ଟାଟାର ଫର୍ଟିଲାଇଜର୍ ପ୍ରକଳ୍ପ ନିର୍ମାଣକୁ ବିରୋଧ: ପୁଲିସ-ଗ୍ରାମବାସୀ ମୁହାଁମୁହିଁ

Advertisment
ଟାଟାର ଫର୍ଟିଲାଇଜର୍ ପ୍ରକଳ୍ପ ନିର୍ମାଣକୁ ବିରୋଧ: ପୁଲିସ-ଗ୍ରାମବାସୀ ମୁହାଁମୁହିଁ

ଛତ୍ରପୁର : ଟାଟା ଷ୍ଟିଲ୍ ସ୍ବତନ୍ତ୍ର ଅର୍ଥନ‌ୈତିକ ଜୋନ୍ (ଏସ୍‌ଇଜେଡ୍) ଅଞ୍ଚଳରେ ଟାଟା ପକ୍ଷରୁ ‘ଦୀପକ ଫର୍ଟିଲାଇଜର୍ ପ୍ରକଳ୍ପ ନିର୍ମାଣକୁ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ କାଳିପଲ୍ଲୀ ଓ ବାସନପୁଟି ଗ୍ରାମବାସୀ ଘୋର ବିରୋଧ କରିଛନ୍ତି। ଏପରିକି ଶତାଧିକ ଗ୍ରାମବାସୀ ପ୍ରକଳ୍ପ ନିର୍ମାଣ କାମକୁ ବନ୍ଦ କରିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି। ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ଟାଟା କମ୍ପାନି ପକ୍ଷରୁ କର୍ମନିଯୁକ୍ତି ସୁଯୋଗ ଦିଆଯିବା ସମେତ ବିଭିନ୍ନ ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାମ କରିବାକୁ ଦିଆଯିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ଖବର ମିଳିବା ସୁଦ୍ଧା ଉଭୟ ଗ୍ରାମର ଲୋକେ ଆନ୍ଦୋଳନ ଜାରି ରଖିଥିବା ବେଳେ ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି। ବିରୋଧ ଯୋଗୁଁ ପ୍ରକଳ୍ପ କାମ ଅଟକି ରହିଥିବା ବେଳେ ଛତ୍ରପୁର ଏସ୍‌ଡିପିଓ ଗୌତମ କିଷାନ୍‌ଙ୍କ ଛତ୍ରପୁର, ଚମାଖଣ୍ତି, ଗଞ୍ଜାମ ଓ ରମ୍ଭା ଥାନାଧିକାରୀ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଗ୍ରାମବାସୀ ସେମାନଙ୍କ ଜିଦ୍‌ରେ ଅଟଳ ରହିଛନ୍ତି। ପ୍ରକଳ୍ପ କାମକୁ ବି ସାମୟିକ ଭାବେ ବନ୍ଦ ରଖାଯାଇଛି।

ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ଏସ୍‌‌ଇଜେଡ୍ ଅଞ୍ଚଳକୁ କରିଡ଼ର୍ ନିର୍ମାଣ ପାଇଁ ଭୂମି ଅଧିଗ୍ରହଣ ଉଦ୍ଦେଶ୍ୟରେ ଗତବର୍ଷ ଡିସେମ୍ବର ମାସରେ କାଳିପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜନଶୁଣାଣି ହୋଇଥିଲା। ଯାହାକୁ ସ୍ଥାନୀୟ ଅ‌ଞ୍ଚଳବାସୀ ବିରୋଧ କରିଥିଲେ। ପୁଣି ଡିସେମ୍ବର ୩୦ ତାରିଖରେ ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ କାଳିପଲ୍ଲୀ ଓ ବାସନପୁଟି ମିଳିତ ଗ୍ରାମ୍ୟ କମିଟିକୁ ନେଇ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା। ଏସ୍‌ଇଜେଡ୍ ଅଞ୍ଚଳରୁ କରିଡର୍ ରାସ୍ତା ନିର୍ମାଣ ଓ ଫର୍ଟିଲାଇଜର୍ ପ୍ରକଳ୍ପ କାର୍ଯ୍ୟ ପାଇଁ ଉଭୟ ଗ୍ରାମର ଲୋକଙ୍କୁ ଅନୁରୋଧ କରାଯାଇଥିଲା।

ତେବେ କାଳିପଲ୍ଲୀ ଓ ବାସନପୁଟି ଗ୍ରାମ୍ୟ କମିଟି ପକ୍ଷରୁ ସେତେବେଳେ କିଛି ଦାବି ଉପସ୍ଥାପନ କରାଯାଇଥିଲା। କାଳିପଲ୍ଲୀ, ବାସନପୁଟି, ପାଇକପଡ଼ା ଓ ଲକ୍ଷ୍ମୀପୁର ମୌଜାର ଟାଟା କମ୍ପାନିର ପାଚେରି ବାହାରେ ଥିବା ଜମିକୁ ଡି-ନୋଟିଫିକେସନ୍ କରି ମୂଳ ପଟ୍ଟାଧାରୀଙ୍କୁ ହସ୍ତାନ୍ତର, ଜମି ହରାଇଥିବା ପରିବାରକୁ ଯୋଗ୍ୟତା ଅନୁସାରେ ସ୍ଥାୟୀ ନିଯୁକ୍ତି ପ୍ରଦାନ, ପ୍ରଭାବିତ ଗ୍ରାମର ଏନ୍ଏପି ପରିବାରଙ୍କୁ ସ୍ଥାୟୀ ନିଯୁକ୍ତି, ଅ‌ଞ୍ଚଳର ଭେଣ୍ତର୍ ମାନଙ୍କୁ ଠିକା କାର୍ଯ୍ୟ ପ୍ରଦାନ, ଗରିବ ଶ୍ରେଣୀର ଲୋକଙ୍କୁ ଦିନମଜୁରିଆ ଭାବେ ନି‌ୟୋଜିତ କରିବା ଓ ପରିବେଶର ସୁରକ୍ଷା ସମେତ ବିଭିନ୍ନ ଦଫା ଦାବି ଉପସ୍ଥାପନ କରାଯାଇଥିଲା। କରିଡର୍ ନିର୍ମାଣ ପୂର୍ବରୁ ଦାବି ପୂରଣ ହେଲେ ସହଯୋଗ କରିବାକୁ ଦୁଇ ଗ୍ରାମ୍ୟ କମିଟିର କର୍ମକର୍ତ୍ତା ସହମତି ଜଣାଇଥିଲେ। ହେଲେ ଦାବି ପୂରଣ ‌ନକରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଏଥିପାଇଁ କମ୍ପାନି ସମ୍ମୁଖରେ ଅସ୍ଥାୟୀ ଟେଣ୍ଟ୍ କରି ଗଣଧାରଣା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଚାପା ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe