ଶୀତଳଷଷ୍ଠୀ ମହୋତ୍ସବ ଆୟୋଜନକୁ ବିରୋଧ

ଶୀତଳଷଷ୍ଠୀ ଯାତ୍ରା ପାଇଁ କାର୍ଯ୍ୟ ସୂଚୀ ଜାରି, ମେ’ ୨୪ରେ ଶିବ ବିବାହ

ସମ୍ବଲପୁର : ଶୀତଳଷଷ୍ଠୀ ଯାତ୍ରା ଶେଷ ହେବାର ସପ୍ତାହେ ପରେ ଜୁନ୍‌ ୧ରୁ ୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରେ ଶୀତଳଷଷ୍ଠୀ ମହୋତ୍ସବ ଆୟୋଜନକୁ ନେଇ ସମ୍ବଲପୁରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ନନ୍ଦପଡ଼ା, ଝାଡ଼ୁଆପଡ଼ା ଓ ମୁଦିପଡ଼ା ଯାତ୍ରା କମିଟିକୁ ନେଇ ଗଠିତ ଶୀତଳଷଷ୍ଠୀ ଯାତ୍ରା ମିଳିତ ସମନ୍ବୟ ସମିତି ଏହାର ଦୃ‌ଢ଼ ବିରୋଧ କରିଛି। ବୁଧବାର ସଂଧ୍ୟାରେ ଆରଣ୍ୟକ ମଣ୍ଡପଠାରେ ସମନ୍ବୟ ସମିତିର ଏକ ଜରୁରୀ ବୈଠକ ବସି ଏହାର ବିରୋଧ କରାଯାଇଥିଲା।

ଏହାପରେ ସମନ୍ବୟ ସମିତି ତରଫରୁ ଜାରି ଏକ ବିବୃତିରେ କହାଯାଇଛି ଯେ ଶୀତଳଷଷ୍ଠୀର ଇତିହାସ, ପରଂପରା ସଂପର୍କରେ ନଜାଣି କିଛି ଲୋକ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବା ଗ୍ରହଣୀୟ ନୁହେଁ। ଶୀତଳଷଷ୍ଠୀ ଯାତ୍ରାର ଏକ ପ୍ରକ୍ରିୟା ରହିଛି। ଏହା ନିର୍ଦ୍ଦିଷ୍ଟ ତିଥି ଓ ଲଗ୍ନରେ ଆୟୋଜନ ହୁଏ। ଅକ୍ଷୟ ତୃତୀୟାରେ ଥାଳଉଠାରୁ ଆରମ୍ଭ ହୋଇ ପତରପେଣ୍ଡି, ଦେବନିମନ୍ତ୍ରଣ, ଗଇଁଠାଳ ଫିଟା, ବରଯାତ୍ରୀ, ବିବାହ, ଯୁଗଳଦର୍ଶନ ଶୋଭାଯାତ୍ରା ଓ ମନ୍ଦିର ପ୍ରବେଶ ଆଦି ନୀତି ବିଧି ଅନୁଯାୟୀ ପାଳନ କରାଯାଏ। ତେଣୁ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶର ସପ୍ତାହେ ପରେ ମଞ୍ଚ ଉପରେ ନାଚଗୀତ କରି ଶୀତଳଷଷ୍ଠୀ ମହୋତ୍ସବ ଆୟୋଜନ କରିବାର ଉଦ୍ଦେଶ୍ୟ କଣ ବୋଲି ସମିତି ପ୍ରଶ୍ନ କରିଛି।

ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଶେଷ ହୋଇ ରତ୍ନବେଦୀରେ ବିଜେ କଲା ପରେ ଓଡ଼ିଶାର କୌଣସି ଗାଁ କି ସହରରେ ଏଭଳି କାର୍ଯ୍ୟକ୍ରମ କେହି ଆୟୋଜନ କରନ୍ତି ନାହିଁ। ତେଣୁ ସମ୍ବଲପୁରବାସୀଙ୍କ ଭାବାବେଗ ସହ ଖେଳିବାରୁ ଆୟୋଜକମାନେ କ୍ଷାନ୍ତ ରହନ୍ତୁ ଓ ସେମାନଙ୍କୁ ଯଦି ମେଳା, ମହୋତ୍ସବ ଆୟୋଜନ କରିବାର ଅଛି ତାହେଲେ ଅନ୍ୟ କୌଣସି ନାଁରେ ଆୟୋଜନ କରନ୍ତୁ ବୋଲି ସମିତି ପରାମର୍ଶ ଦେଇଛି। ସମିତିର ବୈଠକରେ କାର୍ଯ୍ୟକାରୀ ସଭାପତି ଅମୂଲ୍ୟ ମିଶ୍ର, ସରୋଜ ଦଲପତ, ସୁଶାନ୍ତ ପୁରୋହିତ, ଫଣୀଭୂଷଣ ମିଶ୍ର, ପ୍ରଶାନ୍ତ ବରେଇ, ସୁନୀଲ ଦାଶ, ଜଗଦୀଶ ପଣ୍ଡା, ଅଭିଷେକ ମିଶ୍ର ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe