ବାଚସ୍ପତି ଆସିବା ପୂର୍ବରୁ ଗୃହ କମ୍ପାଇଲେ ବିରୋଧୀ: ବିଜୁଙ୍କ ପାଇଁ ବିଜେଡି, ମହିଳାଙ୍କ ପାଇଁ କଂଗ୍ରେସ

Advertisment

ସମୟ ପୂର୍ବାହ୍ନ ୧୦ଟା ୨୮। ‘ମହିଳା ଅତ୍ୟାଚାରିତ... ମୋହନ ସରକାର ନିଶ୍ଚିନ୍ତ’ ସ୍ଲୋଗାନ ଲେଖାଥିବା ଏକ ବ୍ୟାନର ବେକରେ ପକାଇ ଗୃହରେ ପ୍ରବେଶ କଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ‘ମହିଳା ବିରୋଧୀ ବିଜେପି ସରକାର ତୁରନ୍ତ ଇସ୍ତଫା...

ସମୟ ପୂର୍ବାହ୍ନ ୧୦ଟା ୨୮। ‘ମହିଳା ଅତ୍ୟାଚାରିତ... ମୋହନ ସରକାର ନିଶ୍ଚିନ୍ତ’ ସ୍ଲୋଗାନ ଲେଖାଥିବା ଏକ ବ୍ୟାନର ବେକରେ ପକାଇ ଗୃହରେ ପ୍ରବେଶ କଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ‘ମହିଳା ବିରୋଧୀ ବିଜେପି ସରକାର ତୁରନ୍ତ ଇସ୍ତଫା...

ssdxccxd

ଭୁବନେଶ୍ବର: ସମୟ ପୂର୍ବାହ୍ନ ୧୦ଟା ୨୮। ‘ମହିଳା ଅତ୍ୟାଚାରିତ... ମୋହନ ସରକାର ନିଶ୍ଚିନ୍ତ’ ସ୍ଲୋଗାନ ଲେଖାଥିବା ଏକ ବ୍ୟାନର ବେକରେ ପକାଇ ଗୃହରେ ପ୍ରବେଶ କଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ‘ମହିଳା ବିରୋଧୀ ବିଜେପି ସରକାର ତୁରନ୍ତ ଇସ୍ତଫା ଦିଅ’ ନାରା ଦେଇ ବାଚସ୍ପତିଙ୍କ ପୋଡିୟମ ନିକଟରେ ପହଞ୍ଚିଲେ। ତାଙ୍କ ପଛପଛେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟ ଭାଗରେ ନାରା ଦେଲେ। ‘ଡବଲ୍‌ ଇଞ୍ଜିନ ସରକାରରେ ମହିଳାଙ୍କ ପାଇଁ ବଢ଼ିଛି ଡବଲ୍‌ ଅତ୍ୟାଚାର’, ‘ମହିଳାଙ୍କୁ ଆଗେ ଦିଅ ସୁରକ୍ଷା, ବିଧାନସଭାରେ ପରେ ହୋଇବ ଦେଖା’ ନାରା ଦେଇ ସରକାରଙ୍କୁ ଘେରିଥିଲେ। 

କଂଗ୍ରେସ ବିଧାୟକମାନେ ଗୃହରେ ନାରା ଦେଉଥିବା ଦେଖି ସବୁ ବିଜେଡି ବିଧାୟକ ବି ଉଠିଥିଲେ। ‘ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ସହିବ ନାହିଁ ଓଡ଼ିଶା’, ‘ବିଜୁ ବାବୁଙ୍କୁ ଅସମ୍ମାନ, ଓଡ଼ିଶାବାସୀଙ୍କୁ ଅପମାନ’, ‘ଓଡ଼ିଆ ବରପୁତ୍ରଙ୍କୁ ଅପମାନ, ଓଡ଼ିଆ ଅସ୍ମିତା କୁଆଡ଼େ ଗଲା’, ‘ବିଜୁ ବାବୁ ଅମର ରହେ’ ନାରା ଦେଇ ପ୍ଲାକାର୍ଡ ଧରି ଗୃହର ମଧ୍ୟ ଭାଗକୁ ପଳାଇ ଆସିଲେ। ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଅବସରରେ ରାଜ୍ୟ ସରକାର ‘ପଞ୍ଚାୟତିରାଜ ଦିବସ’ ପାଳନ ନକରିବା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ଏହି ସମୟରେ ବାଚସ୍ପତି ଚେୟାରରେ ନଥା’ନ୍ତି। କିନ୍ତୁ ଗୃହ ସରକାର ବିରୋଧୀ ନାରା‌ରେ କମ୍ପୁଥିଲା। 
ବାଚସ୍ପତି ୧୦ଟା ୩୦ରେ ଗୃହକୁ ପ୍ରବେଶ କରୁ କରୁ ବିରୋଧୀଙ୍କ ସ୍ବର ତୀବ୍ର ହୋଇଥିଲା। ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ିବାକୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ବିଜେଡି ବିଧାୟକ ଅଧିରାଜ ପାଣିଗ୍ରାହୀ ଉଦ୍ୟମ କଲେ। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ପ୍ରଶ୍ନ କାଳ ଚଳାଇବାକୁ ଉଦ୍ୟମ କରିଥିଲେ। ବିଧାୟକ ବାବୁ ସିଂହଙ୍କ ଏକ ପ୍ରଶ୍ନ ଉପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଉତ୍ତର ରଖିଥିଲେ। ହେଲେ ଗୃହରେ ଏତେ ହଟ୍ଟଗୋଳ ହେଉଥିଲା ଯେ କିଛି ଶୁଣାଯାଉନଥିଲା। ଗୃହ କାର୍ଯ୍ୟ ଚଳାଇବା ସମ୍ଭବ ନହେବାରୁ ବାଚସ୍ପତି ପୂର୍ବାହ୍ନ ୧୦ଟା ୩୬ରୁ ୧୨ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏହାପରେ ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଏବଂ କଂଗ୍ରେସ ବିଧାୟକମାନେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦେଇଥିଲେ।  

ବିଜୁ ବାବୁଙ୍କୁ ଅସମ୍ମାନ ଓଡ଼ିଶାବାସୀଙ୍କୁ ଅପମାନ: ବିଜେଡି
ବିଜେପି ସରକାରରେ ମହିଳା ଅସୁରକ୍ଷିତ: କଂଗ୍ରେସ
ବିଜୁଙ୍କ ନାଁ ନେଇ ହୀନ ରାଜନୀତି କରିବା ନିନ୍ଦନୀୟ: ବିଜେପି

ସେହିପରି ମଧ୍ୟାହ୍ନ ୧୨ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାର ଦୁଇ ମିନିଟ ପୂର୍ବରୁ ସମାନ ଦୃଶ୍ୟ ଦେଖିବାକୁ ମିଳିଲା। ଉଭୟ ବିଜେଡି ଓ କଂଗ୍ରେସ ଦଳର ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ନାରା ଦେଇଥିଲେ। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବାଚସ୍ପତି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଭିନ୍ନ କମିଟିର ନିର୍ବାଚନ ନେଇ ଘୋଷଣା କରିଥିଲେ। ଏହାପରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଏଣ୍ଟ ଅଫ୍ ଅର୍ଡର ମାଧ୍ୟମରେ କହିଥିଲେ, ବିଜୁ ପଟ୍ଟନାୟକ କେବଳ ଓଡ଼ିଶାର ବରପୁତ୍ର ନୁହେଁ, ସାରା ଦେଶର ସେ ବରପୁତ୍ର। ଯେଉଁମାନେ ବିଜୁଙ୍କ ନାଁ ନେଇ ନିଜ ସ୍ବାର୍ଥ ଓ ହୀନ ରାଜନୀତି କରୁଛନ୍ତି ତାହା ନିନ୍ଦନୀୟ। ବିଜେଡି ବିଜୁଙ୍କ ନାମରେ ଗଠନ ହୋଇଥିଲା। ହେଲେ ଯେତେବେଳେ ବିଜୁ ବାବୁ ରୋଗଗ୍ରସ୍ତ ଥିଲେ ସେତେବେଳେ ତାଙ୍କ ଦଳର ସଭାପତି କେତେ ଥର ଦେଖା କରିବାକୁ ଯାଇଥିଲେ। ବିଚ୍ଛିନ୍ନତାବାଦୀ ମନୋଭାବ ରଖି ଓଡ଼ିଶାରେ ଏକ ସ୍ବତନ୍ତ୍ର ଦିନରେ ପଞ୍ଚାୟତିରାଜ ଦିବସ ପାଳନ କରୁଥିଲେ।

 ଜଣେ ତାମିଲ୍ ବାବୁକୁ କ୍ଷମତାରେ ବସାଇବା ପାଇଁ ବିଜୁଙ୍କ ଫଟୋ ଦଳୀୟ ପ୍ରଚାରରେ ରଖିନଥିଲେ। ଯଦି ନିର୍ବାଚନ ଜିତିଥାନ୍ତେ ଏମାନେ ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ତାରିଖ ବି ବଦଳାଇ ଦେଇଥା’ନ୍ତେ। ସବୁଠୁ ନିନ୍ଦନୀୟ ଘଟଣା ସେମାନେ ରାଜନୈତିକ ଉଦ୍ଦେଶ୍ୟରେ ବିଜୁ ବାବୁଙ୍କୁ ବ୍ୟବହାର କରୁଛନ୍ତି। କଂଗ୍ରେସ ଆଜି ମହିଳାଙ୍କ ସୁରକ୍ଷା କଥା ଉଠାଉଛି। ହେଲେ ସେମାନେ ଅଞ୍ଜନା ମିଶ୍ର ଓ ଛବିରାଣୀ କାଣ୍ଡ କଥା ଭୁଲି ଯାଉଛନ୍ତି। ବିଧାୟକ ଅମର ନାୟକ, ପୂର୍ଣ୍ଣଚନ୍ଦ୍ର ସେଠୀ ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ୍ କରି ବକ୍ତବ୍ୟ ରଖିଥି‌ଲେ। ଅପରାହ୍ନରେ ବି ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବାର ଦୁଇ ମିନିଟ ପୂର୍ବରୁ ଅର୍ଥାତ୍ ୩ଟା ୫୮ରେ ବିଜେଡି ଓ କଂଗ୍ରେସ ବିଧାୟକମାନେ ପୁଣି ଗୃହ ମଧ୍ୟ ଭାଗରେ ହଟ୍ଟଗୋଳ କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କାଗଜ, ରିପୋର୍ଟ ଉପସ୍ଥାପନ ହୋଇଥିଲା। ହେଲେ ବିରୋଧୀ ଦଳର ସଦସ୍ୟ ଅଧ୍ୟକ୍ଷ ଥିବା କମିଟିଗୁଡ଼ିକର ରିପୋର୍ଟଗୁଡ଼ିକ ଉପସ୍ଥାପିତ ହୋଇପାରିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe