ସୂଚନା ଅଧିକାର କର୍ମୀଙ୍କ ସୁରକ୍ଷା ପାଇଁ ଆଇନ କର: ବିରୋଧୀ ଦଳ ମୁଖ୍ୟ ସଚେତକ

Advertisment

ଓଡ଼ିଶା ହ୍ବିସିଲ୍‌ ବ୍ଲୋୟର୍ସ୍‌ ପ୍ରୋଟେକ୍‌ସନ୍‌ ବିଲ୍‌-୨୦୨୦ ଗୃହରେ ଆଗତ

ଓଡ଼ିଶା ହ୍ବିସିଲ୍‌ ବ୍ଲୋୟର୍ସ୍‌ ପ୍ରୋଟେକ୍‌ସନ୍‌ ବିଲ୍‌-୨୦୨୦ ଗୃହରେ ଆଗତ

ସୂଚନା ଅଧିକାର କର୍ମୀଙ୍କ ସୁରକ୍ଷା ପାଇଁ ଆଇନ କର: ବିରୋଧୀ ଦଳ ମୁଖ୍ୟ ସଚେତକ

Facebook

ଭୁବନେଶ୍ବର : ରାଜ୍ୟରେ ସୂଚନା ଅଧିକାର କର୍ମୀମାନଙ୍କ ଉପରେ ଆକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି। ନିକଟରେ କନ୍ଧମାଳର ଅଭିମନ୍ୟୁ ପଣ୍ଡା ଓ କେନ୍ଦ୍ରାପଡ଼ାର ରଞ୍ଜନ ଦାସଙ୍କ ହତ୍ୟା ଏହାର ବଳିଷ୍ଠ ପ୍ରମାଣ। ସୂଚନା ଅଧିକାର କର୍ମୀମାନଙ୍କ ପାଇଁ ଓଡ଼ିଶା ସୁରକ୍ଷିତ ସ୍ଥାନ ନୁହେଁ। ଏପରି ସ୍ପର୍ଶକାତର ବିଷୟକୁ ଗୁରୁତ୍ବ ଦେଇ ଖୁବଶୀଘ୍ର ରାଜ୍ୟରେ ସେମାନଙ୍କ ସୁରକ୍ଷା ପାଇଁ ହ୍ବିସିଲ୍‌ ବ୍ଲୋୟର୍ସ୍‌ ପ୍ରୋଟେକ୍‌ସନ୍‌ ଆଇନ ଲାଗୁ କରାଯାଉ। ଆଜି ବିଧାନସଭାରେ ଏପରି ଦାବି କରି ଦ ଓଡ଼ିଶା ହ୍ବିସିଲ୍‌ ବ୍ଲୋୟର୍ସ ପ୍ରୋଟେକ୍‌ସନ୍‌ ବିଲ-୨୦୨୦ ନାମକ ଏକ ବେସରକାରୀ ବିଲ୍‌ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଆଗତ କରିଛନ୍ତି।

ବିଲ୍‌ର ଉଦ୍ଦେଶ୍ୟ ସମ୍ପର୍କରେ ଗୃହରେ ସୂଚନା ଦେଇ ଶ୍ରୀ ମାଝୀ କହିଥିଲେ, ସରକାରୀ ଦୁର୍ନୀତି, ପିସି କାରବାର, ଅପରାଧିକ କାର୍ଯ୍ୟକଳାପ ଓ କ୍ଷମତାର ଦୁରୁପଯୋଗ ବ୍ୟାପକ ଭାବେ କାୟା ବିସ୍ତାର କଲାଣି। ଏହାଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ସରକାରୀ ତଦନ୍ତ ସଂସ୍ଥା ଉପରୁ ଆସ୍ଥା, ବିଶ୍ବାସ ଧୀରେ ଧୀରେ କମିବାରେ ଲାଗିଛି। ଦୁର୍ନୀତି ନିବାରଣ ବିଭାଗ ଅନେକ କ୍ଷେତ୍ରରେ ତଦନ୍ତ କରୁନାହାନ୍ତି କି ତଦନ୍ତ କଲେ ସେଥିରେ ପକ୍ଷପାତିତା ହେଉଛି। ଅପରାଧ ଘଟିଲେ ସରକାରୀ କଳ ଇଶାରାରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରୁଥିବା ନେଇ ଶ୍ରୀ ମାଝୀ ଅଭିଯୋଗ ଆଣିଥିଲେ। ଓଡ଼ିଶା ହ୍ବିସିଲ୍‌ ବ୍ଲୋୟର୍ସ ବିଲ୍‌ର ବ୍ୟବସ୍ଥା ସମ୍ପର୍କରେ ଗୃହକୁ ଅବଗତ କରାଇ ଶ୍ରୀ ମାଝୀ ଦର୍ଶାଇଥିଲେ, ଏହି ବିଲ୍‌ ଆଇନରେ ପରିଣତ ହେଲେ ସରକାରୀ କର୍ମଚାରୀ ହୁଅନ୍ତୁ କି ସାଧାରଣ ବ୍ୟକ୍ତି ଦୁର୍ନୀତି ବିରୋଧରେ ତଥ୍ୟ ପ୍ରମାଣ ସହ ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କ ଆଗରେ ଲିଖିତ କିମ୍ବା ଇ-ମେଲ୍‌ ଜରିଆରେ ଅଭିଯୋଗ କରିପାରିବେ। ସେହି ଅଭିଯୋଗ ରାଜ୍ୟ ଲୋକାୟୁକ୍ତ ସମେତ ଓଡ଼ିଶା ସରକାରଙ୍କ ପରିସର ମଧ୍ୟରେ ହୋଇଥିବା ଉଚିତ୍‌। ପ୍ରସ୍ତାବିତ ବିଲ୍‌ଟି ରାଜ୍ୟପାଳ, ନ୍ୟାୟିକ ପଦାଧିକାରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ଆବଶ୍ୟକସ୍ଥଳେ ସରକାରଙ୍କ ଦ୍ବାରା ନିଯୁକ୍ତ କମିସନ୍‌, ରାଜ୍ୟ ଭିଜିଲାନ୍ସ ଓ ପୁଲିସ କର୍ତ୍ତୃପକ୍ଷଙ୍କ ସହାୟତା ନେଇପାରିବେ। ତେବେ ଏହି ଅଭିଯୋଗ କୌଣସି ଅଦାଲତରେ ଯଦି ବିଚାରାଧୀନ ଥିବ କିମ୍ବା ଘଟଣା ଘଟିବାର ୫ ବର୍ଷ ପରେ ଅଭିଯୋଗ ଦାଖଲ କରାଯାଇଛି, ସେ କ୍ଷେତ୍ରରେ ତଦନ୍ତ ହେବ ନାହିଁ ବୋଲି ବିଲ୍‌ରେ ବ୍ୟବସ୍ଥା ରହିଛି। ଏଥିପାଇଁ ଅଭିଯୋଗକାରୀଙ୍କ ନାମ, ପରିଚୟ ଗୋପନ ରଖାଯିବ। ଅଭିଯୋଗ ପ୍ରମାଣିତ ହେବା ପରେ ସମ୍ପୃକ୍ତ ଦୋଷୀ ପଦାଧିକାରୀଙ୍କୁ ୫୦୦ ଟଙ୍କାରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ବ୍ୟବସ୍ଥା କରାଯାଇଛି। ଏହାସହିତ ୫ ବର୍ଷ ଜେଲ ଦଣ୍ତର ମଧ୍ୟ ବ୍ୟବସ୍ଥା ରହିଥିବା ଶ୍ରୀ ମାଝୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe