ବିରୋଧୀ ଓଡ଼ିଶାବାସୀଙ୍କୁ ଅପମାନିତ କରୁଛନ୍ତି: ମୁଖ୍ୟମନ୍ତ୍ରୀ

Advertisment
ଆଜି ବ୍ରହ୍ମପୁର, ଆସ୍କା ଓ ଭୁବନେଶ୍ୱରକୁ ନେଇ ସମୀକ୍ଷା କରିବେ ସୁପ୍ରିମୋ

ଭୁବନେଶ୍ବର, ୨୧/୩ (ଇମିସ): ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦୟନୀୟ ହୋଇପଡ଼ିଛି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି। ସେମାନେ କହୁଛନ୍ତି ‌ଓଡ଼ିଶାରେ ଆଇନ ନାହିଁ। କିନ୍ତୁ ମୁଁ କହିବାକୁ ଚାହୁଁଛି ଯେ ଗୋଟିଏ ରାଜ୍ୟରେ ପୁଞ୍ଜିନିବେଶ ସେହି ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିର ପ୍ରତିଫଳନ କରିଥାଏ। ଯେଉଁ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଦୁର୍ବଳ ଥାଏ ସେଠାକୁ କିଛି ପୁଞ୍ଜିନିବେଶ ଆସେନି। ଦେଶର ସର୍ବାଧିକ ପୁଞ୍ଜିନିବେଶ ରାଜ୍ୟ ମଧ୍ୟରେ ଓଡ଼ିଶା ଅଛି। ଯଦି ଆମର ଆଇନଶୃଙ୍ଖଳା ପରିସ୍ଥିତି ଅନୁକୂଳ ନଥା’ନ୍ତା ତେବେ ଆମ ରାଜ୍ୟରେ ପ୍ରତିବର୍ଷ ରେକର୍ଡ ଶିଳ୍ପ ଉତ୍ପାଦନ ଏବଂ କୃଷି ଉତ୍ପାଦନ ହୋଇନଥା’ନ୍ତା। ଓଡ଼ିଶା ଆଜି ବିକାଶ କରୁଛି କାରଣ ଏହା ଏକ ଶାନ୍ତିପ୍ରିୟ ରାଜ୍ୟ। ଲୋକ‌ମାନେ ଶାନ୍ତିକୁ ଭଲ ପାଆନ୍ତି। ମୁଁ ଓଡ଼ିଶାବାସୀଙ୍କ ପାଇଁ ଗର୍ବିତ। ଓଡ଼ିଶାରେ ଆଇନଶୃଙ୍ଖଳା ନାହିଁ କହି ଆପଣମାନେ ଓଡ଼ିଶାବାସୀଙ୍କୁ ଅପମାନିତ କରୁଛନ୍ତି। ଶାନ୍ତିପ୍ରିୟ ଓଡ଼ିଶାବାସୀଙ୍କ ପ୍ରତି ଅନ୍ୟାୟ କରୁଛନ୍ତି। ଆଜି ଏହିଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ କଡ଼ା ଜବାବ୍ ଦେଇଛନ୍ତି।

ଆଜି ଗୃହ ବିଭାଗ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବା ନେଇ ଅଭିଯୋଗ କରିଥିଲେ। ଏହାର ଜବାବ୍ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ବିନା ପ୍ରତିବନ୍ଧକରେ ବହୁତ ବଡ଼ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରୁଛୁ। ହକି ବିଶ୍ବକପ୍ ହେଉ କି ରଥଯାତ୍ରା, ନିର୍ବାଚନ, ପରୀକ୍ଷା କୌଣସିଟି ବି ଆମେ ଆଇନଶୃଙ୍ଖଳା ପାଇଁ ସ୍ଥାନାନ୍ତର କରିନୁ। ସାମ୍ପ୍ରଦାୟିକ ସଦ୍‌ଭାବନା, ନକ୍ସଲ, ଉଗ୍ରବାଦୀ କିମ୍ବା ଶ୍ରମିକଜନିତ ସମସ୍ୟାକୁ ସୂଚାରୁ ରୂପେ ସମାଧାନ କରିବାରେ ଓଡ଼ିଶା ଶ୍ରେଷ୍ଠତା ଦେଖାଇଛି। ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଭଲ ଅଛି ବୋଲି ଦର୍ଶାଇବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ଅନେକ ମେକ୍‌ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗଦେଇଛି। ଯେତେବେଳେ ମୋତେ କେହି ପୁଞ୍ଜିପତି ଭେଟନ୍ତି ସେମାନଙ୍କ ମନ୍ତବ୍ୟ ଥାଏ, ଓଡ଼ିଶା କେତେ ସୁନ୍ଦର ଏବଂ ଶାନ୍ତିପ୍ରିୟ ରାଜ୍ୟ। ଆମେ ଏଠାକୁ ଆସିବାକୁ ଓ ପୁଞ୍ଜିନିବେଶ କରିବାକୁ ଚାହୁଁଛୁ। ଯଦି ଆଇନଶୃଙ୍ଖଳା ପରିସ୍ଥିତି ଠିକ୍ ନଥିବ ତେବେ କୌଣସି ପୁଞ୍ଜିପତି ତାଙ୍କର କଷ୍ଟ ଉପାର୍ଜିତ ଅର୍ଥ ନିବେଶ କରିବାକୁ ଆସିବନି। ଓଡ଼ିଶା ଶାନ୍ତିପୂର୍ଣ୍ଣ ରାଜ୍ୟ ହୋଇଥିବାରୁ ଏଠାରେ ଅଧିକ ପୁଞ୍ଜିନିବେଶ ହେଉଛି। ଏଇଥିପାଇଁ ହିଁ ଆମକୁ ହକି ବିଶ୍ବକପ୍‌ ଆୟୋଜନବେଳେ ଅଧିକ ପ୍ରଶଂସା ମିଳେ।

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ, ସ୍ବର୍ଗତଃ ଦାସଙ୍କ ଦୁଃଖଦ ହତ୍ୟା ଘଟଣାରେ, ଏହି ଗୃହରେ ମୁଁ କେବଳ ବିବୃତି ଦେଇଛି। ଏହି ସମ୍ବେଦନଶୀଳ ଘଟଣାରେ କୌଣସି ପୁଲିସ ଅଧିକାରୀ କି କର୍ତ୍ତୃପକ୍ଷ କାହା ଆଗରେ କି ଗଣମାଧ୍ୟମରେ କିଛି ବିବୃତି ରଖିନାହାନ୍ତି। ଏବେବି ତଦନ୍ତ ଚାଲିଛି, ନିୟମ ଅନୁଯାୟୀ ଧାର୍ଯ୍ୟ ସମୟରେ ଚାର୍ଜସିଟ୍ ଦାଖଲ ହେବ। ହେଲେ ବିରୋଧୀ କେଉଁଠୁ ଜାଣିବାକୁ ପାଇଲେ ଯେ ଅଭିଯୁକ୍ତ ପାଗଳ କିମ୍ବା ସରକାର ଅଭିଯୁକ୍ତକୁ ପାଗଳ ଦର୍ଶାଇବାକୁ ଚାହୁଁଛି? ଶସ୍ତା ରାଜନୀତି ପାଇଁ ବିରୋଧୀ ମିଛ କହୁଛନ୍ତି। ମୋ ସରକାର ସର୍ବଦା ନ୍ୟାୟ ପକ୍ଷରେ ଛିଡ଼ା ହୋଇଥାଏ। ଏହି ନିର୍ଦ୍ଦିଷ୍ଟ ଘଟଣାରେ ଆମର ଦୁଇଟି ଉଦ୍ଦେଶ୍ୟ ଅଛି। ପ୍ରଥମଟି : ହତ୍ୟାକାଣ୍ଡ ପଛର ସତ୍ୟତାକୁ ଉନ୍ମୋଚନ କରିବା, ଦ୍ବିତୀୟତଃ: ଏଥିରେ ଯେଉଁମାନେ ସଂପୃକ୍ତ ଥିବେ ସେମାନଙ୍କୁ ନିଶ୍ଚିତ ଦଣ୍ଡ ଦେବା। ଏଥିପାଇଁ ଆମେ ସମସ୍ତ ବୈଜ୍ଞାନିକ ପଦ୍ଧତି ଅନୁସରଣ କରିବା ସହ ଅନ୍ୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବୃତ୍ତିଗତ ସଂସ୍ଥାକୁ ସଂପୃକ୍ତ କରୁଛୁ। ପୂରା ତଦନ୍ତ ପ୍ରକ୍ରିୟା ହାଇକୋର୍ଟଙ୍କ ଦ୍ବାରା ନିଯୁକ୍ତ ଜଣେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତିଙ୍କ ଦ୍ବାରା ପରିଚାଳିତ ହେଉଛି। ଏହାସତ୍ତ୍ବେ ବିରୋଧୀ ଅଭିଯୋଗ ଆଣୁଛନ୍ତି ଯେ ସରକାର ତଦନ୍ତରେ କିଛି ଲୁଚାଉଛନ୍ତି। ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ ରାଜନୈତିକ ସୁବିଧାବାଦ। ମୁଁ ରାଜ୍ୟବାସୀଙ୍କୁ ଆଶ୍ବାସନା ଦେଉଛି ଯେ ବିରୋଧୀ ଯେଉଁ ସବୁ ସମ୍ବେଦନଶୀଳ ମାମଲା ଉଠାଇଛନ୍ତି ସେଥିରେ ନ୍ୟାୟ ମିଳିବ ଏବଂ ଅପରାଧୀମାନେ ଦୋଷୀ ସାବ୍ୟସ୍ତ ହେବେ। ଯେତେବେଳେ ଏହା ହେବ ସେତେବେଳେ ରାଜ୍ୟବାସୀ ବିରୋଧୀଙ୍କ ସଂକୀର୍ଣ୍ଣ ରାଜନୈତିକ ମାନସିକତାର ବିଚାର କରିବେ।
ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଯେ ରାଜ୍ୟ ପୁଲିସକୁ ସୁଦୃଢ଼ କରିବାକୁ ୩୬ଟି ଥାନା ସୃଷ୍ଟି/ଉନ୍ନତୀକରଣ କରାଯାଇଛି। ବିଭିନ୍ନ ରୢାଙ୍କର ୨୨୦୦ ପଦବି ସୃଷ୍ଟି କରାଯାଇଛି। ଏବେ ପୁଲିସ, ଜେଲ୍, ଅଗ୍ନିଶମ ବିଭାଗରେ ୬୫୦୦ରୁ ଅଧିକ ପଦବି ପୂରଣ ପାଇଁ ପ୍ରକ୍ରିୟା ଚାଲିଛି। ମୋ ସରକାର କାର୍ଯ୍ୟକ୍ରମରେ ପୁଲିସ ବ୍ୟବସ୍ଥାରେ ସ୍ବଚ୍ଛତା ଏବଂ ଗୁଣାତ୍ମକ ସେବା ଆଣିବା ପାଇଁ ଲୋକଙ୍କ ମତାମତ ନିଆଯାଉଛି। ବହୁତ ଲୋକ ଭଲ କହୁଛନ୍ତି।

ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଉପରେ ଆଲୋଚନାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଲେ, ୫-ଟି ଓ ‘ମୋ ସରକାର ’ ପଦକ୍ଷେପ ଦ୍ବାରା ଲୋକଙ୍କୁ ସେବା ଯୋଗାଣ ଏବଂ ଲୋକଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ। ଏହାଦ୍ବାରା ଲୋକଙ୍କୁ ଗୁଣାତ୍ମକ ସେବା ପ୍ରଦାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧କୋଟି ଲୋକଙ୍କୁ ଫୋନ୍ କରି ମତାମତ ଗ୍ରହଣ କରାଯାଇଥିବା ବେଳେ ସେମାନଙ୍କ ଅଭିଯୋଗ ଓ ମତାମତ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆମେ ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ନିଯୁକ୍ତି ଦେଉଛୁ। ୨୦୨୨-୨୩ରେ ୮୦୦୦ ପ୍ରାର୍ଥୀଙ୍କୁ ଓପିଏସ୍‌ସି, ଓଏସ୍‌ଏସ୍‌ସି ଏବଂ ଓଏସ୍‌ଏସ୍‌ଏସ୍‌ସି ମାଧ୍ୟମରେ ନିଯୁକ୍ତି ମିଳିଛି। ମୋ ସରକାର ଓଡ଼ିଆ ମାଧ୍ୟମିକ ଶିକ୍ଷାକୁ ଗୁରୁତ୍ବ ଦେବା ସହ ଓଡ଼ିଆ ପଢ଼ିବାକୁ ଉତ୍ସାହିତ କରୁଛି। ଦୁର୍ନୀତି ରୋକିବାକୁ ଲୋକାୟୁକ୍ତ ଓ ଭିଜିଲାନ୍ସ ପକ୍ଷରୁ କଠୋର ପଦକ୍ଷେପ ନିଆଯାଉଛି। ୫୫୭ଟି ମାମଲା ରୁଜୁ ହୋଇଥିବାବେଳେ ଏଥିରୁ ୨୮୭ଟିରେ ଅପରାଧିକ ମାମଲା ଏବଂ ୬୦ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗଣତନ୍ତ୍ରରେ ଲୋକମାନେ ସର୍ବୋଚ୍ଚ ଏବଂ ଆମେ ସେମାନଙ୍କର ସେବା କରିବାକୁ ଏଠାରେ ଅଛୁ।

ଅପରପକ୍ଷେ ଆଜି ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖିବା କ୍ଷଣି ବିଜେପି ବିଧାୟକମାନେ ବିରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ କାହିଁକି ଲେଖା ଦେଖିକି ପଢ଼ୁଛନ୍ତି ବୋଲି ପଚାରିଥିଲେ। ଶାସକ ଦଳ ବି ବିରୋଧୀଙ୍କୁ ବିରୋଧ କରି ନାରାବାଜି ଦେଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ ମୁଖ୍ୟମନ୍ତ୍ରୀ ବିବୃତି ରଖିପାରିନଥିଲେ। ବାଚସ୍ପତି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଲେଖା ଦେଖି ପଢ଼ୁନାହାନ୍ତି, ରେଫର୍ କରୁଛନ୍ତି। ମୁଁ ରେଫର୍‌ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁମତି ଦେଉଛି। ତଥାପି ବିରୋଧୀଙ୍କ ହଟ୍ଟଗୋଳ କମି ନଥିଲା। ପ୍ରାୟ ୧୩ମିନିଟ ଧରି ହୋହଲ୍ଲା କରିବାରୁ ମୁଖ୍ୟମନ୍ତ୍ରୀ ବିବୃତି ରଖିପାରିନଥିଲେ। ଏହାମଧ୍ୟରେ କଂଗ୍ରେସ ବିଧାୟକମାନେ ଗୃହତ୍ୟାଗ କରିଥିଲେ। ୬ଟା ୫୫ରେ ବିଜେପି ବିଧାୟକମାନେ ଗୃହ ତ୍ୟାଗ କଲେ। ସଂଧ୍ୟା ୭ଟାରେ ବାଚସ୍ପତି ଗୃହର କାର୍ଯ୍ୟକାଳ ଅଧଘଣ୍ଟା ଯାଏ ବଢ଼ାଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତି ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe