representational immage -Public App
ଯାଜପୁର: ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ମଝିପଡ଼ା ପଞ୍ଚାୟତର ନିଲମ୍ବିତ ପିଇଓ ପ୍ରଶାନ୍ତ କୁମାର ଜେନାଙ୍କ ନାଁରେ ଥାନାରେ ଏତଲା ଦେବା ପାଇଁ ଯାଜପୁର ଜିଲ୍ଲାପାଳ ବଡ଼ଚଣା ବିଡିଓଙ୍କୁ ନିର୍ଦେଶ ଦେଇଛନ୍ତି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନମ୍ବର ୩୭୫/୨୨.୩.୨୦୨୩ରେ ସରକାରୀ ଅର୍ଥ ତୋଷରପାତ ଓ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଶ୍ରୀ ଜେନାଙ୍କ ନାଁରେ ଥାନାରେ ଏତଲା ଦେବା ପାଇଁ ନିର୍ଦେଶ ଦିଆଯାଇଛି।
ବଡ଼ଚଣା ବ୍ଲକ୍ ମଝିପଡା ପଞ୍ଚାୟତରେ ଚତୁର୍ଦ୍ଦଶ ଅର୍ଥ କମିସନ ଯୋଜନାରେ ଲୋକଙ୍କୁ ପିଇବା ପାଣି ଦେବା ନାମରେ ୨ ଲକ୍ଷ ୪୨ ହଜାର ଟଙ୍କା ପିଇଓ ପ୍ରଶାନ୍ତ ଜେନା ଗତବର୍ଷ ସେପ୍ଟେମ୍ବର ୩୦ ତାରିଖରେ ଜାଲିଆତି କରି ଉଠାଇ ନେଇଥିଲେ। ସରକାରୀ ଅନୁଦାନ ହଡ଼ପ ସମ୍ପର୍କରେ ସରପଞ୍ଚ ଶୋଭା ବ୍ରଜକବାଟ ବାଲିଚନ୍ଦ୍ରପୁର ଥାନାଧିକାରୀ ଓ ବଡ଼ଚଣା ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ।
ଥାନାଧିକାରୀ ନିରବ ରହିଥିବା ବେଳେ ବିଡିଓ ତଦନ୍ତ ପାଇଁ ଏବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏବିଡିଓ ତଦନ୍ତ ନକରି ନିରବ ରହିଲେ। ‘ସମ୍ବାଦ’ରେ ପ୍ରକାଶିତ ଖବରକୁ ଜଣେ ପାଠକ ଟ୍ବିଟ୍ କରିଥିଲେ। ଏହାପରେ ମୁଖ୍ୟ ଶାସନ ସଚିବ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଯାଜପୁର ଜିଲ୍ଲାପାଳ ଓ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ପରେ ପିଇଓ ପ୍ରଶାନ୍ତ କୁମାର ଜେନାଙ୍କୁ ନିଲମ୍ବିତ କରାଯାଇଥିଲା। ଆଜି ଜିଲ୍ଲାପାଳ ଏ ସଂପର୍କରେ ବଡ଼ଚଣା ବିଡିଓଙ୍କୁ ଚିଠି କରି ଶ୍ରୀ ଜେନାଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
Follow Us