ବିଧାନସଭାରେ ‘ଟମାଟୋ’ ଝଡ଼

Advertisment
ବିଧାନସଭାରେ ‘ଟମାଟୋ’ ଝଡ଼

ପ୍ରଶ୍ନକାଳ, ଶୂନ୍ୟକାଳ ସବୁ ଉଡ଼ିଗଲା
ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ
ବାସ୍ତବତାକୁ ନ ମାନି ସରକାର ବିତଣ୍ଡା
ଯୁକ୍ତି ରଖୁଛନ୍ତି : ନରସିଂହ

ଭୁବନେଶ୍ୱର : ବିଧାନସଭା ଗୃହରେ ଆଜି ‘ଟମାଟୋ’ ଝଡ଼ ବୋହିଲା। ଝଡ଼ର ପ୍ରକୋପ ଏମିତି ଥିଲା ଯେ ଗୃହ ଚଳାଇବା ସମ୍ଭବ ନ ଥିଲା। ପ୍ରଶ୍ନକାଳରୁ ଆରମ୍ଭ ହୋଇଥିବା ଏହି ଝଡ଼ ଅପରାହ୍ନରେ ବଜେଟ୍‌ ଉପସ୍ଥାପନ ପର୍ଯ୍ୟନ୍ତ ଚାଲିଲା। ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା କିଛି ହୋଇପାରିଲାନି। ବାଚସ୍ପତି ଶେଷରେ ସର୍ବଦଳୀୟ ବୈଠକ ଡାକିଲେ।

ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ଓ ବିଜେପି ସଭ୍ୟ ଠିଆ ହୋଇପଡ଼ିଲେ। ‘ସମ୍ବାଦ’ର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିବା ‘କ୍ଷେତ ଖାଉଛି ଟମାଟୋ’ ଖବରକୁ ନେଇ ଆରମ୍ଭ କଲେ ନାରାବାଜି। କଂଗ୍ରେସ ସଭ୍ୟମାନେ ‘ସମ୍ବାଦ’କୁ ଦେଖାଇବା ସହ ସାଙ୍ଗରେ ଆଣିଥିବା ଟମାଟୋକୁ ବି ଦେଖାଇଥିଲେ। ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ ଘୋଷଣା କରି ଉତ୍ତର ଦେବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଡାକିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଉଭୟ କଂଗ୍ରେସ ଓ ବିଜେପି ସଭ୍ୟ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ବାଚସ୍ପତିଙ୍କ ଟେବୁଲ୍‌ ତଳେ ଠିଆ ହୋଇ ଏ ସରକାର ଚାଷୀ ବିରୋଧୀ ନାରାବାଜି କଲେ। ଟମାଟୋ ଚାଷୀଙ୍କ ପାଇଁ ସରକାର ତୁରନ୍ତ କିଛି ପଦକ୍ଷେପ ନିଅନ୍ତୁ ବୋଲି ଦାବି କଲେ। ଟମାଟୋ ପ୍ରଦର୍ଶନ କରି ପ୍ରତିବାଦ କଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଚେୟାର ଉପରେ ଛିଡ଼ା ହୋଇ ବାଚସ୍ପତିଙ୍କ ଟେବୁଲ୍‌ ବାଡ଼େଇଥିଲେ। ବିରୋଧୀଙ୍କ ପ୍ରତିବାଦର ସ୍ୱର ଏତେ ତୀବ୍ର ଥିଲା ଯେ ଆଉ ଗୃହ ଚଳାଇବା ସମ୍ଭବ ହୋଇ ନ ଥିଲା। ୧୦ଟା ୩୨ରେ ବାଚସ୍ପତି ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ ରଖିଲେ।

୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ। ସେ କହିଥିଲେ, ଚାଷୀଙ୍କ ପାଇଁ ସବୁ କରୁଛନ୍ତି ବୋଲି ଗତକାଲି ମନ୍ତ୍ରୀ ବାହାସ୍ଫୋଟ ମାରୁଥିଲେ। କିନ୍ତୁ ଆଜି ଦୈନିକ ‘ସମ୍ବାଦ’ରେ ପ୍ରକାଶିତ ରିପୋର୍ଟ ‘କ୍ଷେତ ଖାଉଛି ଟମାଟୋ’ ଏହାର ପ୍ରମାଣ। ଗଞ୍ଜାମ ଜିଲ୍ଲାରେ ଟମାଟୋ ଚାଷୀମାନେ କେତେ ହଇରାଣ ହେଉଛନ୍ତି, ତାହା ଏଥିରେ ଦର୍ଶାଯାଇଛି। ୨୫ କେଜି ଟମାଟୋକୁ ଚାଷୀ ମାତ୍ର ୩୦ ଟଙ୍କାରେ ବିକୁଛନ୍ତି। ଋଣ କରି ଟମାଟୋ ଚାଷ କରିଥିବା ଚାଷୀ କିପରି ଋଣ ପରିଶୋଧ କରିବ, ସେ ନେଇ ଚିନ୍ତାରେ। ଏହା ଜଣେ ଚାଷୀଙ୍କ ଦୁର୍ଦ୍ଦଶା ନୁହେଁ। ବହୁ ଚାଷୀ ସମାନ ଦୁର୍ଦ୍ଦଶା ଭୋଗୁଛନ୍ତି। ଚାଷୀ ଜାଣିପାରୁ ନାହାନ୍ତି ଟମାଟୋକୁ କ’ଣ କରିବେ। କ୍ଷେତରୁ ଟମାଟୋ ତୋଳିବା ପାଇଁ ମଜୁରୀ ଦେବାକୁ ତାଙ୍କ ପାଖରେ ପଇସା ନାହିଁ। ତୋଳିଲେ ବି ବିକ୍ରି ହେବାର ସମ୍ଭାବନା ନାହିଁ। କେବଳ ଟମାଟୋ ନୁହେଁ, ମଝିରେ ମଝିରେ ପନିପରିବା ଦର ବି ହଠାତ୍‌ କମିଯାଏ। ଫଳରେ କମ୍‌ ଦରରେ ଚାଷୀ ତାହାକୁ ବିକିବାକୁ ବାଧ୍ୟ ହୁଏ।

ଶ୍ରୀ ମିଶ୍ର କହିଥିଲେ, ଗୃହରେ ଚାଷ ଓ ଚାଷୀଙ୍କ କଥା ଅନେକ ବାର ଆଲୋଚନା ହୋଇଛି। ଗୃହର ଆଲୋଚନାକୁ ସରକାର ଗୁରୁତର ସହ ନେବା କଥା। କିନ୍ତୁ ବାସ୍ତବତାକୁ ନ ମାନି ସରକାର ବିତଣ୍ଡା ଯୁକ୍ତି କରୁଛନ୍ତି। ପୁରସ୍କାର ପାଉଛୁ...ଭୋଟ୍‌ ପାଉଛୁ, ତେଣୁ ଯାହା କରୁଛୁ, ଠିକ୍‌ କରୁଛୁ ବୋଲି ଯୁକ୍ତି କରୁଛନ୍ତି। ଏହା ହାସ୍ୟାସ୍ପଦ ଯୁକ୍ତି। ଗଣତନ୍ତ୍ର ରାଷ୍ଟ୍ରରେ ସରକାରଙ୍କ ଏପରି ଆଭିମୁଖ୍ୟ ଶୁଭଙ୍କର ନୁହେଁ। ଏବେ ବିଲାତିକୁ ସର୍ବନିମ୍ନ ମୂଲ୍ୟ ଦେଇ ସରକାର କିଣିବା ପାଇଁ ପଦକ୍ଷେପ ନିଅନ୍ତୁ। ଗୃହକୁ ମୁଲତବୀ ରଖନ୍ତୁ। ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରନ୍ତୁ। ନଚେତ ଗୃହ ଚାଲିପାରିବ ନାହିଁ।

ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ସରକାରଙ୍କୁ ସମାଲୋଚନା କରି କହିଲେ, ସରକାର ରାଜ୍ୟପାଳଙ୍କ ମାଧ୍ୟମରେ ନିଜର ସଫଳତା ବଖାଣିଲେ। ନିଜେ ମନ୍ତ୍ରୀ ବି ଗତକାଲି ଚାଷୀଙ୍କ ପାଇଁ ସବୁ କରୁଛନ୍ତି ବୋଲି କହିଲେ। ଗିଇସିଲେଟ୍‌ ବ୍ଲକ୍‌ରେ ରାସ୍ତାରେ ଚାଷୀ ଟମାଟୋ ଫିଙ୍ଗୁଥିଲେ। ଚାଷୀଙ୍କୁ ଏ ଦୁର୍ଦ୍ଦଶାରୁ ରକ୍ଷା କରିବାକୁ ସରକାର ତୁରନ୍ତ ସହଯୋଗର ହାତ ବଢ଼ାନ୍ତୁ। ନିଜେ ଟମାଟୋ କିଣି ନିଅନ୍ତୁ। କୃଷି ପାଇଁ ଅଲଗା ବଜେଟ୍‌ କରିଦେଲେ ସମସ୍ୟାର ସମାଧାନ ହୁଏନି। ବିରୋଧୀ ଦଳ ନେତା ଯେଉଁ ସର୍ବଦଳୀୟ ବୈଠକ ପାଇଁ ଦାବି କରିଛନ୍ତି, ତାହାକୁ ବିଜେପି ସମର୍ଥନ କରୁଛି। ତୁରନ୍ତ ସର୍ବଦଳୀୟ ବୈଠକ ଡାକି ସମାଧାନର ବାଟ ବାହାର କରାଯାଉ।

ଏହା ପରେ ବିରୋଧୀ ଦଳର ସଭ୍ୟମାନେ ହୋହଲ୍ଲା କରିଥିଲେ। ୧୧ଟା ୩୯ରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ରଖିଥିଲେ। ୩ଟା ବେଳେ ବିରୋଧୀ ଦଳ ନେତା ପୁଣି କହିଥିଲେ, ସର୍ବଦଳୀୟ ବୈଠକ ଡାକି ବାଚସ୍ପତି ଗୃହକୁ ସ୍ୱାଭାବିକ କରାନ୍ତୁ। ଏମିତି ହୋହଲ୍ଲା ଭିତରେ ବଜେଟ୍‌ କିପରି ଉପସ୍ଥାପନ କରାଯିବ। ବାଚସ୍ପତି ୩ଟା ୩ରେ ଗୃହକୁ ୩ଟା ୪୫ ଯାଏଁ ମୁଲତବୀ ରଖିବା ସହ ସର୍ବଦଳୀୟ ବୈଠକ ଡାକିଥିଲେ।

ଏହା ପରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ସର୍ବଦଳୀୟ ବୈଠକ ହୋଇଥିଲା। ଟମାଟୋ ଅଭାବୀ ବିକ୍ରି ରୋକିବାକୁ ସରକାର ବିଭିନ୍ନ ଜିଲ୍ଲାରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ ପ୍ରତିଷ୍ଠା ନେଇ ମତପ୍ରକାଶ ପାଇଥିଲା। ଏ ନେଇ ଆସନ୍ତା ସୋମବାର ଦିନ କୃଷି ମନ୍ତ୍ରୀ ଗୃହରେ ବିବୃତି ଦେବେ।

୩ଟା ୪୫ରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା। ଅର୍ଥ ମନ୍ତ୍ରୀ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe