ବବିଙ୍କ ସମ୍ମୁଖରେ ରୋହିତଙ୍କୁ ବିରୋଧ: ଉଗ୍ରହେଲେ ରାସେଶ୍ବରୀଙ୍କ ସମର୍ଥକ

ବବିଙ୍କ ସମ୍ମୁଖରେ ରୋହିତଙ୍କୁ ବିରୋଧ: ଉଗ୍ରହେଲେ ରାସେଶ୍ବରୀଙ୍କ ସମର୍ଥକ

ସମ୍ବଲପୁର: ଯାହା ଆଶଙ୍କା କରାଯାଉଥିଲା, ଆଜି ଠିକ୍ ସେଇଆ ହିଁ ଘଟିଛି। ସମ୍ବଲପୁର ଲୋକସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ଦଳର ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସମ୍ମୁଖରେ ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି।‌ ସମ୍ବଲପୁର ବିଧାନସଭା ଆସନ ପାଇଁ ଟିକେଟ ଆଶାୟୀ ବର୍ତ୍ତମାନର ରେଢ଼ାଖୋଲ ବିଧାୟକ ଇଂ.ରୋହିତ ପୂଜାରୀଙ୍କୁ ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ସମର୍ଥକମାନେ ବବି ଦାସଙ୍କ ସାମ୍‌ନାରେ ଖୋଲାଖୋଲି ବିରୋଧ କରିଛନ୍ତି। କେବଳ ସେତିକି ନୁ‌ହେଁ, ପରାଜିତ ହେଲେ ଉତ୍ତରଦାୟୀ ନକରିବାକୁ ସତର୍କ ବି କରାଇ ଦେଇଛନ୍ତି।

ସମ୍ବଲପୁର ଲୋକସଭା କ୍ଷେତ୍ରରୁ ବବି ଦାସଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ସେ ମହାପ୍ରଭୁ ଜଗନ୍ନାଥ, ମା’ ବିରଜାଙ୍କ ଦର୍ଶନ କରିବା ପରେ ଆଜି ସମ୍ବଲପୁର ଆସି ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ। ମନ୍ଦିର ପରିସରରେ ବବିଙ୍କୁ ସ୍ବାଗତ ନିମନ୍ତେ ସିଦ୍ଧାର୍ଥ ଦାସ, ରୋହିତ ପୂଜାରୀ, ସଂଜିତ ମହାନ୍ତି, ରାଜକିଶୋର ଦାସ, ସଂଜୟ ବାବୁ ପ୍ରମୁଖ ସବୁଗୋଷ୍ଠୀର ନେତା ନିଜ ନିଜ ସମର୍ଥକଙ୍କ ସହିତ ଉପସ୍ଥିତ ଥିଲେ। ତେବେ, ସ୍ବାଗତ ନିମନ୍ତେ ଦଳୀୟ ନେତାଙ୍କ ମଧ୍ୟରେ ସେଠାରେ ଅଘୋଷିତ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ସିଦ୍ଧାର୍ଥ ଦାସ ଏକପ୍ରକାର ନିଜ ଶକ୍ତି ପ୍ରଦର୍ଶନ କରିଥିଲେ। ରାସେଶ୍ବରୀ ପାଣିଗ୍ରାହୀ ସେଠାକୁ ଯାଇନଥିଲେ ବି ସମ୍ବଲପୁର, ବୁର୍ଲା ଓ ହୀରାକୁଦରୁ ଆସିଥିବା ତାଙ୍କର ବହୁସଂଖ୍ୟକ ସମର୍ଥକ ଉପସ୍ଥିତ ରହି ସ୍ବାଗତ କରିଥି‌ଲେ। ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା ଓ ଦର୍ଶନ ପରେ ବବି ସିଧା ସେଠାରୁ ରୋହିତ ପୂଜାରୀ, ସିଦ୍ଧାର୍ଥ ଦାସ ଓ ଦଳୀୟ ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ ପ୍ରମୁଖଙ୍କ ସହିତ ଶାନ୍ତିନଗରସ୍ଥିତ ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ବାସଭବନରେ ପହଂଚିଥିଲେ। ରାସେଶ୍ବରୀ ନିଜ ଚିରାଚିରତ ଶୈଳୀରେ ବବିଙ୍କୁ ଆଲିଙ୍ଗନ କରିବା ସହିତ ମିଠା ଖୁଆଇ ସ୍ବାଗତ କରିଥିଲେ ଆଉ ଶୁଭାକାମନା ବି ଜଣାଇଥିଲେ। ହେଲେ, ତାଙ୍କ ବାସଭବନରେ ଉପସ୍ଥିତ ଥିବା ଶତାଧିକ କର୍ମୀ ଓ ସମର୍ଥକ ଖୋଲାଖୋଲି ରାସେଶ୍ବରୀଙ୍କୁ ସମର୍ଥନ ଓ ରୋହିତଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ରାସେଶ୍ବରୀଙ୍କ ବ୍ୟତୀତ ଅନ୍ୟ କାହାକୁ ପ୍ରାର୍ଥୀ କରାଗଲେ ତୀବ୍ର ବିରୋଧ ହେବ ବୋଲି ସ୍ପଷ୍ଟ ଭାବେ କହିଥିଲେ। କେହି କେହି ‘ରାସେଶ୍ବରୀଙ୍କୁ ପ୍ରାର୍ଥୀ କରାନଗଲେ ଆମେ ଚୁପ୍‌ଚାପ ବସିଯିବୁ’ ବୋଲି କହୁଥିବା ବେଳେ ଆଉ କେହି କେହି ଲୋକସଭା ପାଇଁ ‘ଶଙ୍ଖ’ରେ ଆଉ ବିଧାନସଭା ପାଇଁ ‘ପଦ୍ମ’ରେ ଭୋଟ ଦେବାକୁ ପଛାଇବୁ ନାହିଁ ବୋଲି ବି ଶୁଣାଇ ଦେଇଥିଲେ। ରାସେଶ୍ବରୀ କୁଆଡ଼େ ଏକାକୀ ବବିଙ୍କୁ ‘ହାରିଗଲେ ଉତ୍ତରଦାୟୀ କରିବେ ନାହିଁ’ ବୋଲି ସ୍ପଷ୍ଟ ଭାବେ କହିଥିବା ତାଙ୍କ ସମର୍ଥକମାନେ କହୁଛନ୍ତି। ଏ ସଂକ୍ରାନ୍ତରେ ରାସେଶ୍ବରୀ ପାଣିଗ୍ରାହୀଙ୍କୁ ପଚାରିବାରୁ ‘ବବି ମୋତେ‌ ଭେଟିବାକୁ ଆସିଥିଲେ, ମୁଁ ତାଙ୍କୁ ଶୁଭକାମନା ଜଣାଇଛି’ ବୋଲି କହି ପ୍ରସଙ୍ଗକୁ ଏଡ଼ାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe