ରାଜ୍ୟର ଚାଷୀଙ୍କ କଲ୍ୟାଣ ପାଇଁ ଚିନ୍ତା କିମ୍ବା ସହାନୁଭୂତି ଦେଖାଇ ନାହାନ୍ତି। ସେମାନେ ଓଡ଼ିଶା କୃଷକଙ୍କ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହାନ୍ତି ନାହିଁ। ସେଥି ପାଇଁ ସେମାନେ ବିଧାନସଭାକୁ ଅଚଳ କଲେ। ବିଜେପିର ରାଷ୍ଟ୍ରୀୟ ନେତୃତ୍ବ ସଂସଦ ଓ ବିଧାନସଭାରେ ଆଲୋଚନା ଓ ବିତର୍କ ଉପରେ ଗୁରୁତ୍ବ ଦେଉଥିଲା ବେଳେ ଏଠାରେ ବିଜେପି ବିଧାୟକମାନେ ସେଥିରେ ସହମତ ନୁହନ୍ତି। ଓଡ଼ିଶା ବିଜେପିର ଦୋମୁହାଁ ନୀତିକୁ ପଦାରେ ପଡ଼ୁଛି। ଏହା ଓଡ଼ିଶାବାସୀ ଦେଖୁଛନ୍ତି ଓ ସେମାନଙ୍କୁ ନିଜ ନିଜ ନିର୍ବାଚନମଣ୍ଡଳୀରେ ଲୋକମାନେ ଉଚିତ ଜବାବ ଦେ‌ବେ। କଂଗ୍ରେସ ବିଧାୟକ ଦଳ ନେତାଙ୍କ ସିଂହ-ମୂଷା ଅଭିଯୋଗ ଉପରେ ଜବାବ ଦେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଆବଶ୍ୟକସ୍ଥଳେ ସିଂହ ଓ ବାଘର ଭୂମିକା ନେଇ ଗର୍ଜନ କରିଛୁ। ସାଧାରଣ ଲୋକଙ୍କ ସ୍ୱାର୍ଥଙ୍କୁ ଦୃଷ୍ଟିରେ ରଖି ସବୁ ପ୍ରକାର ଗର୍ଜନ କରିଛି ବିଜେଡି। କେନ୍ଦ୍ରକୁ ଭୟ କରିବାର ପ୍ରଶ୍ନ ଉଠୁନି। ନା କଂଗ୍ରେସ ସରକାରରେ ଥିବା ବେଳେ ଭୟ କରିଥିଲୁ ନା ଏବେ ବିଜେପି ସରକାରକୁ ଆମେ ଭୟ କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe