ପ୍ରଥମେ ସାହିବାସୀଙ୍କୁ ପାଣିଦିଅ, ଉପରପଡ଼ାରେ ସ୍କୁଲ ପାଇଁ ଜଳଯୋଗାଣ ପ୍ରକଳ୍ପ ନିର୍ମାଣକୁ ବିରୋଧ

ପ୍ରଥମେ ସାହିବାସୀଙ୍କୁ ପାଣିଦିଅ, ଉପରପଡ଼ାରେ ସ୍କୁଲ ପାଇଁ ଜଳଯୋଗାଣ ପ୍ରକଳ୍ପ ନିର୍ମାଣକୁ ବିରୋଧ

ଫୁଲବାଣୀ : ଫିରିଙ୍ଗିଆ ବ୍ଲକ୍‌ ସଦର ମହକୁମା ନିକଟସ୍ଥ ଉପରପଡ଼ା କ୍ଷୁଦ୍ର ଜଳସେଚନ ବିଭାଗ ପୋଖରୀ ମଧ୍ୟରେ ଚାଲିଥିବା ଜଳଯୋଗାଣ ପ୍ରକଳ୍ପକୁ ଉପରପଡ଼ା ବାସିନ୍ଦା ବିରୋଧ କରିଛନ୍ତି। ଫିରିଙ୍ଗିଆଠାରେ ନୂତନ ଭାବେ କାର୍ଯ୍ୟକ୍ଷମ ଆଦିବାସୀ ଉନ୍ନୟନ ବିଭାଗ ଅଧୀନରେ ପରିଚାଳିତ ଏକଲବ୍ୟ ଆବାସିକ ବିଦ୍ୟାଳୟ ପାଇଁ ଏହି ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହେଉଥିବାରୁ ଏହାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଗାଁ ପୋଖରୀର ପାଣି ଏକଲବ୍ୟ ସ୍କୁଲକୁ ପାଣି ଦିଆଯିବ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ସୂଚନାଯୋଗ୍ୟ, ଉପରପଡ଼ାସାହିରେ ଦୀର୍ଘଦିନ ଧରି ପାନୀୟ ଜଳ ସଂକଟ ଲାଗି ରହିଛି। ଅଭିଯୋଗ ପରେ ମଧ୍ୟ ଏହାର ସମାଧାନ ହୋଇ ପାରୁ ନଥିବାବେଳେ ସାହିବାସିନ୍ଦାଙ୍କ ଜୀବନରେଖା ସାଜିଥିବା ପୋଖରୀରୁ ସ୍କୁଲକୁ ପାଣି ଯୋଗାଇବା ଘଟଣାକୁ ସାହିବାସିନ୍ଦା ବିରୋଧ କରୁଛନ୍ତି। ଏଣୁ ସାହିକୁ ଲାଗି ରହିଥିବା ପୋଖରୀରୁ ପ୍ରଥମ ସାହିକୁ ପାଣି ଯୋଗାଇଦେବା ପରେ ସ୍କୁଲକୁ ପାଣି ଯୋଗାଇବାକୁ ଗ୍ରାମବାସୀ ଦାବି କରିଛନ୍ତି। କାମ ଆରମ୍ଭରୁ ସାହିବାସିନ୍ଦା ଉକ୍ତ ପ୍ରକଳ୍ପକୁ ବିରୋଧ କରି ବନ୍ଧ ମଝିରେ ଖୋଳାଯାଇଥିବା କୂଅ କାମକୁ ବନ୍ଦ କରିବା ସହ ଆନ୍ଦୋଳନ କରିଥିଲେ।

ଏହି ଘଟଣା ପରେ ଫିରିଙ୍ଗିଆ ବିଡିଓ ରଶ୍ମୀରଂଜନ ମହାନ୍ତ, ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, ଆଦିବାସୀ ଉନ୍ନୟନ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ସାହିକୁ ଯାଇ ସାହିବାସିନ୍ଦାଙ୍କୁ ବୁଝାସୁଝା କରିବା ସହ ଅନ୍ୟ ଏକ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇ ପ୍ରଥମେ ସାହିକୁ ପାଣି ଯୋଗାଇ ଦିଆଯିବା ପରେ ସ୍କୁଲକୁ ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଘଟଣାର ପ୍ରାୟ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ସମାଧାନ ହୋଇପାରିନାହିଁ। ଏଣୁ ଚାଲୁ ରହିଥିବା ପାଇପ ଲାଇନ କାମକୁ ସାହି ବାସିନ୍ଦା ପୁଣି ଥରେ ବନ୍ଦ କରିଦେଇଛନ୍ତି। ଶୀଘ୍ର ପାଣି ସମସ୍ୟାର ସମାଧାନ ନ ହେଲେ ପ୍ରକଳ୍ପ କାମକୁ ବିରୋଧ କରାଯିବ ବୋଲି ସାହିବାସିନ୍ଦା ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଫିରିଙ୍ଗିଆ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ତୁରନ୍ତ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇ ପ୍ରଥମେ ସାହିବାସିନ୍ଦାଙ୍କୁ ପାଣି ଦିଆଯିବ ଓ ପରେ ସ୍କୁଲକୁ ପାଣି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe