ମାମଲା ଶୁଣାଣିର ସିଧା ପ୍ରସାରଣକୁ ବିରୋଧ: ୯ ପର୍ଯ୍ୟନ୍ତ ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ

ଆଲୋଚନା ପାଇଁ ହାଇକୋର୍ଟ ବାର୍ ପକ୍ଷରୁ କମିଟି ଗଠନ

ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଆଶ୍ବସ୍ତି: ନିର୍ବାଚନୀ ମୋକଦ୍ଦମାକୁ ଖାରଜ କଲେ ହାଇକୋର୍ଟ

Image Courtesy of The New Indian Express

କଟକ : ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ମାମଲା ଶୁଣାଣିର ସିଧା ପ୍ରସାରଣ (ଲାଇଭ ଷ୍ଟ୍ରିମିଂ)କୁ ବିରୋଧ କରି ଗତ ୨ ତାରିଖ ଦିନ ୨ଟାରୁ ମୁଖ୍ୟ ବିଚାରପତିଙ୍କ କୋର୍ଟ କାର୍ଯ୍ୟରେ ଯୋଗ ନ ଦେବାପାଇଁ ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଏହାକୁ ବଳବତ୍ତର ରଖିବା ପାଇଁ ଆଇନଜୀବୀମାନେ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ବାର୍ ଆସୋସିଏସନ୍ ସାଧାରଣ ପରିଷଦ ବୈଠକ ବସିଥିଲା। ବୈଠକରେ ଆସନ୍ତା ୬ ତାରିଖ ଦିନ ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କ ସହିତ ଏହି ପ୍ରସଂଗରେ ଆଲୋଚନା କରିବା ପାଇଁ ଏକ କମିଟି ଗଠନ କରାଯାଇଛି। କମିଟିରେ ହାଇକୋର୍ଟ ବାର୍ ସଭାପତି, ଉପସଭାପତି, ସଂପାଦକ, ବରିଷ୍ଠ ଆଇନଜୀବୀ ମନୋରଂଜନ ମହାନ୍ତି, ବାସୁଦେବ ପଣ୍ଡା, ଆଇନଜୀବୀ ଅମୀୟ କୁମାର ମହାନ୍ତି, କାଳୀ ପ୍ରସନ୍ନ ମିଶ୍ର, ଗଣେଶ ପ୍ରସାଦ ମହାନ୍ତି, ବିଜୟ କୁମାର ରଗଡ଼, ସତ୍ୟବ୍ରତ ମହାନ୍ତି ସଦସ୍ୟ ରହିଥିବା ହାଇକୋର୍ଟ ବାର୍ ସଭାପତି ତଥା ବରିଷ୍ଠ ଆଇନଜୀବୀ ଜଗବନ୍ଧୁ ସାହୁ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ବାର୍ ଆସୋସିଏସନ୍ ପକ୍ଷରୁ ଗତ ୨ ତାରିଖ ଦିନ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ପାଳନ କରି ନଥିବା ୨୩ଜଣ ସଦସ୍ୟଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଜି ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିସହିତ ବାର୍ ନିଷ୍ପତ୍ତି କାର୍ଯ୍ୟକାରୀ ପାଇଁ ଆଜି ଏକ ଷ୍ଟିୟରିଂ କମିଟି ଗଠନ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

ଆଜିର ସାଧାରଣ ପରିଷଦ ବୈଠକରେ ଆସୋସିଏସନ୍ ଉପସଭାପତି ଦେବୀ ପ୍ରସାଦ ଦାଶ, ସଂପାଦକ ଡକ୍ଟର ଜିତେନ୍ଦ୍ର କୁମାର ଲେଙ୍କା, ଯୁଗ୍ମସଂପାଦକ ପ୍ରଣୟ କୁମାର ସ୍ବାଇଁ, ସହକାରୀ ସଂପାଦକ ତାପସ କୁମାର ଆଚାର୍ଯ୍ୟ, ପୂର୍ବତନ ଉପସଭାପତି କାଳୀପ୍ରସନ୍ନ ମିଶ୍ର, ବିଭୂତି ଭୂଷଣ ଚୌଧୁରୀ, ବିଭୁ ପ୍ରସନ୍ନ ମହାପାତ୍ର, କବିରାଜ ପ୍ରଧାନ, ପଦ୍ମାଳୟା ମହାପାତ୍ର, ଅକ୍ଷୟ କୁମାର ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe