ନବରଙ୍ଗପୁର: ନବରଙ୍ଗପୁର ସଂସଦୀୟ କ୍ଷେତ୍ର ନିମନ୍ତେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବାପରେ ଦଳ ଭିତରେ ବିରୋଧର ସ୍ବର ତେଜିଛି। ଅସନ୍ତୁଷ୍ଟ ଗୋଷ୍ଠୀ ଆଜି ସାମ୍ବାଦିକ ସମ୍ମିଳନୀ କରି ଭୁଜବଳ ମାଝୀ ପରିବାରବାଦ ରାଜନୀତିକୁ ପ୍ରଶ୍ରୟ ଦେଇଥିବା ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ଟିକେଟ ଆଶାୟୀ ଦିବାକର ପୂଜାରୀ କରିଛନ୍ତି, ଭୁଜବଳ ନିଜେ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ ଝିଅ ଲିପିକା ମାଝୀଙ୍କୁ ଡାବୁଗାଁ ବିଧାନସଭା ପ୍ରାର୍ଥୀ କରିଛନ୍ତି। ସେହିପରି ଶାଳକ ଦିଲ୍ଲୀପ ପ୍ରଧାନୀଙ୍କୁ ନବରଙ୍ଗପୁର ବିଧାନସଭା ଏବଂ ସଂପର୍କୀୟ ପୁତୁରା ଅନାମ ଦିଆନଙ୍କୁ କୋଟପାଡ଼ ବିଧାନସଭା ପ୍ରାର୍ଥୀ କରିଛନ୍ତି। ପୂର୍ବରୁ ପରିବାରରୁ ଜଣଙ୍କୁ ଟିକେଟ୍ ମିଳିବ ବୋଲି ଏଆଇସିସି ଓ ପିସିସି କହିଥିଲେ।
ପୂର୍ବତନ ଜିଲ୍ଲା ସଭାପତି ମୁନା ତ୍ରିପାଠୀ ଯେଉଁ ତାଲିକା ପିସିସିକୁ ଦେଇଥିଲେ, ସେଥିରୁ କାହାର ନାମ ଘୋଷଣା କରାଗଲା ନାହିଁ। ଏଥିପାଇଁ ପିସିସି ସଭାପତି ଦାୟୀ ବୋଲି ଶ୍ରୀ ପୂଜାରୀ ରୋକ୍ଠୋକ୍ ଅଭିଯୋଗ କରିଛନ୍ତି। ଏଥିସହିତ, ନିର୍ବାଚନରେ କଂଗ୍ରେସକୁ ସହଯୋଗ କରିବେ ନାହିଁ ଏବଂ ଆଗାମୀ ଦିନରେ ବୈଠକ କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାଇଘର ବ୍ଲକ ସଭାପତି ସୁବଲନ ସାନ୍ତା, ନବରଙ୍ଗପୁର ସଭାପତି ଅବଦୁଲ ଫିରୋଜ, ଡାବୁଗାଁ ଆଶାୟୀ ପ୍ରାର୍ଥୀ କୁଶିଆ ମାଝୀ, ନଗର କଂଗ୍ରେସ ସଭାପତି ପ୍ରଦୀପ ସାହୁ, ଦେବକାନ୍ତ ପଣ୍ଡା, ଶେଖଚାନ୍ଦ ଉସମାନିଆ, ଉମାକାନ୍ତ ଦାସ, କାଳୀ ପାତ୍ର, ମଙ୍ଗଳା ପାତ୍ର, ଭାଗୀରଥି ନାୟକ, ବୈଦେଇ ମାଝୀ, ସୁରେନ୍ଦ୍ର ନାୟକ, ମଦନ ମୋହନ ମାଝୀ, ପ୍ରକାଶ ସାମନ୍ତରାୟ, ଜି.ଅନନ୍ତ ମୂର୍ତ୍ତି, ନବଜୀବନ ମନ୍ଦାର, ମଙ୍ଗଳା ମାଝୀ, ଖଗ ହରିଜନ, ନବାଲ ପନକାଙ୍କ ସହ ବହୁ ପଞ୍ଚାୟତ ସଭାପତି ଉପସ୍ଥିତ ରହିବା ସହିତ ଇସ୍ତଫା ଦେଇଥିଲେ।
Follow Us