ବଳରାମ ଯୋଜନା ହେଉଛି ସରକାରଙ୍କ ପୁଣି ଏକ ନିର୍ବାଚନୀ ଧୂଆଁବାଣ: ବିରୋଧୀ

Advertisment
ବଳରାମ ଯୋଜନା ହେଉଛି ସରକାରଙ୍କ ପୁଣି ଏକ ନିର୍ବାଚନୀ ଧୂଆଁବାଣ: ବିରୋଧୀ

U.S. - The Wall Street Journal

ଭୁବନେଶ୍ବର : ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା ପରେ ‘ବଳରାମ’ ଯୋଜନାକୁ ନେଇ ବିରୋଧୀ ସରକାରଙ୍କୁ ସମାଲୋଚନା କରିଛନ୍ତି। କହିଛନ୍ତି, ଏହା ସରକାରଙ୍କ ପୁଣି ଗୋଟିଏ ନିର୍ବାଚନୀ ଧୂଆଁବାଣ। ଭୂମିହୀନ ଚାଷୀଙ୍କ ରେକର୍ଡ଼ ସରକାରଙ୍କ ପାଖରେ ନ ଥିବାବେଳେ ଏଭଳି ଯୋଜନା କରି ପୁଣି ଥରେ ନିଜ ଦଳୀୟ କର୍ମୀମାନଙ୍କ ମଧ୍ୟରେ ଅର୍ଥ ବାଣ୍ଟିବାକୁ ଯୋଜନା କରାଯାଇଥିବା ଅଭିଯୋଗ ହୋଇଛି। ତେବେ ବିରୋଧୀଙ୍କୁ ଜବାବ ଦେଇ ବିଜେଡି କହିଛି, କାଳିଆ ଭଳି ବଳରାମ ଯୋଜନାରେ ବି ଚାଷୀ ଉପକୃତ ହେବେ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍‌ ବିବୃତି ଜାରି କରି କହିଛନ୍ତି, ୨୦୧୯ ନିର୍ବାଚନ ପୂର୍ବରୁ ସରକାର କାଳିଆ ଯୋଜନା କରିଥିଲେ। ଏଥିରେ ୭୫ ଲକ୍ଷ ଚାଷୀ ପରିବାରଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ସାହାଯ୍ୟ ଦେବା ପାଇଁ ଘୋଷଣା କରିଥିଲେ। ଅଦ୍ୟାବଧି ସରକାର ଏହି ଯୋଜନାରେ ୪୨ ଲକ୍ଷ ଚାଷୀ ପରିବାରଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି। ଅନେକ ଅଯୋଗ୍ୟ ହିତାଧିକାରୀ ଏହି ତାଲିକାରେ ଥିବାର ପ୍ରମାଣ ମିଳିଛି। ସରକାରୀ କର୍ମଚାରୀ, ଆୟକର ଦେଉଥିବା ବ୍ୟକ୍ତି ବିଶେଷ ଓ ଗୋଟିଏ ପରିବାରରୁ ଏକାଧିକ ବ୍ୟକ୍ତି ମଧ୍ୟ ନାମ ରହିଥିବା ଜଣାପଡ଼ିଛି। ଏହାବ୍ୟତୀତ ଅନେକ ସ୍ଥାନରେ ନାବାଳକଙ୍କ ନାମ ମଧ୍ୟ ଏହି ଯୋଜନାର ହିତାଧିକାରୀ ତାଲିକାରେ ସାମିଲ କରାଯାଇଥିବା ପିସିସି ସଭାପତି ଅଭିଯୋଗ କରିଛନ୍ତି। କାଳିଆ ଯୋଜନାକୁ ତାଳ ଦେଇ କେନ୍ଦ୍ର ସରକାର ମଧ୍ୟ ପିଏମ୍‌ କିଷାନ୍‌ ନିଧି ଯୋଜନା ପ୍ରଣୟନ କରିଛନ୍ତି। ବର୍ଷକୁ ୩୭ ଲକ୍ଷ ଚାଷୀ ପରିବାରକୁ ୬ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରାଯାଇଛି। କାଳିଆକୁ ପିଏମ୍‌ କିଷାନ ନିଧି ଯୋଜନା ସହିତ ମିଶାଇ ରାଜ୍ୟ ସରକାର ହିତାଧିକାରୀଙ୍କୁ ମାତ୍ର ୪ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏବେ ଭୂମିହୀନ ଚାଷୀଙ୍କୁ ଋଣ ସହାୟତା ଯୋଗାଇ ଦେବା ପାଇଁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଗୋଟିଏ ପଟେ ଭାଗଚାଷୀ ଚିହ୍ନଟ ହୋଇନଥିବା ବେଳେ ସେମାନଙ୍କୁ ଜମି ମାଲିକମାନେ ଅଧିକୃତ ଭାଗଚାଷୀ ବୋଲି ସ୍ବୀକୃତି ଦେବେ ତ? ଏବେସୁଦ୍ଧା ଓଡ଼ିଶାରେ ୪ ଲକ୍ଷ ୨୭ ହଜାରରୁ ଅଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ କାମ କରୁଛନ୍ତି। କାଳିଆ ଯୋଜନା ପରେ ସରକାର ବଳରାମ ଯୋଜନା ଆଣିଛନ୍ତି। ଏବେ ଭଉଣୀମାନଙ୍କ ପାଇଁ ସୁଭଦ୍ରା ଯୋଜନା ଆଣନ୍ତୁ। ସରକାର ଯଦି କୃଷକର ଉନ୍ନତି ଚାହୁଁଛନ୍ତି, ତେବେ ବାସ୍ତବତାକୁ ଦେଖି ଯୋଜନା ପ୍ରସ୍ତୁତ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ଅନ୍ୟପଟେ, ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଅଭିଯୋଗ କରି କହିଛନ୍ତି, ସରକାରଙ୍କ ଏପରି ଯୋଜନା କେବଳ ନୂଆ ମଲାଟରେ ପୁରୁଣା ବହିକୁ ରଖିବା ସଦୃଶ। କାଳିଆ ଯୋଜନା କରି ସହାୟତା ରାଶିକୁ ଯେପରି ନିଜ ଦଳୀୟ କର୍ମୀଙ୍କ ମଧ୍ୟରେ ବାଣ୍ଟିଦେଲେ। ସେହିପରି ବଳରାମ ଯୋଜନା କରି ଆଉ ଗୋଟିଏ ଭେଳିକି ଦେଖାଇଛନ୍ତି। ବିଜେଡି ବିଧାୟକ ତଥା ପୂର୍ବତନ କୃଷି ମନ୍ତ୍ରୀ ଅମର ପ୍ରସାଦ ଶତପଥୀ ଜବାବ ରଖି କହିଛନ୍ତି, ଚାଷ ଓ ଚାଷୀଙ୍କ ପାଇଁ ସବୁ ସମୟରେ ରାଜ୍ୟ ସରକାର ଗୁରୁତ୍ବ ଦେଇଆସିଛନ୍ତି। କାଳିଆ ପରି ବଳରାମ ଯୋଜନାରେ ବି ସେମାନେ ଉପକୃତ ହେବେ। ଫଳରେ ରାଜ୍ୟ ଅର୍ଥନୀତି ସୁଦୃଢ଼ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe