କୋଭିଡ୍‌ ସେଣ୍ଟର ଅବ୍ୟବସ୍ଥା ନେଇ ବିରୋଧୀ ଦଳ ନେତାଙ୍କ ଅସନ୍ତୋଷ : ସ୍ବତନ୍ତ୍ର ସ୍କ୍ବାଡ୍‌ କରି ତଦାରଖ କରିବାକୁ ବାଚସ୍ପତିଙ୍କ ରୁଲିଂ

Advertisment
୭୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଲା; କାର୍ଯ୍ୟକ୍ଷମ ହେଉନି କୋଭିଡ଼୍‌ କେୟାର୍‌ ସେଣ୍ଟର

Sambad

ଭୁବନେଶ୍ୱର : କରୋନା ଆକ୍ରାନ୍ତଙ୍କୁ କୋଭିଡ୍‌ ସେଣ୍ଟରରେ ଠିକ୍‌ ରୂପେ ପରିମଳ ସୁବିଧା ମିଳୁନି। ପାଣି ମାଗିଲେ ଟ୍ୟାପ୍‌ରୁ ପାଣି ଆଣି ରୋଗୀଙ୍କୁ ଦିଆଯାଉଛି। ସେଣ୍ଟରରେ ଥିବା ପାଇଖାନା ସଫା ହେଉନାହିଁ। ଆଜି ସରକାରଙ୍କ କୋଭିଡ୍‌ ପରିଚାଳନା ବ୍ୟବସ୍ଥାକୁ ନେଇ ଗୃହରେ ଏପରି ଅସନ୍ତୋଷ ପ୍ରକାଶ କଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ। ଶ୍ରୀ ନାଏକଙ୍କୁ ସମର୍ଥନ କରି ଖୋଦ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଲୋକଙ୍କଠାରୁ ଏପରି ଅଭିଯୋଗ ମିଳୁଥିବା କଥା କହିଥିଲେ। ଏହାସହିତ ଗୃହରେ ଉପସ୍ଥିତ ଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ରୁଲିଂ ଦେଇ ଶ୍ରୀ ପାତ୍ର କହିଥିଲେ, କୋଭିଡ୍‌ ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟରଗୁଡ଼ିକରେ ରୋଗୀଙ୍କୁ କିପରି ସୁବିଧା ଯୋଗାଇ ଦିଆଯାଉଛି ସେ ନେଇ ସ୍ବତନ୍ତ୍ର ସ୍କ୍ବାଡ଼୍‌ କରି ତଦାରଖ କରାଯାଉ।

କଳାହାଣ୍ଡିର କେତେକ କରୋନା ରୋଗୀଙ୍କ ଉଦାହରଣ ଦେଇ ଶ୍ରୀ ନାଏକ ଅଭିଯୋଗ କରିଥିଲେ, ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଗଲେ ବି କିଛି କାର୍ଯ୍ୟାନୁଷ୍ଠାନ ବା ତତ୍ପରତା ପ୍ରକାଶ ପାଉନି। ରାଜ୍ୟର ଅଧିକାଂଶ କୋଭିଡ କେୟାର ସେଣ୍ଟର ଓ ହସ୍ପିଟାଲରେ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ମଧ୍ୟ ମିଳୁନାହିଁ। ଭାରତର ଅନ୍ୟ ରାଜ୍ୟମାନେ ନିଜସ୍ବ ସମ୍ବଳରେ କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରିଛନ୍ତି। କିନ୍ତୁ ଏଠି କେନ୍ଦ୍ର ଅର୍ଥ ଦେଉଛି ତାକୁ ବି ଠିକ୍‌ ଭାବେ ଓଡ଼ିଶା ସରକାର ଖର୍ଚ୍ଚ କରିପାରୁନାହାନ୍ତି। କରୋନା ରୋଗୀଙ୍କ ଚିକିତ୍ସା ପାଇଁ କେନ୍ଦ୍ର ପଠାଇଥିବା ଭେଣ୍ଟିଲେଟରକୁ କେତେକ ଘରୋଇ ହସ୍ପିଟାଲରେ ଲଗାଯାଇଛି। କୋଭିଡ୍‌ ପରିଚାଳନା ତ୍ରୁଟି ନେଇ ଯଦି କେହି ସ୍ବର ଉଠାଉଛି, ସେହି ସ୍ବରକୁ ଚାପିଦେବାକୁ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଓଟିଭି ଚାନେଲର ଖବରକୁ ନେଇ ଘଟିଥିବା ଘଟଣାର ଶ୍ରୀ ନାଏକ ଅବତାରଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe