ସ୍କୁଲ ବନ୍ଦ ଓ ମିଶ୍ରଣ ପ୍ରସ୍ତାବକୁ ବିରୋଧ

Advertisment
ଘରୋଇ ସ୍କୁଲକୁ ସରକାରୀ ପ୍ରୋତ୍ସାହନ!

Representational

ଭୁବନେଶ୍ୱର : ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ମାଧ୍ୟମିକ ବିଦ୍ୟାଳୟକୁ ବନ୍ଦ ଓ ମିଶ୍ରଣ ପ୍ରସ୍ତାବକୁ ପ୍ରବଳ ବିରୋଧ ଜାରି ରହିଛି। ଓଷ୍ଟା ପରେ ଆଜି ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ(ଓଲ୍‌ଷ୍ଟା) ପକ୍ଷରୁ ପ୍ରସ୍ତାବର ବିରୋଧ କରାଯିବା ସହ ଏହାଦ୍ୱାରା ୨୦୦୯ରୁ ଲାଗୁ ହୋଇଥିବା ଶିକ୍ଷା ଅଧିକାର ଆଇନ ଖୋଲାଖୋଲି ଉଲଙ୍ଘନ ହେଉଥିବା ଅଭିଯୋଗ କରାଯାଇଛି। ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଲ୍‌ଷ୍ଟା ସଭାପତି ଜଗବନ୍ଧୁ ଜେନା କହିଛନ୍ତି ଯେ ରାଜ୍ୟରେ ୨୨ ହଜାରରୁ ଅଧିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ୨୮ ଲକ୍ଷ ପିଲା ପଢ଼ୁଛନ୍ତି। ଶିକ୍ଷା ଅଧିକାର ଆଇନ୍ ଲାଗୁ ହେଲା ପରେ ୩୦ ଛାତ୍ରଛାତ୍ରୀରେ ଗୋଟିଏ କ୍ଲାସ୍ ରହିବା କଥା। ଏହି ହିସାବକୁ ଅନୁଧ୍ୟାନ କଲେ ଯଦି ପ୍ରତ୍ୟେକ ଶ୍ରେଣୀରେ ଜଣେ ଶିକ୍ଷକ ରୁହନ୍ତି ତାହା ହେଲେ ୫୦ ରୁ ୬୦ ହଜାର ଶିକ୍ଷକଙ୍କ ଆବଶ୍ୟକତା ରହିଛି। ତେବେ ବାସ୍ତବ ସ୍ଥିତି ହେଉଛି ମାତ୍ର ୩ରୁ ୪ ହଜାର ଶିକ୍ଷକଙ୍କୁ ନେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚାଲିଛି। ସରକାର ଶିକ୍ଷକ ନିଯୁକ୍ତି ନକରି ନିଜର ଅପାରଗତାକୁ ଲୁଚେଇବାକୁ ଯାଇ ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାକୁ ଆପଣେଇଛନ୍ତି। ପିଲା ସଂଖ୍ୟା କମିବାର ପ୍ରମୁଖ କାରଣ ସମ୍ପର୍କରେ ସରକାର କିମ୍ବା ପ୍ରଶାସନିକ ଅଧିକାରୀ କେହିବି ଅନୁଧ୍ୟାନ କରୁନାହାନ୍ତି। ଶିକ୍ଷକ ନଥିବାରୁ ଅନେକ ବିଦ୍ୟାଳୟ ଜଣେ କିମ୍ବା କେହି ଶିକ୍ଷକ ନାହାନ୍ତି। ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ କ୍ଷେତ୍ରରେ ଷ୍ଟାଫ୍‌ ସିଲେକ୍‌ସନ ବୋର୍ଡ ମାଧ୍ୟମରେ ଅଧ୍ୟାପକ ନିଯୁକ୍ତି ବ୍ୟବସ୍ଥା ଥିଲାବେଳେ ଅନୁଦାନପ୍ରାପ୍ତ ବିଦ୍ୟାଳୟ କ୍ଷେତ୍ରରେ ଏହାକୁ ଲାଗୁ ନକରି ସୁଚିନ୍ତିତ ଭାବେ ଏସବୁ ଅନୁଷ୍ଠାନଗୁଡ଼ିକୁ ରୁଗ୍‌ଣ କରି ଦିଆଯାଉଛି। ଶେଷରେ ପିଲାସଂଖ୍ୟା ହ୍ରାସ ଓ ପରୀକ୍ଷାଫଳ ଖରାପକୁ ପ୍ରଚାର କରି ସ୍କୁଲ ଭାଙ୍ଗିବାର ପ୍ରକ୍ରିୟା ଆରମ୍ଭ ହୋଇଛି।

ରାଜ୍ୟ ସରକାର ଏଥିରୁ ନିବୃତ୍ତ ରହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ଶିକ୍ଷା ଅଧିକାର ଆଇନ୍‌ରେ ଥିବା ବିଧି ବ୍ୟବସ୍ଥାକୁ ମାନନ୍ତୁ। ପୂର୍ଣ୍ଣ ଓ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ସରକାରୀ ଘୋଷଣା କରନ୍ତୁ। ପ୍ରତ୍ୟେକ ୩ କିମି ଭିତରେ ଥିବା ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିବାର ନିୟମକୁ ସୁନିଶ୍ଚିତ କରନ୍ତୁ। ପ୍ରତି ବିଦ୍ୟାଳୟର ପିଲାସଂଖ୍ୟା ୧୫ ପରିବର୍ତ୍ତେ ୧୦ ଜଣରେ ସୀମିତ କରାଯାଉ। ଏହାପରେ ଯଦି ପିଲାସଂଖ୍ୟା କିମ୍ବା ପରୀକ୍ଷା ଫଳ ଖରାପ ହୁଏ ତା’ହେଲେ ସେହି ବିଦ୍ୟାଳୟର ଶିକ୍ଷକଙ୍କର ଦରମା ଓ ଚାକିରୀକୁ ସୁରକ୍ଷିତ କରି ଅନ୍ୟ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ଅବସ୍ଥାପିତ କରନ୍ତୁ। ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଲିଥିବା ସ୍ଥାନରେ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାର ବ୍ୟବସ୍ଥା କରନ୍ତୁ ବୋଲି ସଂଘର ସାଧାରଣ ସଂପାଦକ ସୁକାନ୍ତ କୁମାର ବେହେରା, କୋଷାଧ୍ୟକ୍ଷ ଜୟପ୍ରକାଶ ପଣ୍ଡା ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe