ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ବିସ୍ଥାପନକୁ ବିରୋଧ, ବୈଠକରେ ପାଟିତୁଣ୍ଡ, ଅଧାରୁ ବନ୍ଦ

Advertisment
ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ବିସ୍ଥାପନକୁ ବିରୋଧ, ବୈଠକରେ ପାଟିତୁଣ୍ଡ, ଅଧାରୁ ବନ୍ଦ

ସମ୍ବଲପୁର : ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ସମର୍ଥନ କିନ୍ତୁ ବିସ୍ଥାପନକୁ ବିରୋଧ କରୁଛନ୍ତି ସ୍ଥାନୀୟ ଘୁନଘୁଟି ପଡ଼ା ବାସିନ୍ଦା। ଆଜି ଏ ସଂକ୍ରାନ୍ତରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମହାନଗର ନିଗମ କମିସନର ଅନିରୁଦ୍ଧ ପଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପଡ଼ାର ଲୋକମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ। ଏଥିଯୋଗୁଁ ବୈଠକ ଅଧାରୁ ବନ୍ଦ ହୋଇଯାଇ ଥିଲା।

ଜାତିଗତ କାରଣ ଯୋଗୁଁ ମନ୍ଦିରର କେବଳ ଗୋଟିଏ ପାର୍ଶ୍ବ ଅଞ୍ଚଳବାସୀଙ୍କୁ ଉଚ୍ଛେଦ କରାଯାଉଥିବା ନେଇ ସେମାନେ ଅଭିଯୋଗ କରିଥିଲେ। ଯଦି ଉଚ୍ଛେଦ ନିହାତି ଆବଶ୍ୟକ ତେବେ, ଚେରୁଆପଡ଼ାରେ ପଟ୍ଟା ସହିତ ୫ ଏକର ଜମି, ପୁରୀ ଶ୍ରୀମନ୍ଦିର ପାର୍ଶ୍ବାଞ୍ଚଳରୁ ଉଚ୍ଛେଦ ଲୋକଙ୍କ ଭଳି ଆର୍ଥିକ କ୍ଷତିପୂରଣ ପ୍ରଦାନ, ବିଜୁଳି, ପାଣି, କଲ୍ୟାଣ ମଣ୍ଡପ, ପାର୍କ ସୁବିଧା ପ୍ରଦାନ କରାନଗଲେ ସେମାନେ ହଟିବେ ନାହିଁ ବୋଲି କହିଛନ୍ତି। ଏହି ବୈଠକରେ ଜୁଡିସିଆଲ ଅଧିକାରୀ ବିନୋଦ ଦାସ, ଡିଏସଆର ସୁଶାନ୍ତ ସାହୁ, ଜମି ଅଧିଗ୍ରହଣ ଅଧିକାରୀ ଆଦିତ୍ୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସହ ଲକ୍‌ଡାଉନ ସମୟରେ ସର୍ଭେ ହେବା ପରେ ସମ୍ବଲପୁରର ୪୦୦ ବର୍ଷ ପୁରୁଣା ଏହି ବସ୍ତି ଉଚ୍ଛେଦ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। କିଛି ଦିନ ପୂର୍ବରୁ ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପ୍ରମୁଖ ମଧ୍ୟ ଆସି ମନ୍ଦିର‌ ଅଞ୍ଚଳରେ ସ୍ଥିତି ସମୀକ୍ଷା କରିଥିଲେ। ଏଠାରେ ୭୦ ରୁ୮୦ ଏକର ଜମି ଅଧିଗ୍ରହଣର ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ଆଜି (ରବିବାର) ପ୍ରଶାସନିକ ଅଧିକାରୀମାନେ ପଡ଼ାର ଲୋକଙ୍କୁ ଡକାଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ବୈଠକ କରିଥିଲେ। ଏଥିପୂର୍ବରୁ ମଧ୍ୟ ଦୁଇ ଥର ଅଣଔପଚାରିକ ଭାବରେ ପଡ଼ାର ୪-୫ ପ୍ରତିନିଧି ଦଳ ସହିତ କମିସନର ଆଲୋଚନା କରିଥିଲେ। ତେବେ ସେସବୁ ନିଷ୍ଫଳ ହୋଇଥିଲା।

ରବିବାର ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ କମିସନର କହିଥିଲେ, ସମଲେଶ୍ବରୀ ମନ୍ଦିର ଅଞ୍ଚଳ ବିକାଶ ପାଇଁ ଘୁନଘୁଟି ପଡ଼ାର ଲୋକଙ୍କୁ ହଟିବାକୁ ପଡ଼ିବ। ପଡ଼ାର କାଁଭାଁ କିଛି ଜଣଙ୍କୁ ଛାଡ଼ି ଦେଲେ କାହାରି ପଟ୍ଟା ନାହିଁ। ଏହା ସତ୍ତ୍ବେ ଦୁର୍ଗାପାଲିରେ ସେମାନଙ୍କୁ ୨ ଡିସମିଲ ଜମି, ଘରର ମୂଲ୍ୟାଙ୍କନ କରାଯାଇ ସେହି ଆଧାରରେ କ୍ଷତିପୂରଣ ରାଶି ଦିଆଯିବ। ବୈଠକରେ ଉପସ୍ଥିତ ପଡ଼ାବାସୀ, ସମଲେଶ୍ବରୀ ମନ୍ଦିର ଅଞ୍ଚଳ ସୌନ୍ଦର୍ଯ୍ୟକରଣକୁ ସମର୍ଥନ କରିଥିଲେ। ତ‌େବେ ସେମାନେ ଦର୍ଶାଇଥିଲେ, ଏହି ଘୁନଘୁଟି ପଡ଼ା ୪୦୦ ବର୍ଷ ପୁରୁଣା। ସମଲେଶ୍ବରୀ ମନ୍ଦିର ପ୍ରତିଷ୍ଠା ହେବା ପରେ ବାଜା ବଜାଇବା ପାଇଁ ବଲାଙ୍ଗୀର ଜିଲ୍ଲା ଘୁନଘୁଟିପାଲିରୁ ରାଜା ବଳରାମ ଦେବ ୧୨ ପରିବାରକୁ ଡକାଇ ଏଠାରେ ରଖାଇଥିଲେ। ଆଜି ପଡ଼ାରେ ରହୁଥିବା ସେମାନଙ୍କ ବଂଶଜ ପରିବାର ସଂଖ୍ୟା ୨୦୦ରେ ପହଞ୍ଚିସାରିଛି। ସେମାନେ ସମଲେଶ୍ବରୀଙ୍କ ପ୍ରଥମ ସେବକ ଭାବରେ ବାଜା ବଜାଇବା ସହିତ ସଫେଇ ଦାୟିତ୍ବରେ ବି ଥିଲେ। ଗଣାବଜାର ଲୋକପ୍ରିୟତା ଦୃଷ୍ଟିରୁ କ୍ରମଶଃ ଅନ୍ୟ ବର୍ଗର ଲୋକ ପୂଜା ବେଳେ ବାଜା ବଜାଇଲେ। ଘୁନଘୁଟିପଡ଼ାର ଅନୁସୂଚିତ ବର୍ଗର ଲୋକେ ମଜୁରି କଲେ। ସେତେବେଳେ ଜାତିଗତ ଘୃଣାଭାବ ଥିବାରୁ ତାଙ୍କ ପଡ଼ାର ବିକାଶ ହେଲା ନାହିଁ। ସେମାନେ ବିଭିନ୍ନ ସମୟରେ ପଟ୍ଟା ପାଇଁ ଦାବି କରିଥିଲେ। ପ୍ରଶାସନ ପକ୍ଷରୁ ସେମାନଙ୍କୁ ପଟ୍ଟା ଦିଆଗଲା ନାହିଁ। କିନ୍ତୁ ଆଜି ସେମାନଙ୍କ ପଟ୍ଟାକୁ ନେଇ ପ୍ରଶ୍ନ ଉଠାଯାଉଛି। ଏଥିସହ ମନ୍ଦିର ଚତୁପାର୍ଶ୍ବରେ ସମ୍ପ୍ରସାରଣ କରାନଯାଇ କେବଳ ଗୋଟିଏ ପାଖକୁ କିଭଳି ସମ୍ପ୍ରସାରିତ ହେଉଛି ବୋଲି ପଡ଼ାବାସୀ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉତ୍ତେଜନା ହୋଇଥିଲା। ସେମାନେ ଦୀର୍ଘ ବର୍ଷ ହେଲାଣି ସହରର ମୁଖ୍ୟ ସ୍ଥାନରେ ରହୁଛନ୍ତି, ଏହାକୁ ନେଇ ଜୀବିକା ରହିଛି। ପିଲାମାନେ ପାଠ ପଢୁଛନ୍ତି। ଦୁର୍ଗାପାଲି କିମ୍ବା ସହରର ଦୂର ସ୍ଥାନରେ ଥଇଥାନ ସେମାନଙ୍କ ଅବସ୍ଥାକୁ ଜଟିଳ କରିବ ବୋଲି ଯୁକ୍ତି କରିଥିଲେ। ଯଦି ବିସ୍ଥାପନ ଅତି ଜରୁରୀ ହେଲେ ଚେରୁଆପଡ଼ାରେ ସେମାନଙ୍କୁ ଥଇଥାନ ପାଇଁ ସେମାନେ ଦାବି କରିଥିଲେ। ମାତ୍ର ପ୍ରଶାସନିକ ଅଧିକାରୀମାନେ ଏହାକୁ ଗ୍ରହଣ କରିନଥିଲେ। ପାଟିତୁଣ୍ଡ ହେବାରୁ ଏସ୍‌ଏମ୍‌ସି କମିସନରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉଠି ଯାଇଥିଲେ। ଏଥିଯୋଗୁଁ ବୈଠକ ଅଧାରୁ ବନ୍ଦ ହୋଇଯାଇଥିଲା।

ସୂଚନାଯୋଗ୍ୟ ସମଲେଶ୍ବରୀ ମନ୍ଦିର ସୌନ୍ଦର୍ଯ୍ୟକରଣ ଯୋଜନାରେ ମନ୍ଦିରର ପୂଜକମାନେ ମଧ୍ୟ ବିସ୍ଥାପିତ ହେବେ। ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଘର ନିର୍ମାଣ ହେବ। ରାଜଘାଟ ନିକଟରେ ପୂଜକଙ୍କୁ ଥଇଥାନ କରାଯିବ ବୋଲି ପ୍ରଶାସନ ପ୍ରସ୍ତାବ ଦେଇଥିଲା। ମାତ୍ର ଏହାକୁ ପୂଜକମାନେ ଗ୍ରହଣ ନକରିବାରୁ ସେମାନଙ୍କୁ କମଲିବଜାରରେ ଥଇଥାନ ପାଇଁ ବ୍ୟବସ୍ଥା କରାଯାଉଛି। ରାଜଘାଟ ନିକଟରେ ଯେଉଁଠି ପୂଜକମାନଙ୍କୁ ରହିବାର ବ୍ୟବସ୍ଥା ପାଇଁ ପ୍ରଶାସନ ଚିନ୍ତା କରୁଥିଲା ସେଠି ଘୁନଘୁଟି ପଡ଼ା ଅଧିବାସୀଙ୍କୁ ରଖିବା ପାଇଁ ପଡ଼ାବାସୀ ପ୍ରସ୍ତାବ ଦେଇଥିଲେ। ମାତ୍ର ଏହାକୁ ଅଧିକାରୀମାନେ ଗ୍ରହଣ କରିନଥିଲେ। ଅନୁସୂଚିତ ଜାତିର ହୋଇଥିବାରୁ ଜାଣିଶୁଣି ସେମାନଙ୍କୁ ଦୂର ସ୍ଥାନକୁ ଠେଲିବାର ଯୋଜନା କରାଯାଉଥିବା ପଡ଼ାବାସୀ ଅଭିଯୋଗ କହିଛନ୍ତି। ଏଥିସହ ବୈଠକରେ କମିସନରଙ୍କ ଆଉ ଏକ କଥା ପଡ଼ାବାସୀଙ୍କୁ ଆନ୍ଦୋଳିତ କରିଥିଲା ବୋଲି ମଧ୍ୟ କୁହାଯାଉଛି। ଯେଉଁଭଳି ସେକେଣ୍ଡ୍‌ ହେଣ୍ଡ୍‌ ଗାଡ଼ିର ମୂଲ୍ୟ ହ୍ରାସ ପାଏ, ଘର ପୁରୁଣା ହୋଇଗଲେ ମଧ୍ୟ ତା’ର ମୂଲ୍ୟ କମ୍‌ ହୋଇଯାଏ। ତେଣୁ ସମସ୍ତେ ସେହି ଅନୁସାରେ ଟଙ୍କା ପାଇବେ ବୋଲି କମିସନର କହିଥିବା ପଡ଼ା ବାସୀ ଦର୍ଶାଇଛନ୍ତି। ସେକେଣ୍ଡ ହେଣ୍ଡ୍‌ ଗାଡ଼ି ଏବଂ ପୁରୁଣା ଘରର ତୁଳନା ସଠିକ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe