ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା : ଦିନ ମଜୁରିଆ, କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ପ୍ୟାକେଜ୍ ଘୋଷଣା କର

Advertisment

୩୦ରେ ବିଧାନସଭାରେ କରୋନା ଆଲୋଚନା ପାଇଁ ପ୍ରସ୍ତାବ

୩୦ରେ ବିଧାନସଭାରେ କରୋନା ଆଲୋଚନା ପାଇଁ ପ୍ରସ୍ତାବ

୨୯ ଲକ୍ଷ ଶ୍ରମିକଙ୍କୁ ମିଳିବ ଆର୍ଥିକ ସହାୟତା

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ସାରା ଦେଶ ଲକ୍‌ଡାଉନ୍ ଥିଲା ବେଳେ ଦିନ ମଜୁରିଆ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଦୁଃଖ ସରକାର ବୁଝନ୍ତୁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ କହିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି। ଶ୍ରୀ ନାୟକ ଦର୍ଶାଇଛନ୍ତି, ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲକ୍ଷ ଲକ୍ଷ ଖଟିଖିଆ ଶ୍ରମିକ, ଦିନ ମଜୁରିଆ, ନିର୍ମାଣ ଶ୍ରମିକ, କେନ୍ଦୁପତ୍ର ତୋଳାଳୀ, ଖଣି ଖାଦାନରେ କାମ କରୁଥିବା ଶ୍ରମିକଙ୍କ ଅବସ୍ଥା‌ ଶୋଚନୀୟ ହୋଇପଡ଼ିଲାଣି। ସେମାନେ ଜୀବିକା ହରାଇ ବେରୋଜଗାର ହୋଇପଡ଼ିଛନ୍ତି। ଜଣେ ଖଟିଖିଆ ଦିନ ମଜୁରିଆ ମୂଲ ଲାଗିଲେ ତା’ର ସେହିଦିନ ଚୁଲି ଜଳେ। କିନ୍ତୁ ସାରା ଓଡ଼ିଶା ଏବେ ଲକ୍‌ଡାଉନ୍। କାମ ଓ ମଜୁରୀ ବିନା ସେମାନେ କିପରି ନି‌ଜ ପରିବାର ପ୍ରତିପୋଷଣ କରୁଥିବେ, ସେ କଥା ଚିନ୍ତା କରିବାର ଆବଶ୍ୟକତା ରହିଛି।

ଏହା ବାଦ୍ ରାଜ୍ୟରେ ପ୍ରାୟ ୩୦ ଲକ୍ଷ ଛୋଟ ବଡ଼ ଦୋକାନ ବଜାର, ରେସ୍ତୋରାଁ, ଶିଳ୍ପାନୁଷ୍ଠାନ, ବିଭିନ୍ନ ଡେଲିଭରି ସଂସ୍ଥା ବନ୍ଦ ହୋଇ ପଡ଼ିଛି। ଘରୋଇ ପରିବହନ ସଂସ୍ଥା, କାର୍‌, ଅଟୋରିକ୍ସା ଗଡ଼ୁ ନ ଥିବାରୁ ଲକ୍ଷ ଲକ୍ଷ ଲୋକ ବେକାର ହୋଇ ବସିଛନ୍ତି। ଅଧିକ ଦିନ ଘରେ ବସିଲେ ଖାଇବାକୁ ପାଇବା ମୁସ୍କିଲ୍‌ ହୋଇପଡ଼ିବ। ଏହା ବାଦ୍ ଲକ୍ଷ ଲକ୍ଷ ବେକାର ଯୁବକ, ଯୁବତୀଙ୍କ ଦୁଃଖ ବଢ଼ିଚାଲିଛି।

ରାଜ୍ୟ ସରକାର ତୁରନ୍ତ ଏହି ବର୍ଗର ଲୋକଙ୍କ ପାଇଁ ପ୍ୟା‌େକଜ୍‌ ଘୋଷଣା କରନ୍ତୁ। ସରକାର ଏବେ ପ୍ୟାକେଜ୍ ପ୍ରସ୍ତୁତ କରି ୨୦୨୦-୨୧ ବଜେଟ୍‌ରେ ଆବଶ୍ୟକୀୟ ବ୍ୟୟବରାଦ କରିପାରିବେ। କରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ‌ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ପରିବାର ପିଛା ମାସିକ ଅନ୍ୟୁନ ୮ ହଜାର ଟଙ୍କା ଓ ମୁଣ୍ଡପିଛା ମାସିକ ୨ ହଜାର ଟଙ୍କାର ଆର୍ଥିକ ସହାୟତା ସାମୟିକ ଭାବେ ପ୍ରଦାନ କରନ୍ତୁ। ନ ହେଲେ କରୋନା ପୀଡ଼ାକୁ ଅନାହାର, ଅର୍ଦ୍ଧାହାର ଜନିତ ଅପ୍ରୀତିକର ଘଟଣା ବଳିଯିବାର ଆଶଙ୍କାକୁ ଏଡ଼ାଇ ହେବ ନାହିଁ ବୋଲି ଶ୍ରୀ ନାୟକ ଚେତାଇ ଦେଇଛନ୍ତି।

ବିରୋଧୀ ଦଳ ନେତା ତାଙ୍କ ଚିଠିରେ ଆହୁରି ଦର୍ଶାଇଛନ୍ତି, ଆସନ୍ତା ୩୦ ତାରିଖରେ ବିଧାନସଭାର ବଜେଟ୍‌ ଅଧିବେଶନ ଅନୁଷ୍ଠିତ ହେବ। ବାଚନିକ ଭୋଟ୍‌ରେ ବ୍ୟୟମଞ୍ଜୁରୀ ବିଲ୍‌ ପାରିତ ହେବ। ତେବେ ସମଗ୍ର ରାଜ୍ୟରେ ଜନସାଧାରଣଙ୍କ ମନରେ କରୋନା ଭୂତାଣୁ ଯେଉଁ ଆତଙ୍କ ସୃଷ୍ଟି କରିଛି ସେ ନେଇ ଗୃହରେ ଠିକଣା ଭାବେ ଆଲୋଚନା ହେବାର ଆବଶ୍ୟକତା ରହିଛି। ବିରୋଧୀ ଦଳମାନଙ୍କ ସହ ପର୍ଯ୍ୟାପ୍ତ ଆଲୋଚନା ନ ହେଲେ ସରକାରଙ୍କ କାର୍ଯ୍ୟକ୍ରମ ଅସମ୍ପୂର୍ଣ୍ଣ ରହିଯିବ। କରୋନା ପରି ଘଡ଼ିସନ୍ଧି ମୂହୁର୍ତ୍ତରେ ବିରୋଧୀଙ୍କ ବିନା ସରକାର ଏପରି କଛି ପଦକ୍ଷେପ ନ ନିଅନ୍ତୁ, ଯାହା କି ଇତିହାସରେ ସରକାରଙ୍କ ଉପରେ ‘ଏକଛତ୍ରବାଦ’ର କଳଙ୍କିତ ମୋହର ଲଗାଇବ।

ଯଦି ଆବଶ୍ୟକ ପଡ଼େ କରୋନାର ମୁକାବିଲା ପାଇଁ ସରକାର ନେଉଥିବା ବିଭିନ୍ନ ପ‌ଦକ୍ଷେପକୁ କାର୍ଯ୍ୟକାରୀ କରିବା ଦିଗରେ ବିଜେପିର ଅନେକ ଉତ୍ସର୍ଗୀକୃତ କର୍ମୀ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କ ସହଯୋଗ ନେଇପାରିବେ ବୋଲି ଶ୍ରୀ ନାୟକ ପ୍ରସ୍ତାବ ‌େଦଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe