ବିରୋଧୀ ମିଛ କହିବା ଆରମ୍ଭ କରିଛନ୍ତି: ପାଣ୍ଡିଆନ

ବାଲିଗୁଡ଼ା, ଘୁ.ଉଦୟଗିରି ଓ ଦଶପଲ୍ଲାରେ ଜୋର୍‌ଦାର ପ୍ରଚାର

ବିରୋଧୀ ମିଛ କହିବା ଆରମ୍ଭ କରିଛନ୍ତି: ପାଣ୍ଡିଆନ

ବାଲିଗୁଡ଼ା/ଘୁ.ଉଦୟଗିରି/ଦଶପଲ୍ଲା: ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ବାଲିଗୁଡ଼ା ବିଧାନସଭା ପ୍ରାର୍ଥୀ ଚକ୍ରମଣି କହଁରଙ୍କ ପାଇଁ ପ୍ରଚାର କରିଛନ୍ତି। ସେହିପରି ଘୁ.ଉଦୟଗିରି ଓ ଦଶପଲ୍ଲାରେ ମଧ୍ୟ ପାଣ୍ଡିଆନ ସାଂସଦ ପ୍ରାର୍ଥୀ ଶ୍ରୀ ସାମନ୍ତଙ୍କ ସହ ବିଧାନସଭା ପ୍ରାର୍ଥୀ ସାଲୁଗା ପ୍ରଧାନ ଓରମେଶ ବେହେରାଙ୍କ ନିମନ୍ତେ ପ୍ରଚାର କରିଥିଲେ। ବାଲିଗୁଡ଼ା ସଭାରେ ବିରୋଧୀ ଦଳଙ୍କୁ ସିଧାସଳଖ ଆକ୍ରମଣ କରି କହିଥିଲେ, ଏଭଳି ଜନସମାବେଶ ଦେଖି ବିରୋଧୀ ଦଳ ଆତ୍ମବିଶ୍ବାସ ହରାଉଛନ୍ତି। ବର୍ଷକ ତଳେ ପଞ୍ଚାୟତ ନିର୍ବାଚନରେ ସବୁ ଜିଲ୍ଲାରେ ହାରିଥିଲେ, ତେଣୁ ତାଙ୍କ ମନୋବଳ ପୂରା ଭାଙ୍ଗି ଯାଇଛି। ତାଙ୍କ ପାଖରେ କହିବାକୁ କିଛି ନାହିଁ, ତେଣୁ ମିଛ କହିବା ଆରମ୍ଭ କରିଛନ୍ତି। ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ଅପପ୍ରଚାର କରୁଛନ୍ତି।

ଶ୍ରୀ ପାଣ୍ଡିଆନ୍ କହିଲେ, ବିରୋଧୀ କହୁଛନ୍ତି ବିଧାନସଭାରେ ୧୨୦ ଓ ଲୋକସଭାରେ ୧୬ ଆସନରେ ଜିତିବେ। କିନ୍ତୁ ଦେଖିଲା ବେଳକୁ ପ୍ରାର୍ଥୀ ଦେବାପାଇଁ ବିଜେପି ପାଖରେ ଲୋକ ନାହାନ୍ତି। ବିଜେଡି ତାଲିକାକୁ ଚାହିଁ ବସିଛନ୍ତି। ବିଜେଡି ତାଲିକା ପ୍ରକାଶ ପରେ ନିଜର ତାଲିକା ବାହାର କରୁଛନ୍ତି। ଓଡିଶାରେ ଡବଲ ଇଞ୍ଜିନ୍‌, ସିଙ୍ଗଲ୍‌ ଇଞ୍ଜିନ୍‌ର କିଛି ମୂଲ୍ୟ ନାହିଁ। ଓଡ଼ିଶାରେ ଗୋଟିଏ ଇଞ୍ଜିନ୍‌, ସେ ହେଉଛି ନବୀନ ଇଞ୍ଜିନ୍‌। ନବୀନ ଇଞ୍ଜିନ୍‌ର ଶକ୍ତି ବହୁତ ଅଧିକ। କେବେ ବି ଖରାପ ହେବ ନାହିଁ। ସେମାନେ ବର୍ଷକୁ ୨ କୋଟି ଚାକିରି ଦେବେ ବୋଲି କହିଥିଲେ, କୁଆଡ଼େ ଗଲା ଚାକିରି ପ୍ରତିଶ୍ରୁତି? ପେଟ୍ରୋଲ, ଡିଜେଲ, ଗ୍ୟାସ୍‌ ଦର କମାଇବେ ବୋଲି କହିଥିଲେ। ହିସାବ ଦେବାକୁ ସେମାନଙ୍କ ଦମ୍‌ ନାହିଁ। ଆମର ଦମ୍‌ ଅଛି ଲୋକଙ୍କୁ ଆମେ ସବୁବେଳେ ହିସାବ ଦେଇ ଚାଲିଛୁ। ଆପଣମାନେ ତାଙ୍କୁ ପଚାରନ୍ତୁ, ହିସାବ ମାଗନ୍ତୁ। ହିସାବ ମାଗିଲେ ଲୁଚିକି ପଳେଇବେ, ଆଉ ଦେଖା ଦେବେନି। ନବୀନ ଗ୍ୟାରେଣ୍ଟି ହେଉଛି ଆମେ ପୁଣି ଆସିବୁ, ଆପଣମାନଙ୍କୁ ହିସାବ ଦେବୁ। ମୁଖ୍ୟମନ୍ତ୍ରୀ ସବୁ ଧର୍ମ, ସବୁ ଧର୍ମାବଲମ୍ବୀଙ୍କୁ ସମ୍ମାନ କରନ୍ତି, ସେଥିପାଇଁ ଓଡ଼ିଶାରେ ଶାନ୍ତି ଅଛି। ଛତିଶଗଡ଼, ଝାଡ଼ଖଣ୍ଡରେ ଡବଲ୍‌ ଇଞ୍ଜିନ୍‌ ଚାଲିଥିଲା, କିନ୍ତୁ ସେମାନେ ଆଦିବାସୀଙ୍କ ପାଇଁ କ’ଣ କରିଛନ୍ତି? କିଛି କରି ନାହାନ୍ତି। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ କରିଛନ୍ତି। ଭାଷା, ସାହିତ୍ୟ, ସଂସ୍କୃତି, ପୂଜାସ୍ଥଳୀ, ଜାହିରା ଆଦିର ସଂରକ୍ଷଣ କରୁଛନ୍ତି। କନ୍ଧମାଳ ଏସ୍‌ଡିସିରେ ଗତ ଏକ ବର୍ଷ ମଧ୍ୟରେ ୧୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ଜନଜାତିଙ୍କ ସଂଗୃହୀତ ଜଙ୍ଗଲଜାତ ଦ୍ରବ୍ୟ ସରକାର କିଣିବା ପାଇଁ ‘ଲାଭ’ ଯୋଜନା କରିଛନ୍ତି। ଆପଣମାନେ ସମସ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବେ। କେହି ଆପଣଙ୍କୁ ଠକି ପାରିବେ ନାହିଁ। ବାଲିଗୁଡାରେ ୩୩୫ କୋଟି ଟଙ୍କାର କାମ ଚାଲିଛି। ଜଗନ୍ନାଥ ମନ୍ଦିର, ପାଟଖଣ୍ଡା ମନ୍ଦିର ଓ ଧବଳେଶ୍ବର ଶିବ ମନ୍ଦିର ପାଇଁ ୨ କୋଟି ୫୦ ଲକ୍ଷ ଟଙ୍କା, ବସ୍ତିଙ୍ଗିଆ ଚର୍ଚ୍ଚ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଏବଂ ବାରଖମା, କଞ୍ଜାମେଣ୍ଡିରେ ଖ୍ରୀଷ୍ଟିଆନ ମାଇନରିଟି ସେଣ୍ଟର ପାଇଁ ସହାୟତା ଦିଆଯାଇଛି। ବାଲିଗୁଡ଼ା-ମାଡ଼ିନତା ସ୍ଥାନୀୟ ନାଳ ଉପରେ ହାଇଲେବୁଲ ସେତୁ ପାଇଁ ୬ କୋଟି ଟଙ୍କା, ବାଲିଗୁଡା-ବାରଖମା-ଖମଣଖୋଳ-ସିନ୍ଧିଗୁଡା ରାସ୍ତାରେ ହାଇଲେବୁଲ ସେତୁ ପାଇଁ ୫.୭୦ କୋଟି ଟଙ୍କା, ବାଲୁଗୁଡା-ବୁଦାଗୁଡା ରାସ୍ତାର ଉନ୍ନତି ପାଇଁ ୪୫ କୋଟି ଟଙ୍କା, ପିଡାମାହା-ଡୁଡୁମିଲା ରାସ୍ତାର ଉନ୍ନତୀକରଣ ଓ ସେତୁ ନିର୍ମାଣ ପାଇଁ ୧୯.୫୦ କୋଟି ଟଙ୍କାର କାମ ଚାଲିଥିବା ଶ୍ରୀ ପାଣ୍ଡିଆନ କହିଥିଲେ।

ଘୁ.ଉଦୟଗିରି ନିର୍ବାଚନୀ ସଭାରେ ପହଞ୍ଚି ଶ୍ରୀ ପାଣ୍ଡିଆନ ସିଧାସଳଖ ଲୋକଙ୍କ ଭିଡ଼ ଭିତରକୁ ଯାଇ ଲୋକଙ୍କ ସହ ହାତ ମିଶାଇ ସେଲ୍‌ଫି ନେଇ ଭୋଟ ଭିକ୍ଷା କରିଥିଲେ। ଦୀର୍ଘ ସମୟ ଲୋକଙ୍କ ଗହଣରେ କଟାଇବା ପରେ ମଞ୍ଚକୁ ଚଢ଼ିଥିଲେ। କୁଇ ଭାଷାରେ ଆବା, ଆଜା, ଗୁଲେ ଲୋକରି ଜେଡା ଜୁହାରି କହି ସମ୍ବୋଧନ କରି ନିଜ ଅଭିଭାଷଣ ଆରମ୍ଭ କରି କହିଲେ, ମୁଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଗତ କିଛି ମାସ ତଳେ ଆପଣମାନଙ୍କ ସମସ୍ୟା ବୁଝିବାକୁ ଆସିଥିଲି। ଆପଣ ମାନେ ସେତେବେଳେ ମୋତେ ନିଜ ନିଜ ସମସ୍ୟା ବିଷୟରେ ଲିଖିତ ଭାବେ ଜଣାଇଥିଲେ। ମୁଁ ବର୍ତ୍ତମାନ ଆସିଛି ତାର ହିସାବ ଦେବାକୁ। ଘୁ.ଉଦୟଗିରିରେ ୯୭ କୋଟି ଟଙ୍କାର କାମ ଚାଲିଛି କହି ତାହାର ହିସାବ ସେ ଦେଇଥିଲେ। ଦଶପଲ୍ଲାରେ ୧୭୦୦ କୋଟି ଟଙ୍କାର କାମ ଚାଲିଛି ବୋଲି ଶ୍ରୀ ପାଣ୍ଡିଆନ୍ କହିଥିଷଲ। ଏହା ସହିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ୧୬୬୦ କୋଟି ଓ ଡିମିରିଆ-ରାଉତପଡ଼ା ନଦୀଗର୍ଭ ଜଳାଶୟ ପାଇଁ ୧୫୦୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଦଶପଲ୍ଲାର ୫୫,୩୦୦ ହିତାଧିକାରୀ ବିଏସ୍‌କେୱାଇରେ ସାମିଲ ହୋଇଛନ୍ତି ବୋଲି ସେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe